କାଳବୈଶାଖୀ ପ୍ରଭାବରେ ଛିଡ଼ିଲା ତାର, ଅଧାବାଟରେ ଅଟକିଲା ଟ୍ରେନ୍‌

0
140

ଭୁବନେଶ୍ୱର:ଆଜି ରାଜ୍ୟରେ କାଳବୈଖାଖୀ ପ୍ରବାହରେ ପ୍ରବଳ ବର୍ଷା ହେବା ସହ ପବନ ଓ ଘଡ଼ଘଡ଼ି ହୋଇଛି। କାଳବୈଶାଖୀ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହେବା ସହ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ ହୋଇଛି। ଅଧିକ ଜୋରରେ ପବନ ହୋଇଥିବାରୁ ଟ୍ରେନ୍ ଲାଇନ୍ ଗୁଡ଼ିକ ଉପରେ ବିଦ୍ୟୁତ ତାର ଛିଡ଼ି ପଡ଼ିଛି। ଆଉ କିଛି ସ୍ଥାନରେ ସିଗନାଲ୍ କାମ କରୁ ନଥିବା ସୂଚନା ମିଳିଛି। ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନ୍ ଉପରେ ତାର ଛିଡ଼ି ପଡ଼ିଛି। ଫଳରେ କଟକ-ପୁରୀ ସଟଲ୍ ଟ୍ରେନ ଅଟକି ରହିଛି। ଟ୍ରେନଟି ଦୀର୍ଘ ଅଢ଼େଇ ଘଣ୍ଟା ଅଟକି ରହିବା ପରେ ଯାତ୍ରୀମାନଙ୍କୁ ଶେଷରେ ଭୁବନେଶ୍ୱର ଚାଲି ଚାଲି ଆସିଥିବା ଜଣା ପଡ଼ିଛି।

ବର୍ଷା, ପବନ ଯୋଗୁଁ କିଛି ଟ୍ରେନ ବିଳମ୍ବରେ ଚାଲିଥିବାବେଳେ ଆଉ କିଛି ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱରରେ ଅନୁଗୁଳ-ପୁରୀ ପାସେଞ୍ଜର ଅଟକି ରହିଛି। ସେହିପରି ମଞ୍ଚେଶ୍ୱରରେ ଟାଟା-କାଚେଗୁଡ଼ା, ତାଳଚେର-ପୁରୀ ଟ୍ରେନ ଅଟକି ରହିଛି। ବାରଙ୍ଗରେ ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର ଅଟକିଛି। ରେତଙ୍ଗରେ ପୁରୀ-କଟକ, ଖୋର୍ଦ୍ଧାରେ ପଲାସା-କଟକ ପାସେଞ୍ଜର ନିରାକାରପୁରରେ ଅଟକି ରହିଛି। ବେଙ୍ଗଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ ପୁରୀରୁ ଏଯାଏଁ ଛାଡ଼ି ନାହିଁ।

ସେହିପରି ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ କଟକ-ପାରାଦୀପ-କଟକ ପାସେଞ୍ଜର ଉଭୟ ପଟୁ ବାତିଲ କରାଯାଇଛି। କଟକ-ଭଦ୍ରକ-କଟକ ପାସେଞ୍ଜର ଉଭୟ ପଟୁ ବାତିଲ କରାଯାଇଛି। ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ-ବ୍ରହ୍ମପୁର ମଧ୍ୟରେ ବାତିଲ କରାଯାଇଛି। ପଲାସା-କଟକ ପାସେଞ୍ଜର ମଞ୍ଚେଶ୍ୱର-କଟକ ମଧ୍ୟରେ ବାତିଲ କରାଯାଇଛି। ସେହିପରି ପଲାସା-କଟକ ପାସେଞ୍ଜର ମଞ୍ଚେଶ୍ୱର ଯାଏଁ ଯିବ।ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ ଯାଏ ଯାଇ ଫେରିବ।

ଟ୍ରେନ ବାତିଲ ଓ ବିଳମ୍ବ ଯୋଗୁଁ ଯାତ୍ରୀମାନଙ୍କୁ ହଇରାଣ ହରକତ ହେବାକୁ ପଡ଼ିଛି। ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରି ରେଲୱେ ଷ୍ଟେସନରେ ବସି ରହିଛନ୍ତି।

LEAVE A REPLY

Please enter your comment!
Please enter your name here