ବିଜୟ ଆଉ ବିଜେଡି ନେତାଙ୍କ ପାଇଁ ଅଛୁଆଁ ନୁହନ୍ତି

0
147

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କ୍ରମେ ବିଜେଡିର ନିକଟତର ହେଉଥିବା ଦେଖାଯାଉଛି । ନିଜ ଦଳକୁ ସେ ପୁରାପୁରୀ ବାଏ ବାଏ କରିସାରିଲେଣି । ସେ ଲଗାତର ଭାବେ ବିଜେପି ବିରୋଧରେ ଯାଇ ମତ ରଖୁଥିବାରୁ ଏଥିରୁ ତାଙ୍କର ମନୋଭାବ ବୁଝା ପଡ଼ିଯାଉଛି । କିନ୍ତୁ ବିଜେଡିରେ ସାମିଲ ହେବା କଥାକୁ କେହି ବିଶ୍ୱାସ କରିପାରୁ ନାହାଁନ୍ତି । ଗୋଟିଏ କଥା ସ୍ପଷ୍ଟ ହେଉଛି ବିଜୟ ଆଉ ବିଜେଡି ଓ ତାଙ୍କ ନେତାଙ୍କ ପାଇଁ ଅଛୁଆଁ ନୁହନ୍ତି । ଏକଥା ତାଙ୍କର ଓ ବିଜେଡି ନେତାଙ୍କର କାର୍ଯ୍ୟଧାରାରୁ ସୂଚନା ମିଳୁଛି । ନିକଟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ମା’ଙ୍କ ଏକାଦଶାହରେ ବିଜୟଙ୍କ ଉପସ୍ଥିତି ଦେଖାଯାଇଥିଲା । ଫଳରେ ଏହାକୁ ନେଇ ରାଜନୀତି ଚର୍ଚ୍ଚା ଚାଲିଛି ।
ବିଜୟଙ୍କର ବିଜେପି ସହ ଆଉ ତାଳ ମେଳ ନାହିଁ । ବିଭିନ୍ନ ପ୍ରସଙ୍ଗରେ ବିଜେପି ଆଭିମୁଖ୍ୟ ବିରୋଧରେ ଯାଇ ମତ ଦେଉଛନ୍ତି । ବିଜେପିର ମୁଖ୍ୟ ରାଜନୀତିକ ଶତ୍ରୁ ପାଲଟିଥିବା ବିଜେଡିକୁ ସୁହାଇଲା ଭଳି ମତ ରଖୁଛନ୍ତି । ବିଜେପିର ଆଉ କୌଣସି କାର୍ଯ୍ୟକ୍ରମରେ ସେ ଭାଗ ନେଉନାହାଁନ୍ତି । ନିକଟରେ ପ୍ରଧାନମନ୍ତ୍ରୀ କଟକ ଗସ୍ତରେ ଆସିଥିଲା ବେଳେ ବିଜୟ ଦୂରେଇ ରହିଥିଲେ । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଗସ୍ତ ସମୟରେ ବି ବିଜୟ ଯାଇ ନଥିଲେ । ଶାହ ଇତି ମଧ୍ୟରେ ୨/୩ ଥର ଆସିଥିଲେ ବି ବିଜୟ କୌଣସି କାର୍ଯ୍ୟକ୍ରମକୁ ଯାଉନାହାଁନ୍ତି । ସେ କେବଳ ନା’କୁ ମାତ୍ର ଦଳରେ ରହିଛନ୍ତି । ମହାନଦୀ ପ୍ରସଙ୍ଗ ହେଉ କି ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ହେଉ ସବୁଥିରେ ବିଜେପି ଯେଉଁ ଲାଇନ୍ରେ ମତ ରଖୁଛି ତାର ବିପରୀତ ଧାରାରେ ବିଜୟ ଯାଉଛନ୍ତି । ଏପରି କି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ବିଜୟ ସମାଲୋଚନା କରିବାକୁ ପଛାଉ ନାହାଁନ୍ତି । ପାରାଦୀପ ଆଇଓସିଏଲ୍ରେ ନିଯୁକ୍ତି ପ୍ରସଙ୍ଗରେ ସେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ପୂର୍ବରୁ ବିଜେପି ତାଙ୍କ କଥା ଉପରେ କୌଣସି ଗୁରୁତ୍ୱ ନ ଦେଇ ପ୍ରସଙ୍ଗକୁ ଏଡାଉଥିଲା ବେଳେ ଏବେ କିନ୍ତୁ ଜବାବ ଦେବାକୁ ନିଷ୍ପତି ନେଇଛି । ଯେଉଁ ସମୟରେ ବିଜେପି-ବିଜେଡି ଭିତରେ କୌଣସି ଏକ ପ୍ରସଙ୍ଗକୁ ନେଇ ଜୋର୍ଦାର୍ ବାକ୍ବିତଣ୍ଡା ଓ ଆରୋପ ପ୍ରତ୍ୟାରୋପ ଚାଲୁଛି ଠିକ୍ ସେହି ସମୟରେ ବିଜୟ ମତ ରଖି ନିଜ ଦଳକୁ ଅଡୁଆରେ ପକାଉଛି । ଏବେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିବା ଓ ଚାବି ମିଳିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ସମାଲୋଚନା କରୁଛି । ମୁଖ୍ୟମନ୍ତ୍ରୀଙ୍କୁ ଏଥିନେଇ ଦୋଷୀ କରିବା ଦେଖାଯାଉଛି । ଏହି ଘଟଣାରେ ବିଜୟ ଫେସ୍ବୁକ୍ରେ ନିଜ ଦଳକୁ ମାଡ଼ ଦେଲା ଭଳି ଲେଖା ପ୍ରକାଶ କରିଛନ୍ତି । ଜଗନ୍ନାଥଙ୍କୁ ନେଇ ରାଜନୀତି ନକରାଯିବାକୁ କହି ସେ ଦର୍ଶାଇଛନ୍ତି ଦଳୀୟ ପତାକା ଧରି ଜଗନ୍ନାଥ ସଂସ୍କୃତିର ସୁରକ୍ଷା କରାଯାଇ ପାରିବ ନାହିଁ ।
ବିଜୟଙ୍କର ଏହି ଦଳରୁ କରଛଡ଼ା ଦେଉଥିବା ନୀତି ଜୋର୍ଦାର ହେଉଥିବା ବେଳେ ବିଜେଡି ନେତାଙ୍କ ସହ ସାମିଲ ହେବା ଦେଖାଯାଉଛି । ବିଜୟଙ୍କର ଛାଇ ପଡ଼ିଲେ ବିଜେଡି ନାଇ ଡେଉଁଥିଲା । ଏପରିକି ବିଜୟଙ୍କର କୌଣସି କାର୍ଯ୍ୟକ୍ରମରେ ବିଜେଡି ନତୋମାନେ ଏବଂ ବିଜେଡି ନେତାଙ୍କର କୌଣସି କାର୍ଯ୍ୟକ୍ରରେ ବିଜୟ ଯୋଗ ଦେବା ଦେଖାଦେଉ ନ ଥିଲା । ବିଜୟଙ୍କ ସହ କଥା ହେବାକୁ ମଧ୍ୟ ବିଜେଡି ନେତାମାନେ ଭୟ କରୁଥିଲେ । ଅତୀତରେ ଯେଉଁମାନେ ବିଜୟଙ୍କର ଏକଥା ଖାସ୍ ସମର୍ଥକ ଥିଲେ ଓ ଯେଉଁମାନଙ୍କୁ ବିଜୟ ରାଜନୀତି ମୁଖ୍ୟ ସ୍ରେତକୁ ଆଣିଥିଲେ ସେମାନେ ମଧ୍ୟ ବିଜୟଙ୍କ ସହ ସମ୍ପର୍କ ତୁଟାଇ ଦେଇଥିଲେ । ଏବେ ସ୍ଥିତି ବଦଳିଲା ପରି ଜଣାପଡୁଛି । ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜୟ ଓ ବିଜେଡି ନୀଜ ନୀଜର ମନୋଭାବ ଜଣାଉଥିବା କୁହାଯାଉଛି । ବିଜୟ ଯଦି ପୂର୍ବଭଳି ଅଛୁଆଁ ହୋଇ ରହିଥାନ୍ତେ, ମନ୍ତ୍ରୀ ପ୍ରତାପ ଜେନା କୌଣସି ପରିସ୍ଥିତିରେ ବିଜୟଙ୍କୁ ତାଙ୍କ ମା’ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଡାକିନଥାନ୍ତେ । ବିଜୟ ଡାକରା ନ ପାଇଥିଲେ ଆସି ନ ଥାନ୍ତେ । ଆଉ ପ୍ରତାପ ଭଲକରି ଜାଣିଛନ୍ତି ବିଜୟଙ୍କୁ ଡାକିଲେ କଣ ହେବ ଓ ନହେବ । ସବୁକଥାକୁ ଦୃଷ୍ଟିରେ ରଖି ସେ ନିଶ୍ଚୟ ଏହି ପଦକ୍ଷେପ ନେଇଥିବେ ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here