ସଦର ହସ୍ପିଟାଲ୍ରେ ଲାଇନ୍ ନାହିଁ କି ଏକ୍ସରେ ନାହିଁ

0
107

କେନ୍ଦୁଝରଗଡ଼: ପରିଚାଳନାଗତ ତୃଟି ଅବା ଆନ୍ତରିକତା ଅଭାବ ହେଉ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ଅବ୍ୟବସ୍ଥା ସୁଧୁରିବାର ପରିବର୍ତ୍ତେ ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି । କେତେବେଳେ ଡାକ୍ତର, କର୍ମଚାରୀଙ୍କ ଅବହେଳା ଓ ଆଉ କେତେବେଳ ପ୍ରସୂତିଙ୍କ ଠାରୁ ବଟି ଆଦାୟ, ବ୍ଲଡ୍ ବ୍ୟାଙ୍କରେ ଦଲାଲ ଲଗାଇ ରକ୍ତ ବିକ୍ରୀ ଭଳି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅପବାଦ ମୁଣ୍ଡେଇଥିବା ବେଳେ ରୋଗୀ ଓ ସମ୍ପର୍କୀୟମାନେ ଶୋଷଣର ଶିକାର ହେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ଏମିତି ଏକ ଅବ୍ୟବସ୍ଥାକୁ ନେଇ ବୁଧବାର ଡାକ୍ତରଖାନାର ଏକ୍ସରେ ବିଭାଗରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳଥିଲା । ବିଦୁ୍ୟତ୍ ବିଭ୍ରାଟ ଯୋଗୁ ଏକ୍ସରେ ପାଇଁ ଆସିଥିବା ରୋଗୀ ଓ ସମ୍ପର୍କୀୟ ମାନେ ଅଖିଆ ଅତ୍ପଆ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ସତ୍ତ୍ୱେ ଏକ୍ସରେ କରିବାର ସୁଯୋଗ ପାଇନଥିଲେ । ଜେନେରେଟର ଥାଇ ସୁଦ୍ଧା ଲାଇନ ନଥିବା ଯୋଗୁ ଏକ୍ସରେ ମେସିନ୍ କାମ କରୁନଥିଲା ଫଳରେ ଦିନେ ଦୁଇଦିନ ପୂର୍ବରୁ ଟିକେଟ କାଟି ସୁଦ୍ଧା ରୋଗୀ ବଞ୍ଚିତ ହୋଇଥିଲେ ।
ବାଂଶପାଳ, ତେଲକୋଇ, ଝୁମ୍ପୁରା ଆଦି ଦୂରଦୂରାନ୍ତରୁ ଆସିଥିବା ରୋଗୀ ନାହିଁ ନଥିବା ସମ୍ମୁଖୀନ ହୋଇଥିଲେ । ବିଶେଷ କରି ଶିଶୁ ମହିଳା ଭିନ୍ନକ୍ଷମ ଗରିବ ଅସହାୟ ରୋଗୀ ଅକଥନୀୟ ଭାବେ ଦୁର୍ଦ୍ଦଶା ଭୋଗିଥିଲେ । ରୋଗୀଙ୍କ ମଧ୍ୟରୁ ଅମର ପାତ୍ରଙ୍କ ୧୦ ବର୍ଷର ପୁଅ ଅଣ୍ଟା ବିନ୍ଧା ଯୋଗୁ ଦିନକ ପୂର୍ବରୁ ଟିକେଟ କାଟି ଲାଇନରେ ଛିଡା ହୋଇଥିବା ବେଳେ ଝୁମ୍ପୁରା ବ୍ଲକ ପାଟ ସାହିର ଶାନ୍ତି ମୁଣ୍ଡା ତାଙ୍କ ବର୍ଷକର ଶିଶୁକୁ ଅଶା ଦିଦି ସହାୟତାରେ ଆଣି ଘଣ୍ଟା ଘଣ୍ଟା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏମିତି ଅନେକ ରୋଗୀଙ୍କ ବେହାଲ ଅବସ୍ଥା ଦେଖିବାକୁ ମିଳିଥିବା ବେଳେ ଏକ୍ସରେ ବିଭାଗର କର୍ମଚାରୀ ବିଦୁ୍ୟତ କାଟ ଯୋଗୁ ହାତଟେକି ବସି ରହିଥିବା ଦେଖିବାକୁ ମିଳିଥିଲା । ଗତ କିଛିଦିନ ତଳେ ବିଦୁ୍ୟତ ବିଭ୍ରାଟକୁ ନେଇ ବ୍ଲଡ ବ୍ୟାଙ୍କରେ ଟର୍ଚ୍ଚ ଲାଇଟରେ ରକ୍ତ ପରୀକ୍ଷା ସଂଗ୍ରହ କରିବା ଘଟଣା ରାଜ୍ୟ ସାରା ଚର୍ଚ୍ଚାର ବିଷୟ ହୋଇଛି । ଏତେ ଅପବାଦ ପରେବି ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ବିଦୁ୍ୟତ ବିଭାଗ ନସୁଧୁରିବା ଘଟଣା ସାଧାରଣରେ କ୍ଷୋଭର ବିଷୟ ହୋଇଛି । ସ୍ୱାସ୍ଥ୍ୟ ସେବାରେ ଲାଗି ରହିଥିବା ଅବ୍ୟବସ୍ଥା ପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବିହୋଇଛି ।

LEAVE A REPLY

Please enter your comment!
Please enter your name here