ଟଙ୍କା ପାଇଁ ବୃଦ୍ଧଙ୍କୁ ହତ୍ୟା ପରେ ଆଖି ତାଡିଦେଲେ ପୁଅ, ନାତି

0
83

ତାଳଚେର : କୁହାଯାଏ ପିତା-ମାତା ହେଉଛନ୍ତି ଚଳନ୍ତି ଠାକୁର । ସେମାନଙ୍କ ସେବା ଠିକ୍ ଭାବେ କରିପାରିଲେ ଜୀବନ ଧନ୍ୟ ହୋଇଥାଏ । ବୃଦ୍ଧ ବୟସରେ ଜନ୍ମକଲା ପୁଅ ସାହାରା ପାଲଟିଥାଏ । ହେଲେ ସେହି ପୁଅ ଯଦି ରକ୍ଷକ ବଦଳରେ ଭକ୍ଷକ ସାଜେ ଓ ସାମାନ୍ୟ କିଛି ଟଙ୍କା ପାଇଁ ବାପାକୁ ନିର୍ଦ୍ଦୟ ଭାବେ ହତ୍ୟା କରେ ତେବେ ସେହିପୁଅକୁ ପିଶାଚ ଛଡ଼ା ଆଉ କ’ଣ କୁହାଯାଇପାରେ । ଏପରି ଏକ ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଘଟିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ପୋଲିସ ଏହି ଘଟଣାରେ ହତ୍ୟାକାରୀ ପୁଅ ଓ ନାତିକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ସନ୍ଥପଡ଼ା ଗ୍ରାମର ୮୫ ବର୍ଷୀୟ ଗୌର ନାୟକଙ୍କୁ । ତାଙ୍କର ପୁଅ ଗଦାଧର ଓ ନାତି ଦେବବ୍ରତ ଟଙ୍କା ପାଇଁ ହତ୍ୟା କରିବା ପରେ ତାଙ୍କର ୨ ଆଖିକୁ ତାଡିଦେଇଛନ୍ତି । ଶନିବାର ଗଦାଧର ଓ ଦେବବ୍ରତ ଗୌରଙ୍କୁ କିଛି ଟଙ୍କା ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେଇଥିଲେ । ଏଥିରେ ଉଭୟ ଗଦାଧର ଓ ଦେବବ୍ରତ କ୍ଷୁବ୍ଧ ହେବା ସହ ଗୌରଙ୍କୁ ଅତି ବିଭତ୍ସଭାବେ ହତ୍ୟା କରିଥିଲେ । ପରେ ତାଙ୍କର ଦୁଇଆଖିକୁ ତାଡି ଦେଇଥିଲେ । ତେବେ ବାପାଙ୍କ ଶବକୁ ପୁଅ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା । ରବିବାର ସକାଳେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିବା ସହ ମୃତ ଗୌରଙ୍କ ଶବ ବ୍ୟବଛେଦ ପାଇଁ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି । ଏ ନେଇ ତାଳଚେର ଥାନାରେ କେସ୍ ନମ୍ବର ୨୨୨/୧୮ ଦଫା ୩୦୨ରେ ଏକ ମାମଲା ରୁଜୁ ହୋଇଛି । ଉଭୟ ଗଦାଧର ଓ ଦେବବ୍ରତଙ୍କୁ ପୋଲିସ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି । ସାମାନ୍ୟ କେତେକ ଟଙ୍କା ପାଇଁ ବୃଦ୍ଧ ବାପାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here