ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

0
74

ରୋଷ୍ଟୋଭ-ଅନ- ଡନ- ଚଳିତ ବିଶ୍ୱକପ୍‌ରେ ଆଉ ଏକ ଶକ୍ତିଶାଳୀ ଦଳ ମାମୁଲି ପ୍ରଦର୍ଶନ କରିଛି। ସର୍ବାଧିକ ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ନେମାରଙ୍କ ନେତୃତ୍ୱାଧୀନ ବ୍ରାଜିଲ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିବାରେ ବିଫଳ ହୋଇଛି। ସ୍ଥାନୀୟ ରୋଷ୍ଟୋଭ ଏରିନାରେ ବ୍ରାଜିଲ ଓ ସୁଇଜରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌- ଇ’ର ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି।
ମ୍ୟାଚ୍‌ର ୨୦ତମ ମିନିଟ୍‌ରେ ବ୍ରାଜିଲ ମିଡ୍‌ ଫିଲ୍ଡର ଫିଲିପ୍‌ କଣ୍ଟିନୋ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ୫୦ତମ ମିନିଟ୍‌ରେ ସୁଇଜରଲାଣ୍ଡ ରାଇଟ ଉଇଙ୍ଗର ଷ୍ଟିଭେନ ଜୁବେର ଏକ ଚମତ୍କାର ଗୋଲ ଦେଇ ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ବ୍ରାଜିଲ ଆଶାନୂରୂପ ଖେଳ ପ୍ରଦର୍ଶନ କରିପାରି ନ ଥିଲା। ଏହି ମ୍ୟାଚରେ ବ୍ରାଜିଲ ଦୁଇ ପାଦ ଆଗରେ ରହିବ ବୋଲି ପୂର୍ବାନୁମାନ କରାଯାଉଥିଲା। କିନ୍ତୁ ବ୍ରାଜିଲ ପ୍ରଭାବ ବିସ୍ତାର କରି ଖେଳିବାରେ ବିଫଳ ହୋଇଥିଲା। ଉଭୟଦଳ ଏକାଧିକ ସୁଯୋଗ ହାସଲ କରିଥିଲେ। ଉଭୟ ଦଳରେ କେତେକ ଖେଳାଳିଙ୍କୁ ୟେଲୋ କାର୍ଡ ରେଫରି ଦେଖାଇଥିଲେ। ୩୧ତମ ମିନିଟ୍‌ରେ ନେମାରଙ୍କୁ ଫାଉଲ ମାରିବା କାରଣରୁ ସୁଇଜରଲାଣ୍ଡ ଅଧିନାୟକ ଷ୍ଟିଫାନ ଲିଚ୍‌ଷ୍ଟେଇନରଙ୍କୁ ୟେଲୋ କାର୍ଡ ଦେଖାଯାଇଥିଲା। ବିଜୟୀ ହେବା ପାଇଁ ଉଭୟ ଦଳ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ କୌଣସି ଫଳ ହୋଇ ନ ଥିଲା। ନେମାରଙ୍କ ଏକାଧିକ ପ୍ରୟାସ ମଧ୍ୟ କାମ ଦେଇ ନ ଥିଲା। ନିର୍ଦ୍ଧାରିତ ସମୟ ପରେ ୫ ମିନିଟର ଇଞ୍ଜୁରୀ ଟାଇମ ଖେଳ ହୋଇଥିଲା। ତେବେ ଗୋଲ ନ ହେବା କାରଣରୁ ମ୍ୟାଚ୍‌ ୧-୧ରେ ଅମୀମାଂସିତ ରହିଥିଲା। ବ୍ରାଜିଲ ସୁପରଷ୍ଟାର ନେମାର ଦୀର୍ଘ ଦିନର ଇଞ୍ଜୁରୀ ପରେ ଦଳକୁ ଫେରିଥିଲେ ମଧ୍ୟ କମାଲ ଦେଖାଇବାରେ ବିଫଳ ହୋଇଥିଲେ।

LEAVE A REPLY

Please enter your comment!
Please enter your name here