ପିଡିପି ସହ ମେଣ୍ଟ ଭାଙ୍ଗିବା ପୂର୍ବରୁ ଭାଜପା ୩ ବର୍ଷ ଧରି କ’ଣ କରୁଥିଲା:ମେହବୁବା ମୁଫ୍‌ତି

0
84

ଶ୍ରୀନଗର: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଅଭିଯୋଗକୁ ଖଣ୍ଡନ କରି ରବିବାର କଡ଼ା ଜବାବ ଦେଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ପିଡିପି ସହ ମେଣ୍ଟ ଭାଙ୍ଗିବା ପୂର୍ବରୁ ଭାଜପା ୩ ବର୍ଷ ଧରି କ’ଣ କରୁଥିଲା ବୋଲି ମେହବୁବା ଓଲଟା ପ୍ରଶ୍ନ କରିଛନ୍ତି। ଏହାକୁ ନେଇ କେବଳ ଉପତ୍ୟକାରେ ନୁହେଁ, ବରଂ ଜାତୀୟ ରାଜନୀତି ସରଗରମ ହୋଇଛି।
ପିଡିପି-ଭାଜପା ମେଣ୍ଟ ଭାଙ୍ଗିବା ପରେ ଶାହ ଶନିବାର ପ୍ରଥମଥର ପାଇଁ ଜମ୍ମୁ ଗସ୍ତ କରିଥିଲେ। ସେ କହିଥିଲେ, ପିଡିପି ସବୁ କଥାରେ ଏକପାଖିଆ ନିଷ୍ପତ୍ତି ନେଇ ଜମ୍ମୁ ଓ ଲଦାଖ ଅଞ୍ଚଳକୁ ଅବହେଳା କରୁଥିଲା। ମେହବୁବା ସରକାରଙ୍କ ବିଫଳତା ଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏଭଳି ଅନେକ କାରଣକୁ ନେଇ ଗତ ୧୮ ତାରିଖରେ ଭାଜପା ମେଣ୍ଟ ସରକାରରୁ ଓହରିଯାଇଥିଲା ବୋଲି ଶାହ କହିଥିଲେ। ଏହାକୁ ନେଇ ମେହବୁବା ରବିବାର ଏକାଧିକ ଟୁଇଟ୍‌ କରି ଶାହଙ୍କୁ ସମାଲୋଚନା କରିଛନ୍ତି। ପିଡିପି ଅଧ୍ୟକ୍ଷା ମେହବୁବା ନୀରବତା ଭାଙ୍ଗି କହିଛନ୍ତି, ଶାହଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ। ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମକୁ ପିଡିପି କେବେ ଉଲ୍ଲଂଘନ କରି ନ ଥିଲା। ସରକାରଙ୍କ ସମସ୍ତ ନିଷ୍ପତ୍ତିରେ ଭାଜପା ସାମିଲ ଥିଲା। ଜମ୍ମୁ ଓ ଲଦାଖ ପ୍ରତି କୌଣସି ଭେଦଭାବ କରାଯାଇନାହିଁ। ସରକାରରେ ସାମିଲ ଥିବା ଭାଜପାର ମନ୍ତ୍ରୀମାନେ କ’ଣ କରୁଥିଲେ ତାକୁ ନେଇ ପୂର୍ବତନ ସହଯୋଗୀ ସମୀକ୍ଷା କରୁ ବୋଲି ମେହବୁବା ଜବାବ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here