ଜାତୀୟତା କୌଣସି ଧର୍ମକୁ ନେଇ ଉଦ୍ଦିଷ୍ଟ ନୁହେଁ:ପ୍ରଣବ ମୁଖାର୍ଜୀ

0
83

ନାଗପୁର,: ଧର୍ମ, ଆଞ୍ଚଳିକବାଦ୍, ଘୃଣା ଓ ଅସହିଷ୍ଣୁତା ଆମର ଜାତୀୟ ପରିଚୟକୁ ଗୌଣ କରିଦେବ । ବିବିଧତା ମଧ୍ୟରେ ଏକତା ହେଉଛି ଆମର ବିଶେଷତ୍ତ୍ୱ । ଭାରତର ଆତ୍ମା ସହନଶୀଳତା ଓ ବିବିଧତା ମଧ୍ୟରେ ରହିଛି । ଭାରତର ରାଷ୍ଟ୍ରବାଦ ବସୁଦେବ କୁଟୁମ୍ବକମ୍ ଉପରେ ପର୍ଯ୍ୟବେସିତ । ଏହି ଚିନ୍ତାଧାରା ଶହ ଶହ ବର୍ଷ ଧରି ଦେଶରେ ରହିଛି ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନାଗପୁରରେ ଅନୁଷ୍ଠିତ ଆର୍ଏସ୍ଏସ୍ର ଶିକ୍ଷା ବର୍ଗ ସମ୍ମିଳନୀରେ ମତ ଦେଇଛନ୍ତି । ଆର୍ଏସ୍ଏସ୍ ସମ୍ମିଳନୀରେ ଶ୍ରୀ ମୁଖାର୍ଜୀ ଯୋଗଦେବା ନେଇ ଦୀର୍ଘଦିନ ହେବ ଭିନ୍ନ ଭିନ୍ନ ମହଲରେ ଭିନ୍ନ ଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଏହି ସମ୍ମିଳନୀରେ ଯୋଗନଦେବା ନେଇ କଂଗ୍ରେସ ସମେତ ଅନ୍ୟାନ୍ୟ ଧର୍ମନିରପେକ୍ଷ ଦଳ ଶ୍ରୀ ମୁଖାର୍ଜୀଙ୍କୁ ଅନୁରୋଧ କରିଥିଲେ । ଏପରିକି ପ୍ରଣବଙ୍କ ଝିଅ ଶର୍ମାଷ୍ଠା ଏହି ସମ୍ମିଳନୀରେ ଯୋଗନଦେବା ଲାଗି ପରୋକ୍ଷରେ ଅନୁରୋଧ କରିଥିଲେ । କିନ୍ତୁ ଶେଷରେ ଶ୍ରୀ ମୁଖାର୍ଜୀ ଏଥିରେ ଯୋଗଦେଇ ଜାତୀୟତା, ଗଣତନ୍ତ୍ର ଓ ସମ୍ବିଧାନ ସମ୍ପର୍କରେ ଉଦ୍ବୋଧନ ଦେଇଛନ୍ତି । ଶ୍ରୀ ମୁଖାର୍ଜୀ କହିଥିଲେ ଯେ ଜାତୀୟତା ଆଧାରରେ ଆମର ସମ୍ବିଧାନ ତିଆରି ହୋଇଛି । ଗଣତନ୍ତ୍ର ଆମ ପାଇଁ ଉପହାର ନୁହେଁ, ବରଂ ଏହାକୁ ବଜାୟ ରଖିବା ଆମଲାଗି ଏକ କଠିନ କାର୍ଯ୍ୟ । ଭାରତର ସାମାଜିକ ଓ ଅର୍ଥନୀତିକୁ ପରିପ୍ରକାଶ କରିବା ହେଉଛି ସମ୍ବିଧାନର ମୂଳଲକ୍ଷ୍ୟ । କୋଟି କୋଟି ଭାରତୀୟଙ୍କର ଆଶା ଓ ଆକାଂକ୍ଷା ହେଉଛି ଆମ ସମ୍ବିଧାନ । ଆମ ସମ୍ବିଧାନ ଜାତୀୟତାବାଦକୁ ପ୍ରମାଣ କରିଥାଏ । ଜାତୀୟତା କୌଣସି ଧର୍ମକୁ ନେଇ ଉଦ୍ଦିଷ୍ଟ ନୁହେଁ । ଦେଶ ପ୍ରତି ସମର୍ପଣ ଭାବ ହିଁ ଦେଶପ୍ରେମ । ରାଷ୍ଟ୍ରବାଦ ଧର୍ମ, ଜାତି ଓ ଭାଷା ମଧ୍ୟରେ ଆମ ଦେଶ ସୀମିତ ନୁହେଁ । ହିନ୍ଦୁ, ମୁସ୍ଲିମ୍, ଶିଖ୍ ଏକାଠି ହେଲେ ଦେଶ ଗଠନ ହୁଏ । ଭାରତର ଜାତୀୟତା ଏକ ଭାଷା, ଗୋଟିଏ ଅଞ୍ଚଳ ଓ ଏକ ଧର୍ମକୁ ନେଇ ପର୍ଯ୍ୟବେସିତ ନୁହେଁ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହରୁ ଧର୍ମନିରପେକ୍ଷତାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି । ନେହରୁ ତାଙ୍କର ଡିସ୍କଭରି ଅଫ୍ ଇଣ୍ଡିଆ ପୁସ୍ତକରେ ଲେଖିଛନ୍ତି ଯେ ହିନ୍ଦୁ, ମୁସ୍ଲିମ୍, ଶିଖ୍ ଓ ଅନ୍ୟାନ୍ୟ ଗୋଷ୍ଠୀର ଆଦର୍ଶଗତ ସମ୍ମିଶ୍ରଣରେ ଜାତୀୟତା ଗଠନ ହୋଇଛି । ବିବିଧତା ମଧ୍ୟରେ ଏକତା ଏକ ସଂଘର ପରମ୍ପରା । ସମସ୍ତଙ୍କ ପାଇଁ ଭାରତର ଦ୍ୱାର ଖୋଲା ରହିଛି ବୋଲି ସେ କହିଥିଲେ ।
ଶ୍ରୀ ମୁଖାର୍ଜୀ ଆଜି ଆର୍ଏସ୍ଏସ୍ର ମୁଖ୍ୟାଳୟ ନାଗପୁରରେ ପହଞ୍ଚôଥିଲେ । ସେ ଆର୍ଏସ୍ଏସ୍ର ପ୍ରତିଷ୍ଠା କେଶବ ବଳିରାମ ହେଗ୍ଡୱାରଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ତାଙ୍କୁ ଭାରତ ମାତାର ଜଣେ ମହାନ୍ ସନ୍ତାନ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ପ୍ରତି ସେ ସମ୍ମାନ ପ୍ରକଟ କରିଛନ୍ତି । ଆର୍ଏସ୍ଏସ୍ ମୁଖ୍ୟାଳୟରେ ସଂଘ ପରିଚାଳକମାନେ ଶ୍ରୀ ମୁଖାର୍ଜୀଙ୍କୁ ଭବ୍ୟ ସ୍ୱାଗତ ଦେଇଥିଲେ । ଏଥିରେ ମୋହନ ଭଗବତଙ୍କଠାରୁ ଆରମ୍ଭ କରି ବରିଷ୍ଠ ଆର୍ଏସ୍ଏସ୍ ନେତାମାନେ ଉପସ୍ଥିତ ଥିଲେ । ଏହି ସମାରୋହରେ ମୋହନ ଭଗବତ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଆମ ନିମନ୍ତ୍ରଣକୁ ରକ୍ଷା କରି ତାଙ୍କର ଉଦାର ମନୋଭାବର ପରିଚୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here