ଧିରେ ଧିରେ ଫିକା ପଡୁଛି ଲାଲ୍‍ବାହିନୀ

0
254

ଭୁବନେଶ୍ବର:ବାମପନ୍ଥୀ ମାଓବାଦୀମାନେ ଏବେ ଦୁଇ ଆଡୁ ସମସ୍ୟାରେ ପଡିଛନ୍ତି । ଗୋଟିଏ ପଟେ ଯୁବକ ଯୁବତୀମାନେ କ୍ୟାଡରରେ ଯୋଗ ଦେବାକୁ ବିମୁଖ ହେଉଥିବାବେଳେ ଅନ୍ୟପଟେ ବିଶୃଙ୍ଖଳା ଯୋଗୁଁ ମାଓବାଦୀମାନେ ଆଭ୍ୟନ୍ତରୀଣ କଳହରେ ମାତିଛନ୍ତି ।

ସୂଚନା ଅନୁଯାୟୀ ମାଓ କ୍ୟାଡରରେ ଯୁବଗୋଷ୍ଠି ସାମଲ ହେଉନଥିବାରୁ ବରିଷ୍ଠ ମାଓବାଦୀମାନେ ଚିନ୍ତାରେ ଅଛନ୍ତି । ସେହିଭଳି କ୍ୟାଡର ମାଓବାଦୀଙ୍କ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ସଂଗଠନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆନ୍ଧ୍ର-ଓଡିଶା ସୀମାରେ ଏହା ଉଗ୍ରରୂପ ଧାରଣ କରିଥିବାବେଳେ ମାଓବାଦୀଙ୍କ ମଧ୍ୟରେ କଳିଗୋଳ ଏବେ ଲାଲ୍‍ବାହିନୀ ପାଇଁ ସତର୍କଘଣ୍ଟି ହୋଇଛି ।

ପୂର୍ବରୁ ମାଓ ସଂଗଠନରେ ଦୃଢ ଶୃଙ୍ଖଳା ଥିବାବେଳେ ଧିରେ ଧିରେ ତାହା ବିଶୃଙ୍ଖଳାର ରୂପ ନେଉଛି । ଗୁଇନ୍ଦା ସୂଚନା ଅନୁଯାୟୀ ଆନ୍ଧ୍ର ଓ ଛତିଶଗଡି ମାଓ କ୍ୟାଡରରେ ମଧ୍ୟରେ ଜୋରଦାର ବାଦାନୁବାଦ ଚାଲିଛି ।

ଓଡିଶାର ଆଦିବାସୀ ଯୁବକ ଯୁବତୀମାନେ କମ୍‍ ସଂଖ୍ୟାରେ ମାଓ କ୍ୟାଡରରେ ଯୋଗ ଦେଉଥିବାରୁ ଆନ୍ଧ୍ର-ଓଡିଶା ମାଓ ସଂଗଠନ ପାଇଁ ଏହା ଚିନ୍ତାର କାରଣ ହୋଇଛି । କ୍ୟାଡର ନିଯୁକ୍ତି ପାଇଁ ବାରମ୍ବାର ପଦକ୍ଷେପ ସତ୍ୱେ ସଂଗଠନ ପ୍ରତି ଯୁବଗୋଷ୍ଠିଙ୍କୁ ଆକର୍ଷିତ କରିବାରେ ମାଓବାଦୀମାନେ ବିଫଳ ହୋଇଛନ୍ତି ।

ଲାଲ୍‍ କରିଡରରେ ସୁରକ୍ଷାବଳ ପକ୍ଷରୁ ଜୋରଦାର ମାଓ ମୁକାବିଲା କରାଯିବା ଫଳରେ ଅଧିକରୁ ଅଧିକ ସଂଖ୍ୟାରେ ମାଓବାଦୀମାନେ ଗିରଫ ସହ ଆତ୍ମସମର୍ପଣ କରୁଛନ୍ତି । ଆଦିବାସୀ ଯୁବକମାନଙ୍କ ଭିତରେ ଭୟ ଯୋଗୁଁ ସେମାନେ ମାଓ ସଂଗଠନରେ ଯୋଗ ଦେଉନାହାନ୍ତି ।

ମାଓ ସଂଗଠନରେ ଅବସ୍ଥା ଏଭଳି ହୋଇଛି ଯେ ନୂଆକରି ଯୋଗ ଦେଉଥିବା କ୍ୟାଡର ମାଓବାଦୀମାନେ ବିଶୃଙ୍ଖଳିତ ହେବା ସହିତ କେନ୍ଦ୍ରୀୟ ନେତାମାନଙ୍କୁ ବି ମାନୁ ନାହାନ୍ତି । ଯାହାକି ପୂର୍ବରୁ କେବେ ଦେଖାଯାଉନଥିଲା ।

ଛତିଶଗଡ ଓ ଝାଡଖଣ୍ଡର ମାଓବାଦୀମାନେ ବିଶୃଙ୍ଖଳିତ ଲକ୍ଷ୍ୟ କରାଯାଉଥିବାବେଳେ ତେଲଗୁ ଭାଷାଭାଷି ମାଓବାଦୀମାନେ କିନ୍ତୁ ଶୃଙ୍ଖଳିତ ଓ ଅନୁଗତ ଆଚରଣ ପ୍ରଦର୍ଶନ କରୁଛନ୍ତି । ଫଳରେ ଏହି ଦୁଇ ଗୋଷ୍ଠି ମଧ୍ୟରେ ଠିକଣା ତାଳମେଳ ସମ୍ଭବ ହୋଇପାରୁନାହିଁ ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ମାଓ କ୍ୟାଡରମାନେ ଛତିଶଗଡ ଓ ଝାଡଖଣ୍ଡର ତଳସ୍ତରର କ୍ୟାଡରମାନଙ୍କ ସହିତ ନିଜକୁ ଖାପ ଖୁଆଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୁରୁପ୍ରିୟା ସେତୁ ଉଦ୍‍ଘାଟନ ପରେ ସୁରକ୍ଷାବଳ ପକ୍ଷରୁ ବିଚ୍ଛାନ୍ନାଞ୍ଚଳରେ ମାଓଦମନକୁ ଜୋରଦାର କରାଯାଇଛି । ଫଳରେ ମାଓବାଦୀମାନେ ଏବେ ବିଚ୍ଛିନ୍ନାଞ୍ଚଳରୁ ଆନ୍ଧ୍ର-ଓଡିଶା ସୀମାର ଘଞ୍ଚ ଜଙ୍ଗଲକୁ ପଳାଉଥିବା ଲକ୍ଷ୍ୟ କରାଯାଉଛି ।

ମାଓ ବିରୋଧି ଅଭିଯାନକୁ ଜୋରଦାର କରିବାପାଇଁ ରାଜ୍ୟ ସରକାର ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ କହିଛନ୍ତି । ଅନୁରୂପ ଭାବେ ପୁଲିସ୍‍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ବିଛିନ୍ନାଞ୍ଚଳରେ ମାଓଦମନ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଛନ୍ତି ।

ଉଭୟ ରାଜ୍ୟ ସ୍ୱତନ୍ତ୍ର ଅପରେସନ ଗ୍ରୁପ୍‍ ଓ ସୀମା ସୁରକ୍ଷାବଳଙ୍କୁ ଲାଲ୍‍ କରିଡରରେ ମୁତୟନ କରାଯିବ । ଏହାଦ୍ୱାରା ବାମପନ୍ଥୀ ଉଗ୍ରବାଦୀମାନେ ସେହି ଅଞ୍ଚଳରୁ ସଫା ହୋଇଯିବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here