୧୧ଜଣଙ୍କ ବୋଝ ବୋହୁଛନ୍ତି ସୋମନାଥ

0
87

ମହାଦେଇଯୋଡ଼ା : ‘ସବୁ ଠିକ୍ ଠାକ୍ ଚାଲଥିଲା, ଚାଷବାସ କଳିମଜୁରୀ କରି ଚଳୁଥିଲେ । ହେଲେ ସେହି କାଳରାତି ଆମ ପରିବାରକୁ ଉଜାଡ଼ି ଦେଲା । ନିଶାସକ୍ତ ଦଳେ ଯୁବକଙ୍କ ବାପା-ମାଙ୍କୁ କାଠ ହାଣିଲା ଭଳି ହାଣି ଦେଲେ, ବଡଭାଇଙ୍କୁ ତୀରମାରି ମୁମୂର୍ଷୁ ଅବସ୍ଥାରେ ପକାଇଦେଲେ । ଭଉଣୀର ମୁହଁ ମୁଣ୍ଡ ଚାରିପଟ ହାଣି ଛାତିରେ ଚଢ଼ି ପଞ୍ଜରା ଭାଙ୍ଗିଦେଲେ । ମୁଁ କେବଳ ଅନ୍ୟ ଏକ ସାହିରେ ଥିବାରୁ ବଞ୍ଚି ଗଲି’ ଏଭଳି କାହାଣୀ କୋହଭରା କଣ୍ଠରେ ବଖାଣି ଥିଲେ ସୋମନାଥ ପ୍ରଧାନ । ତାଙ୍କ ପରିବାରର ପ୍ରାୟ ସମସ୍ତେ ଅକର୍ମଣ୍ୟ ହୋଇ ଘରେ ପଡିଛନ୍ତି । ବଡ ଭାଇ ମଙ୍ଗଳସିଂ ପ୍ରଧାନ ଶରବିଦ୍ଧ ଅବସ୍ଥାରେ ଉଦ୍ଧାର ହୋଇ କଟକ ଏବଂ କେନ୍ଦୁଝର ମେଡିକାଲରେ ମାସାଧିକ କାଳ ଚିକିତ୍ସାପରେ କେବଳ ଘରେ ପଙ୍ଗୁ ହୋଇ ପଡିରହିଛନ୍ତି । ସାନ ଭଉଣୀ ସୁଭଦ୍ରାଙ୍କ ବିବାହ ଠିକ୍ ହୋଇଥିଲା । ହେଲେ ଏ ପ୍ରକାର ଅଘଟଣ ତାଙ୍କ ଜୀବନର ଗତିପଥକୁ ପୂରା ବଦଳାଇ ଦେଇଥିଲା । ମୁହଁ, ପାଟି, ମୁଣ୍ଡ ସବୁଆଡେ ହାଣ ଖାଇ ପଞ୍ଜରା ହାଡ଼ ଓ ଦାନ୍ତ ଭାଙ୍ଗି ଯିବାରୁ ବିକୃତ ଚେହେରା ବିବାହରେ ପ୍ରତିବନ୍ଧକ ସାଜିଥିଲା ।
ଛ’ଛଟି କୁନି ଛୁଆ, ନିଜେ ସ୍ୱାମୀ ସ୍ତ୍ରୀ, ଭାଇ ଭାଉଜ ଭଉଣୀଙ୍କ ଦାୟିତ୍ୱ ସୋମନାଥଙ୍କ ମୁଣ୍ଡରେ । ପିଲାଙ୍କ ପାଠ ପଢା କଥା ପଚାରେ କିଏ ପ୍ରତିଦିନ ସମସ୍ତଙ୍କୁ ଦିଓଳି ଖାଇବାକୁ ଦେବା ମଧ୍ୟ କଷ୍ଟକର । ବାଧ୍ୟ ହୋଇ ସୋମନାଥଙ୍କ ବଡଝିଅ ୧୨ ବର୍ଷରେ ପାଠ ଛାଡି ଛେଳି ଚରାଉଛି । କାରଣ ଛେଳି ଚାଷ ରୋଜଗାରର ମୁଖ୍ୟ ପନ୍ଥା । ସୋମନାଥଙ୍କ ବାପା ବାମିଆ ଝାଡ଼ଖଣ୍ଡ ଅଞ୍ଚଳରୁ ଛୋଟବେଳୁ ଫୁଲଝର ପଞ୍ଚାୟତ ରଙ୍ଗାମାଟିଆ ସାହିକୁ ଗୋରୁ ଚରାଳି ଭାବେ କାମ କରିବାକୁ ଆସି ରହିଯାଇଥିଲେ । ପରେ ଜମିବାଡି କିଣି ସ୍ଥାୟୀ ଭାବେ ରହିଆସୁଛନ୍ତି । ବାମିଆଙ୍କୁ ପଞ୍ଚାୟତ ତରଫରୁ ଏକ ଘର ମିଳିଥିଲେ ମଧ୍ୟ ତାଙ୍କ ମୃତୁ୍ୟ ପରେ ତାହା ଅଧାରେ ରହିଛି । ବିଲ୍ ମିଳିଲେ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରନ୍ତା ମାତ୍ର ବ୍ଲକକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ଶୁଣୁନାହାଁନ୍ତି ବୋଲି ଦୁଃଖରେ କହିଛନ୍ତି ସୋମନାଥ । ପରିବାର ଉପରେ ଏତେ ବଡ ବିପତ୍ତି ପଡିଥିଳେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ସହାୟତା ନମିଳିବା ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ପ୍ରଶାସନ ତୁରନ୍ତ ସୋମନାଥଙ୍କ ପିରବାରକୁ ସହାୟତା କରିବାକୁ ନିବେଦନ କରାଯାଇଛି ।
ରଙ୍ଗାମାଟିଆ ଗାଁରେ ଘଟିଥିବା ଲୋମହର୍ଷକ ଡବଲ୍ ମର୍ଡର ଘଟଣାର ମୁଖ୍ୟ କାରଣ ହାଆଣୀ ସନେ୍ଦହ । ସାହିର ଜଣେ କିଡ୍ିନ୍ ରୋଗୀର ମୃତୁ୍ୟ ପାଇଁ କେତେକ ବ୍ୟକ୍ତି ବାମିଆ ଓ ତାଙ୍କ ସ୍ତ୍ରୀ ଗାଙ୍ଗୀଙ୍କୁ ଦାୟି କରିଥିଲେ । ସେମାନେ ଶବ ସକ୍ରାର କରିବା ପରେ ବାମିଆଙ୍କ ପରିବାର ଉପରେ ଆକ୍ରମଣ କରି ରକ୍ତର ହୋଲି ଖେଳିଥିଲେ । ଆଉ ସାରା ରାତି ଆକ୍ରମଣ ଚାଲିଥିଲା । ରାତିର ଘଟଣାକୁ କେହି ଜାଣି ପାରିଲେନାହିଁ । ଦୁଇଜଣ ମରି ସାରିଥିବାବେଳେ ଭାଇଭଉଣୀ ଚେତାଶୁନ୍ୟ ଅବସ୍ଥାରେ ସକାଳ ପର୍ଯ୍ୟନ୍ତ ପଡିଥିଲେ । ଏହି ହୃଦୟ ବିଦାରକ ଘଟଣାକୁ ଜାଣିଲେ ମଧ୍ୟ କେହି ସାହାଯ୍ୟ କରିବାକୁ ସାହସ କରିନଥିଲେ । ତେବେ ଏହି ଅଞ୍ଚଳରୁ ଅନ୍ଧବିଶ୍ୱାସ ଦୂର କରିବାକୁ ହେଲେ ସରକାରଙ୍କ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ପୀଡ଼ିତ ପରିବାରର ଆର୍ଥିକ ବିକାଶ କରାଗଲେ ପରିସ୍ଥିତିରେ ଉନ୍ନତି ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here