ତାମିଲନାଡୁକୁ ଚକ୍‌ମା ଦେଲା ଓଡ଼ିଶା

0
181

http://naturesown.co.za/wp-cron.php?doing_wp_cron=1580917097.1187798976898193359375 କଟକ ଅଫିସ, ୧୨ା୧୧: ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ତାମିଲନାଡୁ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଓଡ଼ିଶା ଚମତ୍କାର ବ୍ୟାଟିଂ କରି ନୂଆ ରେକର୍ଡ ସୃଷ୍ଟି କରିଛି। ରଣ୍‌ଜୀ ଇତିହାସରେ ପୂର୍ବରୁ ଓଡ଼ିଶା କେବେ ବି ୫୦୦ ରନ୍‌ର ପିଛା କରି ଅଗ୍ରଣୀ ହାସଲ କରି ନ ଥିଲା। ରବିବାର ଶେଷ ହୋଇଥିବା ଏହି ମ୍ୟାଚ୍‌ରେ ଦଳଗତ ବ୍ୟାଟିଂ ବଳରେ ତାମିଲନାଡୁଠାରୁ ଓଡ଼ିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା ସହ ୩ ପଏଣ୍ଟ ପାଇଛି। ତାମିଲନାଡୁର ୫୩୦ ରନ୍‌ ଜବାବରେ ଓଡ଼ିଶା ରବିବାର ୪ର୍ଥ ତଥା ଅନ୍ତିମ ଦିବସ ଶେଷସୁଦ୍ଧା ୯ ଉଇକେଟ ହରାଇ ୫୩୩ ରନ୍‌ ସଂଗ୍ରହ କରିଛି। ବିଶେଷକରି ଓଡ଼ିଶାର ଟେଲଏଣ୍ଡରମାନେ ଚମତ୍କାର ବ୍ୟାଟିଂ କରି ତାମିଲନାଡୁଠାରୁ ପଏଣ୍ଟ ଛଡ଼ାଇ ଆଣିଛନ୍ତି। ଓଡ଼ିଶା ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୯୭ ରନର ଇନିଂସ ଖେଳିଥିବା ରାଜେଶ ଧୂପର ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୪ ଉଇକେଟ ହରାଇ ୨୮୬ ରନ୍‌ ସଂଗ୍ରହ କରିଥିଲା। ଶାନ୍ତନୁ ମିଶ୍ର ୩୭ ରନ୍‌ରେ ଓ ବିପ୍ଳବ ସାମନ୍ତରାୟ ୪୪ ରନ୍‌ରେ ଅପରାଜିତ ଥିଲେ। ଉଭୟ ଶାନ୍ତନୁ ଓ ବିପ୍ଳବ ଅଧିକ ସମୟ କ୍ରିଜରେ ତିଷ୍ଠି ରହି ଓଡ଼ିଶା ପାଇଁ ବଡ ଇନିଂସ୍‌ ସୃଷ୍ଟି କରିବେ ବୋଲି ଆଶା କରାଯାଉଥିଲା। ଶାନ୍ତନୁ ୧୬୭ ବଲ୍‌ରୁ ଓ ବିପ୍ଳବ ୧୩୩ ବଲ୍‌ରୁ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ଦଳୀୟ ସ୍କୋର ୩୧୦ରନ୍‌ ହୋଇଥିବା ବେଳେ ବିପ୍ଳବ ୫୦ରନ୍‌ରେ ବିଜୟ ଶଙ୍କରଙ୍କ ବଲ୍‌ରେ ଉଇକେଟ କିପର ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ବିପ୍ଳବଙ୍କ ଉଇକେଟ ପରେ ଉଇକେଟ କିପର ରାଜେଶ ଧୂପର କ୍ରିଜକୁ ଆସିଥିଲେ। ରାଜେଶ ଓ ଶାନ୍ତନୁ ନବାଗତ ଖେଳାଳି ହୋଇଥିବାରୁ ତାମିଲନାଡୁ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସହ ଓଡ଼ିଶାକୁ କମ୍‌ ରନ୍‌ରେ ସୀମିତ ରଖିଦେବ ବୋଲି ଆଶା କରାଯାଉଥିଲା। ମାତ୍ର ଘରୋଇ ମାଟିରେ ଏହି ଦୁଇ ଖେଳାଳି ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଶାନ୍ତନୁ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ ଜାରି ରଖିବା ବେଳେ ରାଜେଶ ସହଜରେ ବଡ ସଟ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା। ଓଡ଼ିଶାର ସ୍କୋର ୩୫୨ ହୋଇଥିବା ବେଳେ ଶାନ୍ତନୁ ୱାଶିଂଟନ୍‌ ସୁନ୍ଦରଙ୍କ ୩ୟ ଶିକାର ପାଲଟିଥିଲେ। ୨୩୨ ବଲ୍‌ରୁ ୭୧ରନ୍‌ କରିଥିବା ଶାନ୍ତନୁ ବାବା ଇନ୍ଦ୍ରଜିତଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଗୋଟିଏ ପାର୍ଶ୍ୱରେ ରାଜେଶ ତିଷ୍ଠି ରହିଥିବା ବେଳେ ଶାନ୍ତନୁ ଶେଷ ବ୍ୟାଟ୍ସମ୍ୟାନ ଭାବେ ପଡ଼ିଆ ଛାଡ଼ିଥିଲେ। ପରେ ଓଡ଼ିଶା ଅଲରାଉଣ୍ଡର ଏବଂ ବୋଲରଙ୍କୁ ନେଇ ଆଗକୁ ବଢ଼ିଥିଲା। ରାଜେଶଙ୍କ ସହ ଉତ୍ତମ ଭାଗୀଦାରି ସୃଷ୍ଟି କରିଥିଲେ ଅଲରାଉଣ୍ଡର ଆଲୋକ ସାହୁ। ଶାନ୍ତନୁ ଓ ଆଲୋକଙ୍କ ମଧ୍ୟରେ ୬୨ରନ୍‌ ଭାଗିଦାରୀ ହୋଇଥିଲା। ଆଲୋକ ୬୬ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ବଳରେ ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଓଡ଼ିଶାର ସ୍କୋର ୪୧୪ ହୋଇଥିବା ବେଳେ ଦଳ ୭ଟି ଉଇକେଟ ହରାଇ ସାରିଥିଲା। ପରେ କ୍ରିଜକୁ ଓହ୍ଲାଇଥିବା ପେସ୍‌ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ନିଜ ବ୍ୟାଟିଂର ଚମତ୍କାରିତା ଦେଖାଇଥିଲେ। ତାମିଲନାଡୁ ବୋଲରଙ୍କୁ ସୂର୍ଯ୍ୟକାନ୍ତ ସହଜରେ ବଡ଼ ଶଟ୍‌ ମାରିଥିଲେ। ଇତିମଧ୍ୟରେ ୧୬୯ ବଲ୍‌ରୁ ରାଜେଶ ନିଜ ଅର୍ଦ୍ଧଶତକ ପୂରଣ କରି ସାରିଥିଲେ। ଦଳୀୟ ସ୍କୋର ୪୭୨ ହୋଇଥିବା ବେଳେ ସୂର୍ଯ୍ୟକାନ୍ତ ୩୯ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ବଳରେ ୪୩ରନ୍‌ କରି ଆଉଟ୍‌ ହୋଇଥିଲେ। ରାଜେଶ ପରବର୍ତ୍ତୀ ସମୟରେ ବଡ୍‌ ଶଟ ମାରିବା ଆରମ୍ଭ କରିଥିଲେ। ସୂର୍ଯ୍ୟକାନ୍ତଙ୍କ ଉଇକେଟ ପରେ କ୍ରିଜ୍‌କୁ ଆସିଥିବା ବସନ୍ତ ମହାନ୍ତି ଓ ରାଜେଶଙ୍କ ମଧ୍ୟରେ ଯେଉଁ ଭାଗୀଦାରି ହୋଇଥିଲା ତାହା ଓଡ଼ିଶାକୁ ଅଗ୍ରଣୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଉଭୟ ଓଡ଼ିଶାର ସ୍କୋରକୁ ୫୨୫ରନ୍‌ରେ ପହଞ୍ଚାଇ ଦେଇଥିଲେ। ତାମିଲନାଡୁ ଦଳର ସ୍କୋର ଠାରୁ ୫ରନ୍‌ ପଛରେ ରହିଥିବା ବେଳେ ରାଜେଶ ଦୁର୍ଭାଗ୍ୟବଶତଃ ୯୭ରନ୍‌ରେ ଆଉଟ୍‌ ହୋଇଥିଲେ। ଅଳ୍ପକେ ଶତକରୁ ବଞ୍ଚିତ ହେବା ସହ ଓଡ଼ିଶାକୁ ଅଗ୍ରଣୀ କରାଇବା ପୂର୍ବରୁ ସେ ପ୍ୟାଭିଲିୟନ ଫେରିଯାଇଥିଲେ। ରାଜେଶ ୨୨୫ ବଲ୍‌ରୁ ୧୨ଟି ଚୌକା ଓ ୨ଟି ଛକା ବଳରେ ୯୭ରନ୍‌ କରି ୱାଶିଂଟନ୍‌ଙ୍କ ୪ର୍ଥ ଶିକାର ହୋଇଥିଲେ। ତେବେ କ୍ରିଜରେ ଥିବା ବସନ୍ତ ଅନ୍ତିମ ଉଇକେଟ ଯୋଡ଼ିରେ ଧୀରଜ ସିଂଙ୍କ ସହ ମିଶି ଓଡ଼ିଶାକୁ ବହୁ ପ୍ରତିକ୍ଷୀତ ଇନିଂସ ଅଗ୍ରଣୀ କରାଇଥିଲେ। ବସନ୍ତ ୨୩ଟି ବଲ୍‌ରୁ ୧୮ ଓ ଧୀରଜ ୬ଟି ବଲ୍‌ରୁ ୨ରନ୍‌ରେ ଅପରାଜିତ ଥିଲେ।