ଉଭୟ ଏପିଏଲ୍ ଓ ବିପିଏଲ୍ ବର୍ଗଙ୍କ ପାଇଁ ଉପଲବ୍ଧ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

0
81

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ସମ୍ପ୍ରସାରିତ କରାଯାଇଛି । ସମସ୍ତ ସରକାରୀ ମେଡିକାଲ କଲେଜରେ ଏଣିକି ସବୁ ବର୍ଗଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଚଳିତ ବର୍ଷ ଫେବ୍ରୁଆରୀ ପହିଲାରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।ଏହି ମାଗଣା ଚିକିତ୍ସା ସୁବିଧା ଉଭୟ ଏପିଏଲ୍ ଓ ବିପିଏଲ୍ ବର୍ଗଙ୍କ ପାଇଁ ଉପଲବ୍ଧ ହେବ । ସେହିଭଳି ସେମାନଙ୍କୁ ମଧ୍ୟ ରକ୍ତ ଭଣ୍ଡାରରେ ମାଗଣା ରକ୍ତ ମିଳିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମାଗଣା ଚିକିତ୍ସା ସୁବିଧା ଗାଁ ସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପର୍ଯ୍ୟନ୍ତ ରହିଥିଲା । ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା । ୫ ମାସ ମଧ୍ୟରେ ଏହି ଯୋଜନାରେ ୨.୨୫ କୋଟି ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଏସ୍କେୱାଇରେ ସ୍ୱାସ୍ଥ୍ୟ ସେବା ଜିଲ୍ଲା ମୁଖ୍ୟାଳୟରେ ରହିଥିଲା । ବିନା ମୂଲ୍ୟରେ ଚିକିତ୍ସା ସୁବିଧା ପାଇଁ କୌଣସି ଆୟ ବା ବାସସ୍ଥାନ କିମ୍ବା ଅନ୍ୟ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ । ରୋଗୀଙ୍କୁ ଅସ୍ତ୍ରୋପଚାର, ଆଇସିୟୁ ସୁବିଧା ବିନା ମୂଲ୍ୟରେ ପ୍ରଦାନ କରାଯିବ । ଏଥିଲାଗି ସରକାର ରାଜ୍ୟ ବଜେଟ୍ରେ ୧୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଛନ୍ତି । ସେହିଭଳି ଘରୋଇ ହସ୍ପିଟାଲରେ ୭୦ ଲକ୍ଷ ପରିବାରଙ୍କୁ ବାର୍ଷିକ ୫ ଲକ୍ଷ (ପୁରୁଷଙ୍କ କ୍ଷେତ୍ରରେ) ଏବଂ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଏବେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ପରିସରକୁ ଅଣାଯାଇ ସରକାର ଏକ ନୂଆ ମାଇଲ୍ଖୁଣ୍ଟ ସ୍ଥାପନ କରିଛନ୍ତି ।ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଘୋଷଣା କରିଥିବା ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହୋଇନଥିଲା । ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହୋଇଥିଲେ ବହୁ ହିତାଧିକାରୀ ବାଦ୍ ପଡିଥାନ୍ତେ । ଏଥିଲାଗି ରାଜ୍ୟ ସରକାର ନିଜସ୍ୱ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ଏବେ ଏହି ଯୋଜନାରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here