ଗାଁକୁ ଯାଅ: ମୁଖ୍ୟମନ୍ତ୍ରୀ

0
1

ଭୁବନେଶ୍ୱର: ‘ରାଜଧାନୀରେ ନବସି ଗାଁକୁ ଯାଅ, ଲୋକଙ୍କ ସହ ମିଶ, ସେମାନଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନର ପଦକ୍ଷେପ ନିଅ । ଜିଲ୍ଲା ଓ ବ୍ଲକ୍ ସ୍ତରରେ ରହିଥିବା ସରକାରୀ କାର୍ଯ୍ୟାଳୟଗୁଡିକୁ ଅଚାନକ ଗସ୍ତ କର । ସରକାରୀ ସେବା କିଭଳି ଚାଲିଛି ତାହା ତଦାରଖ କର । ଲୋକଙ୍କଠାରୁ ଫିଡ୍ବ୍ୟାକ୍ ନିଅ ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳି ସରକାର ଗଠନର ପ୍ରାୟ ଦେଢ ମାସ ପରେ ତାଙ୍କ ମନ୍ତ୍ରିପରିଷଦର ସଦସ୍ୟମାନଙ୍କୁ ଏଭଳି ନିଦେ୍ର୍ଦଶ ଓ ପରାମର୍ଶ ଦେଇଛନ୍ତି । ସରକାରଙ୍କୁ ଗତିଶୀଳ ଓ ପ୍ରଶାସନକୁ ପ୍ରଭାବିତ କରିବା ସକାଶେ ମନ୍ତ୍ରୀମାନଙ୍କର ଲୋକ ସମ୍ପର୍କ ଏକାନ୍ତ ଜରୁରୀ ବୋଲି ବୁଝାଇ ଦେଇଛନ୍ତି ନବୀନ । ଏଥିସହିତ ସେ ଗତ ଏକମାସ ମଧ୍ୟରେ ମନ୍ତ୍ରୀମାନେ ଯେଭଳି କାର୍ଯ୍ୟ କରିଛନ୍ତି ଓ ରିପୋର୍ଟ ଦାଖଲ କରିଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ଖୁସି ହୋଇଛନ୍ତି ।
ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର ଏକ ବୈଠକ ଡକାଇ ଥିଲେ । ବୈଠକରେ ଗୋଟିଏ ଦୁଇଟି ବିଷୟ ଉପରେ ନିଷ୍ପତ୍ତି ବ୍ୟତୀତ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେବା ଥିଲା ମୁଖ୍ୟମନ୍ତ୍ରୀଙ୍କର ଉଦେ୍ଦଶ୍ୟ । ବୈଠକର ନିଷ୍ପତ୍ତି ଅନୁଯାୟୀ ସରକାର କାଳିଆ ଯୋଜନାରେ ସହାୟତା ସକାଶେ ଆପଦକାଳୀନ ପାଣ୍ଠିରୁ ଉଠାଇଥିବା ଅର୍ଥ ତୁରନ୍ତ ଭରଣା କରିବେ । ଆଜି ରାଜ୍ୟ ସଚିବାଳୟରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବଜେଟ୍ ଅଧିବେଶନରେ ରାଜ୍ୟ ସରକାର ବଜେଟ୍ ବ୍ୟୟବରାଦରେ କିଛି ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷକରି କେନ୍ଦ୍ର ଗ୍ରାମ୍ୟସଡକ ଯୋଜନା, ଜାତୀୟ ରାଜପଥ ଓ କେନ୍ଦ୍ର ସାମାଜିକ ନିରାପତ୍ତା ସୁରକ୍ଷା ଯୋଜନା ଭଳି କେତେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ଅର୍ଥକାଟ କରିଥିବାରୁ ଏହିସବୁ ଯୋଜନା ଚାଲୁ ରଖିବା ପାଇଁ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ରେ ସଂଶୋଧନ କରିଛନ୍ତି । ସେହିଭଳି କାଳିଆ ଯୋଜନାରେ ରାଜ୍ୟ ସରକାର ଆପଦକାଳୀନ ପାଣ୍ଠିରୁ ଅଗ୍ରୀମ ଆକାରରେ ଅର୍ଥ ଆଣିଥିବାରୁ ତାହାର ଭରଣା କରିବା ପାଇଁ ନିଷ୍ପତ୍ତି ହୋଇଛି । ଅଗଷ୍ଟ ୨ରେ ବିଧାନସଭାରେ ଆପଦକାଳୀନ ପାଣ୍ଠିର ଲେଖା ଅନୁଦାନ ବିଲ୍ ପାରିତ କରାଯିବ । ତା ପୂର୍ବରୁ ଏହି ପ୍ରସ୍ତାବକୁ ପବ୍ଲିକ୍ ଆକାଉଣ୍ଟସ୍ କମିଟି ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି । ମନ୍ତ୍ରିପରିଷଦ ବୈଠକରେ ଏହି ପ୍ରସ୍ତାବଗୁଡ଼ିକ ଅନୁମୋଦନ ଲାଭ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚଳିତ ୫-ଟି’କୁ ଗୁରୁତ୍ୱ ଦେଇ ଲୋକଙ୍କ ସହ ମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଭାଗର କାମ ବିଷୟରେ ମାସିକ ରିପୋର୍ଟ ସେ ପାଇଛନ୍ତି । ଠିକ୍ ସମୟରେ ରିପୋର୍ଟ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ, ସମସ୍ତ ମନ୍ତ୍ରୀ ଅଚାନକ ଗସ୍ତ କରନ୍ତୁ । ଏହାଦ୍ୱାରା ମନ୍ତ୍ରୀମାନେ ବିଭାଗ ବିଷୟରେ ତୃଣମୂଳ ସ୍ତରରେ କିଭଳି କାର୍ଯ୍ୟ ହେଉଛି ତାହା ଜାଣିପାରିବେ । ବିଭାଗର ବିଭିନ୍ନ ଅଫିସ୍ ଓ ଅନୁଷ୍ଠାନଗୁଡ଼ିକରେ ଅଚାନକ ପରିଦର୍ଶନ କରିବା ଦ୍ୱାରା ସରକାରୀ ସେବା ପ୍ରଦାନ ତ୍ୱରାନ୍ୱିତ ହୋଇ ପାରିବ । ଗସ୍ତ ସମୟରେ ସେମାନେ ଲୋକଙ୍କୁ ଭେଟନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସରକାରୀ ସେବା ବିଷୟରେ ହିତାଧିକାରୀଙ୍କ ଠାରୁ ସିଧାସଳଖ ଫିଡ୍ ବ୍ୟାକ୍ ନେବାକୁ ସେ ପରାମର୍ଶ ଦେଇଥିଲେ । ୫-ଟି’ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ ୱାର୍କ, ଟ୍ରାନ୍ସଫରମେସନ୍ ଓ ଟାଇମ୍ ହିଁ ପରିବର୍ତ୍ତନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସମସ୍ତ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦୃଷ୍ଟିଦେବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛତା ଓ ଦକ୍ଷତା ପାଇଁ କମ୍ପୁ୍ୟଟରାଇଜେସନ୍ ଜରୁରୀ । ତେଣୁ ସମସ୍ତ ବିଭାଗ ଯେପରି ଓଶ୍ୱାସ (ଓଏସ୍ଡବ୍ଲୁଏଏସ୍) ଜରିଆରେ ଶତ ପ୍ରତିଶତ କାର୍ଯ୍ୟହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here