ଲୋକଙ୍କ ସୁଃଖଦୁଃଖର ସାଥୀ ହେବା ପାଇଁ କଂଗ୍ରେସର ଗାଁକୁ ଚାଲ ଅଭିଯାନ

0
478

ଭୁନନେଶ୍ୱର: ଆଜିଠାରୁ ଦଳର ନେତାମାନେ ଏକାଠି ହୋଇ ଏହି ଅଭିଯାନ ଚଳାଇଛନ୍ତି । ଏଥିରେ ଓଡ଼ିଶା କଂଗ୍ରେସ ଏକ୍ସପ୍ରେସ ଗାଡ଼ି ବା ରଥ ଏବେ ରାଜ୍ୟବ୍ୟାପୀ ସବୁ ଗାଁ ଓ ବୁଥକୁ ଯିବ । ଏହି ଅଭିଯାନରେ କଂଗ୍ରେସ ଭିତରେ କୌଣସି ଫାଟନାହିଁ କିମ୍ବା ନେତାଙ୍କ ଭିତରେ କିଛି ମତପାର୍ଥକ୍ୟ ନାହିଁ । ଏଭଳି ଏକ ଧାରଣା ସୃଷ୍ଟି କରିବା ପାଇଁ ଏବଂ କଂଗ୍ରେସ ଏକ ବୋଲି ଜଣାଇବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସମସ୍ତ ବିରୋଧାଭାବ ସତ୍ତେ୍ୱ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ସାଥୀରେ ଧରି ବସ୍ରେ ବାହାରିଛନ୍ତି । କାଳେ ଗଣମାଧ୍ୟମରେ କିଛି ଭୁଲ ବାର୍ତ୍ତା ଯିବ କି କୌଣସି ପ୍ରକାର ଭୁଲ ବୁଝାମଣା ହେବ ସେଥିପାଇଁ ଉଭୟ ଏକାଠି ପାଖାପାଖି ଆଗଧାଡ଼ିରେ ବସିଛନ୍ତି । ଦୁଇ ଦିନ ତଳେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ଦଳର ଏସ୍ସି ସେଲ୍ ପଦରୁ ହଟାଇବା ଘଟଣାରେ ନିରଂଜନଙ୍କୁ ଶ୍ରୀକାନ୍ତ ସମାଲୋଚନା କରିଥିଲେ । ଦଳ ଭିତରେ ନିରଂଜନଙ୍କର ଶ୍ରୀକାନ୍ତ ନ ନମ୍ବର ବିରୋଧୀ ଭାବେ ବେଶ ଜଣାଶୁଣା । କିନ୍ତୁ ଏହି ଧାରଣା ଯେପରି ବାହରାକୁ ଆଉ ନ ଯିବ ସେଥିପାଇଁ ନିରଂଜନ ଉଦ୍ୟମ ଚଳାଇଛନ୍ତି । ଗଣେଷ ପୂଜାଦିନ ଶ୍ରୀକାନ୍ତଙ୍କ ବାସଭବନରେ ପହଂଚି ଭୋଜି ଖାଇଥିଲେ ଓ ଆଜି ତାଙ୍କୁ ସାଥୀରେ ଧରି ବାହାରିଛନ୍ତି । କଂଗ୍ରେସର ଏହି ଅଭିଯାନ ସମ୍ପର୍କରେ ନିରଂଜନ କହିଛନ୍ତି, ବିଜେପି-ବିଜେଡି କିଭଳି ଭାବରେ ହେଲିକପ୍ଟରରେ ବୁଲି ପ୍ରଚାର କରୁଛନ୍ତି ତାହା ଲୋକେ ଦେଖୁଛନ୍ତି । ମୋଦି ସରକାର ଓ ରାଜ୍ୟ ସରକାର ଯେଉଁଭଳି ଭାବରେ ଡିଜେଲ-ପେଟ୍ରୋଲ ଦର ବଢ଼ାଇଲେଣି ଆମେ ଆଉ ଗୋଟେ ଗୋଟେ ଗାଡ଼ିରେ ନ ଯାଇ ଏକାଠି ଗୋଟିଏ ବସ୍ରେ ସବୁ ନେତାମାନେ ଏକାଠି ହୋଇ ଯାଉଛୁ । ଏହାର ଉଦ୍ଦେଶ୍ୟ ହେଉଛି ଟିଭି, ଖବରକାଗଜ ମାଧ୍ୟମରେ ଲୋକଙ୍କ ସମସ୍ୟା ଜାଣିବାକୁ ଆମେ ଚାହୁଁନୁ । ଆମେ ଚାହୁଁଛୁ ଲୋକଙ୍କ ପାଖକୁ ଯିବୁ, ଲୋକଙ୍କ ପାଖରେ ପହଂଚିବୁ । ସେ ଗାଁର, ସେ ପଚଂୟତର, ସେ ଅଂଚଳର କଣ ସମସ୍ୟା ଅଛି ତାକୁ ଆମେ ନିଜେ ବୁଝିବୁ ଆଉ ନିର୍ବାଚନ ସମୟରେ ଇସ୍ତାହାର ଦେଲାବେଳେ ତାକୁ ସ୍ଥାନ ଦେବୁ । ଯଦି ଆମେ ଓଡ଼ିଶା ସାରା ବୁଲି ଜାଣିପାରୁବି ତାହାହେଲେ ଆମେ ଯେଉଁ ନିର୍ବାଚନୀ ଇସ୍ତାହାର ତିଆରି କରିବୁ ସେଥିରେ ଆଗାମୀ ଦିନର ପ୍ରସ୍ତୁତି କଣ ହେବ ସେଥିପାଇଁ ଆମେ ବ୍ୟବସ୍ଥା କରିବୁ । ଲୋକଙ୍କ ସୁଃଖଦୁଃଖର ସାଥୀ ହେବା ପାଇଁ ଏହା ହେଉଛି ଆମର ଅଭିଯାନ ବୋଲି ନିରଂଜନ କହିଛନ୍ତି ।
ସେହିପରି ଶ୍ରୀକାନ୍ତ କହିଛନ୍ତି ଗାଁ ଓ ବୁଥ ସ୍ତରକୁ ଯିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସମସ୍ୟା ଜାଣିବା । ଏଥିସହ ଲୋକଙ୍କ ସହ ଆଳାପ ଆଲୋଚନା ବି ହେବ । କେବଳ ସାଧାରଣ ସଭା ନୁହେଁ, ସାଧାରଣ ଲୋକ ବି ଆସି ଭେଟିବେ । ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇପାରିବେ । ଏ ବିଷୟ ଜାଣିଲା ପରେ ଆଗାମୀ ଦିନରେ ଏହା ଆମକୁ କାମରେ ଆସିବ । କିପରି ଭାବରେ ଏ ସମସ୍ୟାର ସମାଧାନ କରାଯିବ । ଆଜି କଂଗ୍ରେସ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଏହା ସାରା ଓଡ଼ିଶାରେ ଚାଲିବ । ବାଲେଶ୍ୱରରୁ ଆରମ୍ଭ ହୋଇଛି । ଏଭଳି ପ୍ରୟାସର କାରଣ ହେଉଛି ଗତ ୧୮ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ଦଳର ଶାସନ ଚାଲିଛି । ସେ ଶାସନରେ ଲୋକେ ହନ୍ତସନ୍ତ ହୋଇଛନ୍ତି । ରାଜ୍ୟ ସରକାର ଦେବାଳିଆ ହୋଇ ସାରିଲେଣି । ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ସେମାନେ ଋଣ କଲେଣି । ଚାଷୀମାନଙ୍କ ସମସ୍ୟା ବୁଝିବାକୁ କେହି ନାହାଁନ୍ତି । ବେକାରୀ ସମସ୍ୟା ବୁଝିବାକୁ ନାହାଁନ୍ତି । ମହିଳାମାନଙ୍କ ଅବସ୍ଥା ଆହୁରି ଖରାପ । ସବୁସ୍ତରରେ ଗରିବଗୁରୁବା ଲୋକେ ଯେଉଁମାନେ ଗାଁ ଗଣ୍ଡାରେ ଶଢ଼ୁଛନ୍ତି, ସେମାନଙ୍କ ଆର୍ôଥକ ଓ ସାମାଜିକ ଜୀବନରେ କିଛି ପରିବର୍ତ୍ତନ ହୋଇପାରୁନି । ଅନ୍ୟ ପଟରେ ୨୦୧୪ରେ ନରେନ୍ଦ୍ର ମୋଦି ସରକାର ଏଭଳି ତୁମ୍ଭିତୋଫାନ କରି ଆସିଲେ ଯାହା ଫଳରେ ଲୋକେ ତାଙ୍କୁ ବିଶ୍ୱାସ କଲେ ଓ ଭୋଟ ଦେଲେ । ବର୍ତ୍ତମାନ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ସବୁସ୍ତରରେ ଏହି ଅବସ୍ଥା । ଦରଦାମ ବଢ଼ିଛି । ଡିଜେଲ ଓ ପେଟ୍ରୋଲର ଦାମ ଦୈନିକ ବଢ଼ିବାରେ ଲାଗିଛି । ପାଖାପାଖି ୧୦୦ ଟଙ୍କାରେ ପହଂଚିଲାଣି । ଅନ୍ୟପଟେ ଯେଉଁ ବିଶ୍ୱାସ ଦେଇଥିଲେ ଯେ, ବେକାରୀ ସମସ୍ୟାର ସମାଧାନ କରିବୁ, ୨କୋଟି ଚାକିରି ଦେବୁ କିନ୍ତୁ ଚାକିରି ନାହିଁ । ଆହୁରି କହିଥିଲେ କଳାଧନ ଆଣିବୁ । ଲୋକଙ୍କୁ ବାଣ୍ଟିବୁ । ବିମୁଦ୍ରାକରଣ କଲେ ଯେଉଁଥିରେ ଛୋଟ ବ୍ୟବସାୟୀମାନଙ୍କର ବ୍ୟବସାୟ ଚୁରମାର ହୋଇଗଲା । ଲୋକେ କୌଣସି ସୁବିଧା ପାଉନାହାଁନ୍ତି । ଚାଷୀଙ୍କ ସମସ୍ୟା ଗୁରୁତର । ଜଳସେଚନର ସମସ୍ୟା ରହିଛି । ଠିକ ଭାବରେ ବିହନ ପାଉନାହାଁନ୍ତି । ମରୁଡ଼ିରେ ଫସଲ ନଷ୍ଟ ହୋଇଛି । ଫସଲ ବୀମାକୁ ଠିକ ସମୟରେ ସରକାର ପହଂଚାଇ ପାରୁନାହାଁନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବସ୍ଥା ଆହୁରି ଦୟନୀୟ । ସ୍କୁଲ କଥା ନ କହିଲେ ଭଲ । ଶିକ୍ଷକମାନେ ଆନ୍ଦୋଳନରେ ଅଛନ୍ତି । ଆମେ ଏ ସମସ୍ତ କଥାକୁ ନେଇ ଆଗାମୀ ଦିନରେ ଆମେ ଆମର ଖସଡ଼ା ପ୍ରସ୍ତୁତ କରିବୁ ବୋଲି ଶ୍ରୀକାନ୍ତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here