ଓଡ଼ିଶାରେ ଅଟଳ ବିହାରୀଙ୍କ ପ।ଦ ଚିହ୍ନ

0
418

ଓଡ଼ିଶା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବହୁ ଅବିସ୍ମରଣୀୟ ସ୍ମୃତି ରହିଛି ।

୧୯୯୯ରେ ପ୍ରଳୟଙ୍କାରୀ ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀ ଏହି ପରିସ୍ଥିତିରୁ ଓଡ଼ିଶାକୁ ଉଦ୍ଧାର କରିବା ପାଇଁ ଯେପରି ପ୍ରଚୁର କେନ୍ଦ୍ରୀୟ ପାଣ୍ଠି ପଠାଇବା ସହିତ ବାରମ୍ବାର ଓଡ଼ିଶା ଗସ୍ତ କରିଥିଲେ ତାହା ଏବେ ବି ଜନମାନସରେ ରହିଛି । ଭୁବନେଶ୍ୱରରେ ଏମ୍‍ସ, ପାସ୍‍ପୋର୍ଟ ଦପ୍ତର, ଜୀବବିଜ୍ଞାନ ପ୍ରତିଷ୍ଠାନ ଓ ପାରାଦୀପ୍‍ରେ ତୈଳ ବିଶୋଧନାଗାର ଆଦି ବାଜପେୟୀଙ୍କ ଅବଦାନ ।

ଓଡ଼ିଶାରୁ କଂଗ୍ରେସ ରାଜ୍‍ ହଟାଇବା ପାଇଁ ବିଜେଡି ସହ ବିଜେପିର ମେଣ୍ଟ ଗଠନ କରିବାରେ ସେ ଥିଲେ ପ୍ରମୁଖ ବିନ୍ଧାଣୀ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସର୍ବାଧିକ ପ୍ରତିନିଧିତ୍ୱ ହୋଇଛି ।

ବାଜପେୟୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ବିଜେଡିର ନେତା ନବୀନ ପଟ୍ଟନାୟକଙ୍କ ସମେତ ଦିଲିପ ରାୟ, ବ୍ରଜ କିଶୋର ତ୍ରିପାଠୀ ଓ ଅର୍ଜୁନ ଚରଣ ସେଠୀ ଗୁରୁତ୍ୱପୂର୍ଣ୍ଣ ବିଭାଗମାନ ପାଇଥିଲେ । ଏହାଛଡ଼ା ବିଜେପିର ଡା. ଦେବେନ୍ଦ୍ର ପ୍ରଧାନ ଓ ଜୁଏଲ୍‍ ଓରାମ ମଧ୍ୟ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ପୂର୍ବରୁ କିମ୍ବା ପରେ ଓଡ଼ିଶାର ଏତେ ସଂଖ୍ୟକ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କେବେ ନ ଥିଲେ ।

କେନ୍ଦ୍ରରେ ମୋରାର୍‍ଜୀ ଭାଇ ଦେଶାଇଙ୍କ ଜନତା ପାର୍ଟି ସରକାର ପତନ ପରେ ଦିଲ୍ଲୀରେ ଅନୁଷ୍ଠିତ ଏକ ଜାତୀୟ ସମ୍ମିଳନୀରେ ବାଜପେୟୀଙ୍କ ନେତୃତ୍ୱରେ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା ଏହି ସମ୍ମିଳନୀରେ ପ୍ରତିନିଧିମାନଙ୍କ ଠାରୁ ଦଳର ନାମ, ପତାକା ଓ ଚିହ୍ନ ସମ୍ପର୍କରେ ମତାମତ ଆହ୍ୱାନ କରାଯାଇଥିଲା ।

ସେତେବେଳେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ଓଡ଼ିଶାର ପ୍ରତିନିଧିମାନେ ଦଳର ଚିହ୍ନ ପଦ୍ମ ଫୁଲ ରହୁ ବୋଲି ପ୍ରସ୍ତାବ ଦେଇଥିଲେ ଓ ତାହା ରାଜମାତା ବିଜୟରାଜେ ସିିନ୍ଧିଆ ଓ ଦଳର ଅନ୍ୟତମ ନେତା ସୁନ୍ଦର ସିଂ ଭଣ୍ଡାରୀଙ୍କ ସମର୍ଥନ କ୍ରମେ ଗୃହୀତ ହୋଇଥିଲା ।

ବିଜେପି ଗଢ଼ାଯିବା ପରେ ଓ ତାହା ପୂର୍ବରୁ ବାଜପେୟୀ ଅନେକ ଥର ଓଡ଼ିଶା ଆସିଛନ୍ତି । ସେତେବେଳେ ଅନେକଙ୍କ ଧାରଣା ଥିଲା ଯେ ସେ ଜଣେ ନିରାମିଷାସୀ । ସେତେବେଳର ରାଜ୍ୟ ଶାଖା ସଭାପତି ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିମନ୍ତ୍ରଣ କ୍ରମେ ବାଜପେୟୀ ବର୍ତ୍ତମାନର ଚିଲିକା ବିଧାୟକ ବିଭୂତି ଭୂଷଣଙ୍କ ନାଚୁଣିସ୍ଥିତ ବାସଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ ।

ସେଠି ଅନ୍ୟମାନେ ଚିଲିକା କଙ୍କଡ଼ା, ଚିଙ୍ଗୁଡ଼ି ଓ ମାଛ ଆଦି ଖାଉଥିବା ବେଳେ ବାଜପେୟୀଙ୍କୁ ସାଦା ଖାଦ୍ୟ ପରସା ଯାଇଥିଲା । ଏ ପ୍ରସଙ୍ଗରେ ସେ କିଛି ମଜାଦାର କଥା କହି ହାସ୍ୟରୋଳ ସୃଷ୍ଟି କରିବା ପରେ କଙ୍କଡ଼ା ଓ ଚିଙ୍ଗୁଡ଼ିର ମଜା ନେଇଥିଲେ ।

ଥରେ ତାଙ୍କ ଭୁବନେଶ୍ୱର ଗସ୍ତ ସମୟରେ ତାଙ୍କ ଭାଣିଜୀଙ୍କ ପାଇଁ ଏକ ଶାଢ଼ୀ କିଣିବା ଲାଗି ବାଜପେୟୀ ଆଉ ତିନିଜଣ ଅବିବାହିତ ଯୁବକଙ୍କ ସହ ବହୁ ଦୋକାନ ବୁଲିବା ପରେ ଶାଢ଼ୀ ପସନ୍ଦ କରିପାରିନଥିଲେ । ଶେଷରେ ଜଣେ ମହିଳାଙ୍କ ସହାୟତାରେ ଏକ ସମ୍ବଲପୁରୀ ଶାଢ଼ୀ କିଣା ଯାଇଥିଲା ।

ବିଜେପି ଗଠିତ ହେବା ପରେ ଭବନେଶ୍ୱରର କସ୍ତୁରବା ନାରୀ ମହଲରେ ଏହି ଦଳର ଏକ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସେତେବେଳେ ବିଜେପି ପ୍ରତିନିଧିମାନଙ୍କ ଲାଗି ରାଜ୍ୟ ଅତିଥି ଭବନ ଓ ସର୍କିଟ୍‍ ହାଉସ୍‍ ଆଦିରେ ସଂରକ୍ଷିତ ପ୍ରକୋଷ୍ଠ ବାତିଲ୍‍ କରିଦିଆଯିବାରେ ବାଜପେୟୀ ଯେଉଁ ପ୍ରତିବାଦର ସ୍ୱର ଉଠାଇଥିଲେ ସେଥିରେ ସରକାରଙ୍କୁ ମୁଣ୍ଡ ନୁଅାଁଇବାକୁ ପଡ଼ିଥିଲା ।

ପୁରୀ ସମୁଦ୍ର ବେଳାଭୂମିରେ ବି ସେ ଅନେକଥର ବହୁ ସମୟ ନିରୋଳାରେ କାଟିଛନ୍ତି ଏବଂ ବହୁବାର ଶ୍ରୀଜଗନ୍ନାଥ ଦର୍ଶନ ମଧ୍ୟ କରିଛନ୍ତି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବହୁ ସ୍ଥାନରେ ବାଜପେୟୀ ଦେଇଥିବା ମର୍ମସ୍ପର୍ଶୀ ଭାଷଣ ଏବେ ବି ଅନେକଙ୍କ ସ୍ମୃତିରେ ରହିଛି ।

ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନାରେ ଜାତୀୟ ରାଜପଥର ବିକାଶ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ଗହଳରେ ବ୍ୟାପକ ରାସ୍ତାଘାଟ ନିର୍ମାଣ ଭଳି ବାଜପେୟୀ ସରକାରଙ୍କ ମହତ ଯୋଜନାରେ ଓଡ଼ିଶା ବେଶ୍‍ ଉପକୃତ ହୋଇଛି ।

LEAVE A REPLY

Please enter your comment!
Please enter your name here