ଭାସୁଛି ସାରା ରାଜ୍ୟ

0
94

ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟବ୍ୟାପୀ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ରାସ୍ତାଘାଟ ବୁଡିଯିବାରୁ ଗମନାଗମନ ବ୍ୟବସ୍ଥା ଠପ୍ ହୋଇଥିବାବେଳେ ମାଲକାନଗିରି ଓ ଭବାନୀପାଟଣାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଅଧିକାଂଶ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ତେବେ କୌଣସି ନଦୀର ଜଳପତ୍ତନ ବିପଦ ସଙ୍କେତ ସ୍ତର ଅତିକ୍ରମ କରିନାହିଁ । ନଦୀଗୁଡିକରେ ଜଳପତ୍ତନ ବୃଦ୍ଧି ପାଉଥିବା ସାମ୍ଭାବ୍ୟ ବନ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବିଶେଷକରି ଦକ୍ଷିଣ ଓଡିଶାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ଜଗତସିଂହପୁର, ଯାଜପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗଜପତି, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ପୁରୀ, କଟକ ଓ ରାୟଗଡାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ୧୬ ବ୍ଲକ୍ରେ ୨୦୦ ମି.ମି.ରୁ ଅଧିକ ବର୍ଷା ହୋଇଥିବାବେଳେ ୩୫ ବ୍ଲକ୍ରେ ୧୦୦ରୁ ୨୦୦ ମି.ମି. ମଧ୍ୟରେ ବର୍ଷା ରହିଛି । ପୁରୀରେ ସର୍ବାଧିକ ୩୨୨ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତକାଲିଠାରୁ ଜାରି ରହିଥିବା ଲଗାଣ ବର୍ଷା ଉପରେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ବର୍ଷାତାଣ୍ଡବକୁ ନେଇ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଏସ୍ଆରସି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଲଗାଣ ବର୍ଷା କାରଣରୁ ପୁରୀରେ ସର୍ବାଧିକ ୩୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଥିସହ କଟକ, ଭୁବନେଶ୍ୱରରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଊଦ୍ଧ୍ୱର୍ ବୃଷ୍ଟିପାତ ହୋଇଛି । ବର୍ଷା କାରଣରୁ ରାଜ୍ୟର ୧୬ଟି ବ୍ଲକ୍ରେ ୨୦୦ ମିଲିମିଟରରୁ ଊଦ୍ଧ୍ୱର୍ ଏବଂ ୧୫ଟି ବ୍ଲକରେ ୨୦୦ ମିଲିମିଟର ତଳକୁ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ଧରି ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଥିବା ବେଳେ ଏହି ଧାରା ଆସନ୍ତା ୪୮ ଘଣ୍ଟାଧରି ଜାରି ରହିବ । ବର୍ଷା ଯୋଗୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ହୋଇଥିବା ସତ୍ତ୍ୱେ ଏହା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଜଳପତ୍ତନ ବୃଦ୍ଧିକୁ ଦୃଷ୍ଟିରେ ରଖି କାଲିମେଳା ଓ କଳାହାଣ୍ଡି ଜିଲ୍ଲାର ଜଳ ବିଦୁ୍ୟତ୍ ଉତ୍ପାଦନ ସାମୂହିକ ଭାବେ ବନ୍ଦ କରାଯାଇଛି । ମାଲକାନଗିରି ଓ ଜୟପାଟଣା ବ୍ଲକର ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ସେହିଭଳି କଟକରେ ବନ୍ୟାଜଳ ପ୍ରଭାବିତ ୧୬ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବା ଲାଗି ସିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଭାବେ ଜଳବନ୍ଦୀରେ ଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ପହଞ୍ଚାଇବା ଲାଗି ବିଏମ୍ସିକୁ ନିଦେ୍ର୍ଦଶ ଦିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୩୧୭ ଅଗ୍ନିସମ କେନ୍ଦ୍ର ଏବଂ ୨୦ ୟୁନିଟ୍ ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସେଠୀ ସୂଚନା ଦେଇଛନ୍ତି । କଟକରୁ ବର୍ଷା ଜଳ ନିଷ୍କାସନ ପାଇଁ ୨୦୦ଟି ପମ୍ପ ନିୟୋଜିତ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ସିଏମ୍ସିର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସିଏମ୍ସି କମିଶନର । ସେହିଭଳି ଉକ୍ରଳ ବିଶ୍ୱବିଦ୍ୟାଳୟର ସେମିଷ୍ଟାର ପରୀକ୍ଷାକୁ ଘୁଞ୍ଚାଇ ଦିଆଯିବା ସହ +୩ ନାମଲେଖା ୨୧ ତାରିଖ ଥିବାବେଳେ ବର୍ଷା ଦୃଷ୍ଟିରୁ ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେହେତୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ସେଥିପାଇଁ ପରିସ୍ଥିତିକୁ ଦେଖି ସ୍କୁଲଗୁଡ଼ିକୁ ବନ୍ଦ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ(ଅବପାତ) ବାଲେଶ୍ୱର ସ୍ଥଳଭାଗ ଅତିକ୍ରମ କରିବା ସହ ଏହା ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଏଚ୍ଆର ବିଶ୍ୱାସ କହିଛନ୍ତି । ଅବପାତ ପ୍ରଭାବରେ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଉପକୂଳ ଅଞ୍ଚଳରେ ବର୍ଷା ଜାରି ରହିବ । ସନ୍ଧ୍ୟା ବେଳକୁ ଉପକୂଳରେ ବର୍ଷା କମିଯିବ । ତେବେ ରାତି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ରବିବାର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା ଜଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ସୋମବାର ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶନିବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫.୩୦ ସୁଦ୍ଧା ପୁରୀରେ ସର୍ବାଧିକ ୧୦୯ ମିଲିମିଟର(ମିମି) ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୯୭ ମିମି, ଫୁଲବାଣିରେ ୯୦ ମିମି, ଦାରିଙ୍ଗବାଡ଼ିରେ ୭୩ ମିମି, ସୋନପୁରରେ ୬୧ ମିମି, ଚାନ୍ଦବାଲିରେ ୬୫ ମିମି, କଟକରେ ୨୪ ମିମି, ଭୁବନେଶ୍ୱରରେ ୧୮ ମିମି ବର୍ଷା ରେକର୍ଡ କରାଯାଇଛି । ଅବପାତ ପ୍ରଭାବରେ ଲଗାଣ ବର୍ଷା ସ୍ମାର୍ଟ ସିଟିକୁ ବେହାଲ କରିଛି । ଚାରିଆଡ଼େ କୃତ୍ରମ ବନ୍ୟା ସୃଷ୍ଟି ହୋଇଛି । ରାଜଧାନୀ ଉପକଣ୍ଠରେ ବି ନାହିଁ ନଥିବା ଅସୁବିଧା ଦେଖାଦେଇଛି । ପରିସ୍ଥିତି ଏମିତି ଅଣାୟତ ହୋଇଥିଲା ଯେ ଜଳବନ୍ଦୀ ହୋଇ ଫସି ରହିଥିବା ଲୋକଙ୍କୁ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି । ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଗୌରୀ ଗାର୍ଡେନ୍, ଗୌରୀନଗର, ଶ୍ରୀରାମ ନଗର, ମଲ୍ଲିକ୍ କମ୍ପ୍ଲେ୍ଲକ୍ସ ଜାଗମରା, ପାଇକ ନଗର ହେଲ୍ଟା ସ୍କୋୟାର, ପାସ୍ପୋର୍ଟ ଅଫିସ୍ ନିକଟବର୍ତ୍ତୀ ଅଞ୍ଚଳ, ଜୟଦେବ ବିହାର, ନୟାପଲୀ ଏକାମ୍ର ରୋଡ୍, ଘନଶ୍ୟାମ ଆପାର୍ଟମେଣ୍ଟ୍, ନିଳମାଧବ ବସ୍ତି, ଖରାଖିଆ ବୈଦ୍ୟନାଥ, ଚକେଇସିଆଣି, ଆନି ହାଉସ୍ ଛକ, ଲକ୍ଷ୍ମୀସାଗର ଛକ, ଅଢ଼େଇ କୁଆଳ, ବସନ୍ତ ଭିଲ୍ଲା ଏବଂ ଜାଗମରା ଲେନ୍ ନଂ-୪ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହିସବୁ ସ୍ଥାନରେ ପାଣିର ସୁଅ ଚାଲିଥିôଲା । ଉକ୍ତ ଅଞ୍ଚଳରୁ ବିନା ଅଗ୍ନିଶମ ବିଭାଗ ସହାୟତାରେ ଉଦ୍ଧାର କାର୍ଯ୍ୟ ଅସମ୍ଭବ । ତେଣୁ ଅଗ୍ନିଶମ ସେବା କର୍ମୀମାନେ ଭୁବନେଶ୍ୱରର ୧୩ଟି ସ୍ଥାନରୁ ୪୫୦ଜଣଙ୍କୁ ଉଦ୍ଧାର କରିଛନ୍ତି । ଏଥିମଧ୍ୟରୁ ୩ଟି ସ୍ଥାନରେ ଉଦ୍ଧାରକାରୀ ଦଳଙ୍କୁ ବୋଟ୍ ବ୍ୟବହାର କରିବାକୁ ପଡ଼ିଥିଲା । ଉକ୍ତ ବିଭାଗ ଦ୍ୱାର ୪୬ଟି ସ୍ଥାନରେ ଜଳ ନିଷ୍କାସନ କାର୍ଯ୍ୟ କରାଯାଇଛି ।
ମାଲକାନାଗିରିରେ ଏନ୍ଏଚ୍-୩୨୬ ଉପରେ ଥିବା ଶକ୍ତଧାରା ପୋଲ, ପାଙ୍ଗମ ପୋଲରେ ପାଣି ଚାଲିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ମାଲକାନାଗିରିରୁ ଛତିଶଗଡକୁ ଥିବା ରାସ୍ତାରେ ଯାତାୟତ ବନ୍ଦ ହୋଇଛି । ସେହିଭଳି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପରିସ୍ଥିତି ଉଦ୍ବେଗଜନକ ହୋଇଛି । ମଙ୍ଗଳପୁର ବ୍ୟାରେଜ୍ର ୫ଟି ଗେଟ୍ ଖୋଲାଯାଇଛି । ଭବାନୀପାଟଣାରେ ହାତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ୩୩ କେ.ଭି. ତା’ର ପାଣିକୁ ଛୁଇଁଥିଲା । ଫଳରେ ବିଦୁ୍ୟତ୍ ସଂଯୋଗ କଟିଦିଆଯିବାରୁ ଅଧା କଳାହାଣ୍ଡି ଅନ୍ଧାର ହୋଇଛି । ଜୟପାଟଣା ବ୍ଲକ୍ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକରେ ୨୧୧ ମି.ମି. ବର୍ଷା ହେବା ଯୋଗୁଁ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ୧୮୧ ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି । ଜଳବନ୍ଦୀ ଥିବା ୧୬ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିଆଯାଉଥିବାବେଳେ ଗୋଟିଏ ଓଡ୍ରାଫ୍ ଟିମ୍ ମୁତୟନ ହୋଇଛି । ୨ଟି କଚ୍ଚା ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପାଣି ଘେରରେ ରହିଛି । ନବରଙ୍ଗପୁରରେ ମଧ୍ୟ ବର୍ଷା ଯୋଗୁଁ ଜନଜୀବନ ବ୍ୟାହତ ହୋଇଛି । ଅଞ୍ଚଳ ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ଅଇଁଲୁଗୁମା ପୋଲ ଉପରେ ପାଣି ଚାଲିବା ଯୋଗୁଁ ଯାତାୟାତ ଠପ୍ ହୋଇଛି । ଲଗାଣବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶୁଳିପଦର ଗାଁରେ କାନ୍ଥ ଭୁଶୁଡ଼ି ସ୍ୱାମୀ-ସ୍ତ୍ରୀଙ୍କ ମୃତୁ୍ୟ ଘଟିଥିବା ବେଳେ ପୁଅ ଅଳ୍ପକେ ବର୍ତ୍ତିଯାଇଛି । ମୃତକମାନେ ହେଲେ ମାଧବ ଲୟା ଓ ସ୍ତ୍ରୀ ଜନନୀ ଲୟା । ମିଳିଥିବା ସୂଚନାନୁଯାୟୀ, ପ୍ରବଳ ବର୍ଷା ଯୋଗୁ ମାଟି କାନ୍ଥ ଭୁଷୁଡ଼ି ମାଧବ ଲୟା (୫୧), ଜନନୀ(୫୦)ଙ୍କ ମୃତୁ୍ୟ ଘଟିଛି । ଖବରପାଇ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟତଃ ରାୟଗଡ଼ା ସହରର ପୁରୁଣା ପୁଲିସ ଷ୍ଟେସନ ଛକ ଓ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ପ୍ରବଳ ପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩ ପଞ୍ଚାୟତ ଜଳଘେରରେ ରହିଛନ୍ତି । ତେବେ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ନିମନ୍ତେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି । କଲ୍ୟାଣସିଂହପୁରଠାରେ କଲ୍ୟାଣ ନଦୀର ସ୍ରୋତ ପ୍ରଖର ଗତିରେ ପ୍ରବାହିତ ହେଉଛି । ଖାଲୁଆ ଅଞ୍ଚଳରେ ଥିବା ଲୋକଙ୍କୁ ଉଚ୍ଚସ୍ତାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁ ବିଶାଖାପାଟଣା-ଜଗଦଲପୁର ରେଳସେବା ବାଧାପ୍ରାପ୍ତ ହୋଇଛି । ଆଜି ସକାଳେ ଭୁବନେଶ୍ୱର-ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ ଭାଲୁମାସ୍କା ରେଳଷ୍ଟେସନରେ ଅଟକି ରହିଛି । ସେହିପରି ଜଗଦଳପୁର-ହାୱଡ଼ା ଟ୍ରେନ୍, କୋରାପୁଟ- ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ଉକ୍ତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପହଞ୍ଚô ରିଲିଫ୍ ଯୋଗାଇଥିବା ଷ୍ଟେସନ ନିରୀକ୍ଷକ ସୂଚନା ଦେଇଛନ୍ତି ।
ଆଜିର ସମୀକ୍ଷା ବୈଠକରେ ମୁଖ୍ୟ ଶାସନ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର, ପଞ୍ଚାୟତିରାଜ, ରାଜସ୍ୱ ଓ ଖାଦ୍ୟ ଯୋଗାଣ, ନଗର ଉନ୍ନୟନ ଆଦି ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ । ପାଣିପାଗ ବିଭାଗର ନିଦେ୍ର୍ଦଶକ ଓ ବିଏମ୍ସି କମିଶନର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here