ଆଜି ବାହୁଡ଼ିବେ ମହାପ୍ରଭୁ

0
2

ପୁରୀ,: ଜନ୍ମବେଦୀରେ ନବଦିନ ଲୀଳାଖେଳା କରି ଶୁକ୍ରବାର ଶ୍ରୀମନ୍ଦିର ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଅପେକ୍ଷା କରି ରହିଛି ତିନି ରଥ । ସକାଳେ ନୀତିକାନ୍ତି ପରେ ଶ୍ରୀଜିଉମାନେ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଯାତ୍ରା କରିବେ । ଅନ୍ୟପକ୍ଷରେ ଗୁରୁବାର ଥିଲା ଆଷାଢଶୁକ୍ଳ ନବମୀ । ଜନ୍ମବେଦୀ ତଥା ଆଡପ ମଣ୍ଡପରେ ପ୍ରାୟ ୨ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତ ଚତୁର୍ଦ୍ଧାବିଗ୍ରହଙ୍କୁ ସନ୍ଧ୍ୟା ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ନୀତି ସଅଳ ହେବା ସହ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିଛି ପ୍ରଶାସନ । ତେବେ ଆଜି ଦିନ ତମାମ ଭକ୍ତମାନେ ସୁରୁଖୁରୁରେ ଶ୍ରୀଗୁଣ୍ଡିଚା ମନ୍ଦିରର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରି ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନକରି ନାକଚଣା ଦ୍ୱାର ଦେଇ ବାହାରକୁ ଆସିଛନ୍ତି । ଗୁରୁବାର ଭୋର ୫ଟାରେ ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ଭକ୍ତମାନେ ଦିନ ତମାମ ଧାଡିରେ ଯାଇ ଦର୍ଶନ କରିଥିଲେ । ଆଜି ପାଗ ଭଲ ଥିବାରୁ ଶ୍ରଦ୍ଧାଳୁମାନେ ଖୁସିରେ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ଆଡପ ଅବଢ଼ା ଖାଇ ତୃପ୍ତ ହୋଇଛନ୍ତି । ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଆଜି ଥିଲା ଶେଷ ଦିନ । ସେଥିପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାର ହାତଛଡା କରିନଥିଲେ ଶ୍ରଦ୍ଧାଳୁ । ଫଳରେ ସକାଳୁ ସକାଳୁ ଶରଧାବାଲି ପାଲଟିଯାଇଥିଲା ଲୋକାରଣ୍ୟ । ଭକ୍ତଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି । ଆସନ୍ତାକାଲି ମହାପ୍ରଭୁ ବାହୁଡିବେ ଶ୍ରୀମନ୍ଦିର ଅଭିମୁଖେ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ସନ୍ଧ୍ୟା ୭ଟାରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏହା ପରେ ଗୁଣ୍ଡିଚା ମନ୍ଦିର ଶୋଧ କରାଯାଇଥିଲା । ସନ୍ଧ୍ୟାରେ ତିନି ରଥର ଚାର ବନ୍ଧା ଯାଇଥିଲା । ଆଡପମଣ୍ଡପରେ ପହୁଡ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ,ଶୁକ୍ରବାର ଭୋର ୪ ଟାରେ ମଙ୍ଗଳ ଆଳତି ହେବ । ଠାକୁର ଖେଚୁଡି ଖାଇସାରି ପହଣ୍ଡିବିଜେ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ୧୨ଟାରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ବାହୁଡା ପରଦିନ ଅର୍ଥାତ୍ ଶନିବାର ସୁନାବେଶ । ବାହୁଡା ଦିନ ହିଁ ତିନି ରଥ ସିଂହଦ୍ୱାରରେ ପହଞ୍ଚାଇବା ଲାଗି ପ୍ରଶାସନ ସ୍ଥିର କରିଛି । ଆବଶ୍ୟକ ପଡିଲେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇ ରାତିରେ ତିନି ରଥ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଇବା ଯୋଜନା ରହିଛି । ଯଦି କୌଣସି କାରଣରୁ ତିନିରଥ ସିଂହଦ୍ୱାରରେ ପହଞ୍ଚି ନପାରନ୍ତି ତେବେ ଶନିବାର ଭୋର ୫ଟାରୁ ରଥ ଟଣାଯିବ । ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପୁଲିସ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ତି୍ରସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର । ସିସିଟିଭି କ୍ୟାମେରାରେ କଏଦୀ ହେଉଛି ବଡଦାଣ୍ଡର ଦୃଶ୍ୟ । ତତ୍ ସହିତ ୧୫୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here