ରାଉରକେଲା ବାଲୁଘାଟଠାରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ହୋଲସେଲ ମାର୍କେଟ କମ୍ପଲେକ୍ସ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁ ସ୍ଥଗିତ ରହିଛି:ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର

0
502

ରାଉରକେଲା:ବାଲୁଘାଟଠାରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ହୋଲସେଲ ମାର୍କେଟ କମ୍ପଲେକ୍ସ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି କମିଶନଙ୍କ ହସ୍ତକ୍ଷେପ ଯୋଗୁ ସ୍ଥଗିତ ରହିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତରରେ ଏ କଥା କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ।

ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ବାଲୁଘାଟଠାରେ ୯୮ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ହୋଲସେଲ ମାର୍କେଟ କମ୍ପଲେକ୍ସ ନିର୍ମାଣ ପାଇଁ ୨୦୧୪ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ।

ତେବେ ମାର୍କେଟ କମ୍ପଲେକ୍ସ ନିର୍ମାଣ ତ ଦୂରର କଥା, ଏଯାବତ ଏହାର ପାଚେରୀ ନିର୍ମାଣ ସରିନାହିଁ । ସମବାୟ ମନ୍ତ୍ରୀ ତାଙ୍କ ଉତରରେ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରକଳ୍ପର ପ୍ରାଚୀର ନିର୍ମାଣ ଲାଗି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଭାରତ ସରକାରଙ୍କ ଏସଟି କମିଶନଙ୍କ ନିର୍ଦ୍ଦେଶ କ୍ରମେ ୨୦୧୭ ନଭେମ୍ବର ମାସରେ ଏହି ପ୍ରକଳ୍ପର ପ୍ରାଚୀର ନିର୍ମାଣ କାମ ସ୍ଥଗିତ ରହିଛି ।

ଏହି ପ୍ରକଳ୍ପ ଲାଗି ସାଢ଼େ ୪ ବର୍ଷ ଦଳେ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଥିବା ବେଳେ କେବେସୁଦ୍ଧା ଏହାର ଉଦଘାଟନ ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଶ୍ରୀ ରାୟ ସିଧାସଳଖ ପ୍ରଶ୍ନ ପଚାରିଥିଲେ ମଧ୍ୟ ସମବାୟ ମନ୍ତ୍ରୀ ଏହା ଉପରେ କୌଣସି ଉତର ରଖିନାହାନ୍ତି ।

ଉଲ୍ଲେଖନୀୟ ଯେ ସୁନ୍ଦରଗଡ଼ର ସାଂସଦ ଜୁଏଲ ଓରାମ ଏବେ କେନ୍ଦ୍ର ସରକାରରେ ଅନୁସୂଚିତ ଜନଜାତି ବ୍ୟାପାର ମନ୍ତ୍ରୀ ଥିବା ବେଳେ ତାଙ୍କ ବିଭାଗର କମିଶନ ଏହି ମାର୍କେଟ କମ୍ପଲେକ୍ସ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ।

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚକୁ ମେଡ଼ିକାଲ କଲେଜରେ ପରିଣତ କରିବା ସଂକ୍ରାନ୍ତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ବେଳେ ରାଉରକେଲାରେ ରାଜ୍ୟ ସରକାରଙ୍କ ଅନ୍ୟ ଏକ ପ୍ରକଳ୍ପ ନିର୍ମାଣ ଉପରେ କେନ୍ଦ୍ରୀୟ ସଂସ୍ଥାର ପ୍ରତିବନ୍ଧକ ଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ବିଧାୟକ ଶ୍ରୀ ରାୟ ଏକ ବିବୃତିରେ ଆପୋଷ ଆଲୋଚନା ଭିତିରେ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here