ଚାକିରି ପାଇବା ପାଇଁ ସାନଭାଇକୁ ଗୁଳିକରି ହତ୍ୟା !

0
250

ଦେବଗଡ଼: ଦେବଗଡ଼ ପୁରୁଣାଗଡ଼ ନିକଟ ଏସ୍‌ପିଙ୍କ ସରକାରୀ ବାସଭବନ ନିକଟରେ ଶୁକ୍ରବାର ଗୁଳିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେନ୍ଦ୍ର ବଳୁଆ। ତେବେ ରାଜେନ୍ଦ୍ର ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବାପାଙ୍କ ଚାକିରି ପାଇବା ପାଇଁ ବଡ଼ଭାଇ ସାନଭାଇକୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି।  ଦେବଗଡ଼ ଏସ୍‌ପି, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ଦେବଗଡ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି।ସୂଚନାଯୋଗ୍ୟ, ରାଜେନ୍ଦ୍ର ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଘରେ ତାଙ୍କ ବୁଢୀ ମା’ ସହ ରହୁଥିଲେ। ରାଜେନ୍ଦ୍ରଙ୍କ ବଡ଼ଭାଇ ସଚ୍ଚିଦାନନ୍ଦ ବିବାହ କରିବା ପରେ ନିକଟସ୍ଥ ବସାଲଇ ଗ୍ରାମରେ ରହୁଥିଲେ। ରାଜେନ୍ଦ୍ରଙ୍କ ବାପା ବୈଷ୍ଣବ ବଳୁଆ ରେଙ୍ଗାଳି ଡ୍ୟାମ୍‌ ପ୍ରୋଜେକ୍ଟ ଜୋନ୍‌ ଅଫିସରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତରାଧିକାରୀ ଭିତ୍ତିରେ ଚାକିରି ପାଇଁ ଦୁଇଭାଇ ସଚ୍ଚିଦାନନ୍ଦ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଉକ୍ତ ପ୍ରସଙ୍ଗକୁ ନେଇ ଗୁରୁବାର ରାତିରେ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ବୋଲି ତାଙ୍କ ମା’ ପୋଲିସ୍‌ ସମ୍ମୁଖରେ କହିଛନ୍ତି। ମାତ୍ର ଶୁକ୍ରବାର ସକାଳେ ରାଜେନ୍ଦ୍ରଙ୍କ ମୃତଦେହ ଘର ପଛପଟେ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ସଚ୍ଚିଦାନନ୍ଦ ଫେରାର୍‌ ହୋଇଯାଇଛି। ତେଣୁ ସଚ୍ଚିଦାନନ୍ଦ ଗୁଳିକରି ରାଜେନ୍ଦ୍ରଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାସ୍ଥଳରୁ ଦୁଇଟି ଗୁଳି ଜବତ କରି ଅନୁସନ୍ଧାନ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here