୧୫ରୁ ବ।ଲେଶ୍ବରରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

0
83

ବାଲେଶ୍ୱର: ଆଜି ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ମାସ ୧୪ ତାରିଖ ସୁଦ୍ଧା ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ କରାଯିବା ଏବଂ ତାହାକୁ ସର୍ବାଗ୍ରେ ସ୍ପଷ୍ଟ ଭାବରେ ସ୍ଥାନିତ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।
ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଅଧିସୂଚନା ନିଦେ୍ର୍ଦଶନାମା ପତ୍ରାଙ୍କ ୭୪୭, ତା ୧ ।୨ ।୨୦୧୮ ଅନୁଯାୟୀ ପ୍ରତ୍ୟେକ ବ୍ୟବସାୟିକ ଅନୁଷ୍ଠାନର ମାଲିକ, ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି ଅଧିନିୟମର କୌଣସି ବ୍ୟବସ୍ଥାର ଉଲ୍ଲଙ୍ଘନ କରନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମ ଥର ଅପରାଧ ନିମନ୍ତେ ଅନୂ୍ୟନ ଏକ ହଜାର ଓ ସର୍ବାଧିକ ପାଂଚ ହଜାର ଏବଂ ଦ୍ୱିତୀୟ ବା ପରବର୍ତୀ ଅପରାଧ ନିମନ୍ତେ ଅନୂ୍ୟନ ଦୁଇହଜାର ଓ ସର୍ବାଧିକ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଅସୁଲ କରାଯିବ । ଏଥି ନିମନ୍ତେ ଜନଚେତନା ଜାଗ୍ରତ କରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ବାଲେଶ୍ୱର ସହରରେ ପ୍ରଚାର କରାଯିବ । ଆଗାମୀ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଏହା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଧାରଣ କରାଯାଇଥିବା ଜଣାଇ ଦିଆଯିବ ।
ଏଥିସହିତ ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ଓ ଭାଷା ସୁରକ୍ଷା ସମ୍ମିଳନୀର କର୍ମକର୍ତ୍ତାମାନଙ୍କ ମାଧ୍ୟମରେ ପିକେଟିଂ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢୀ, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର, ସୋର, ନୀଳଗିରି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ, ସହକାରୀ ଶ୍ରମ ଅଧିକାରୀ, ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ବିମଳ ଜେନା, ସମ୍ପାଦିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ , ଉପସଭାପତି ମମତା ମହାପାତ୍ର ତଥା ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବେହେରା, ପ୍ରଫେସର ପ୍ରହ୍ଲାଦ ଚରଣ ମହାନ୍ତି, ଶରତ ଚନ୍ଦ୍ର ଦାଶ ଏବଂ ଡ. ହରିଶ ଚନ୍ଦ୍ର ବେହେରାଙ୍କ ସମେତ ଉତର ଓଡିଶା ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲ୍ଲା ବଣିକ ସଂଘ, ଔଷଧ ବ୍ୟବସାୟୀ ସଂଘ, ଭୋଜନାଳୟ ସଂଘ, ପେଟ୍ରୋଲ ପମ୍ପ ବିତରକ ସଂଘର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ କୁବେର ବେହେରା ଏହାର ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here