ଅନେକ ପ୍ର।ର୍ଥୀ ନ।ମରେ ରହିଛି ସଙ୍ଗୀନ ମ।ମଲ।

0
42

ଭୁବନେଶ୍ବର:ଆସନ୍ତା ୧୧ତାରିଖରେ ପ୍ରଥମ ଦଫାରେ ହେବାକୁ ଥିବା ୨୮ଟି ବିଧାନସଭା ଆସନରେ ମୋଟ୍‍ ୧୮୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୨୯ ପ୍ରତିଶତ ତଥା ୫୫ ଜଣ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେହିଭଳି ୧୯ ପ୍ରତିଶତ ଅର୍ଥାତ୍‍ ୩୫ ଜଣ ପ୍ରାର୍ଥୀଙ୍କ ବିରୁଦ୍ଧରେ ସଙ୍ଗୀନ ଅପରାଧିକ ମାମଲାମାନ ଥିବା ଜଣାଯାଇଛି ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ମାନଙ୍କର ସତ୍ୟପାଠକୁ ଅନୁଶୀଳନ କରି ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ (ଏଡିଆର) ଓ ଓଡିଶା ଇଲେକ୍‍ସନ ୱାଚ (ଓଇଡବ୍ଲ୍ୟୁ) ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଆଜି ଏଭଳି ତଥ୍ୟ ଦର୍ଶାଯାଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଇଲେକ୍‍ସନ ୱାଚର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି, ଡାକ୍ତର ସେବା ମହାପାତ୍ର, ସହଦେବ ସାହୁ, ଅମୀୟ ଭୂଷଣ ତ୍ରିପାଠୀ, ବୈକୁଣ୍ଠ ନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବିଜେପିର ୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୯ ପ୍ରତିଶତ ଅର୍ଥାତ୍‍ ୧୧ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ୮ଜଣଙ୍କ ବିରୁଦ୍ଧରେ ଗୁରୁତର ମାମଲାମାନ ରହିଛି । ସେହିଭଳି ୨୭ଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅପରାଧରେ ସମ୍ପୃକ୍ତ ।

ବିଜେଡିର ୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ପ୍ରତିଶତ ଅର୍ଥାତ୍‍ ୯ଜଣଙ୍କ ବିରୁଦ୍ଧରେ ମାମଲା ରହିଥିବାବେଳେ ୬ଜଣଙ୍କ ବିରୁଦ୍ଧରେ ସଙ୍ଗୀନ ମାମଲାମାନ ରହିଛି । ବିଏସ୍‍ପିର ୨୨ଜଣ ବିଏସ୍‍ପି ପ୍ରାର୍ଥୀଙ୍କ ମଧ୍ୟରୁ ୯ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବାବେଳେ ଜଣେ ପ୍ରାର୍ଥୀଙ୍କ ବିରୁଦ୍ଧରେ ଗୁରୁତର ମାମଲାମାନ ରହିଛି ।

ପ୍ରାର୍ଥୀମାନଙ୍କର ସମ୍ପତ୍ତି ହିସାବରୁ ଜଣାଯାଇଛି ଯେ ୭ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ୨୧ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୨ରୁ ୫କୋଟି ଟଙ୍କା ମଧ୍ୟରେ ରହିଛି । ୩୮ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୫୦ଲକ୍ଷରୁ ୨କୋଟି ଟଙ୍କା ମଧ୍ୟରେ ରହିଥିବାବେଳେ ୫୨ଜଣ ପ୍ରାର୍ଥୀଙ୍କ ସମ୍ପତ୍ତିର ପରିମାଣ ୧୦ଲକ୍ଷରୁ ୫୦ଲକ୍ଷ ଟଙ୍କା ମଧ୍ୟରେ ଅଛି । ୧୦ଲକ୍ଷ ଟଙ୍କାରୁ କମ୍‍ ପରିମାଣର ସମ୍ପତ୍ତି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୭୧ ।

ସର୍ବାଧିକ ସମ୍ପତ୍ତି ତାଲିକାରେ ବିଜେପି, କଂଗ୍ରେସ ଓ ବିଜେଡିର ଜଣେକରି ପ୍ରାର୍ଥୀ ଅଛନ୍ତି । ଧର୍ମଗଡ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଅନନ୍ତ ପ୍ରତାପ ଦେଓଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ୍‍ ମୂଲ୍ୟ ୨୭କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀଙ୍କ ମୋଟ୍‍ ସମ୍ପତ୍ତି ପରିମାଣ ୧୭କୋଟି ଟଙ୍କାରୁ ଅଧିକ ଦର୍ଶାଯାଇଛି । ସେହିଭଳି ଦିଗପହଣ୍ଡି ଆସନର ବିଜେଡି ପ୍ରାର୍ଥୀ ତଥା ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମ୍ପତ୍ତି ପରିମାଣ ୧୬ କୋଟି ଟଙ୍କାରୁ ଅଧିକ ରହିଛି ।

ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ୬୧ ପ୍ରତିଶତ କୋଟିପତି ଥିବାବେଳେ କଂଗ୍ରେସର ୫୨ ପ୍ରତିଶତ, ବିଜେପିର ୩୯ ପ୍ରତିଶତ ଓ ବିଏସ୍‍ପିର ୯ ପ୍ରତିଶତ ପ୍ରାର୍ଥୀ କୋଟିପତି ତାଲିକାରେ ରହିଛନ୍ତି । ସ୍ୱାଧୀନଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଗୋପାଳପୁର ଆସନରୁ ବିଶ୍ୱ ବିହାରୀ ବିଶୋୟୀ ଓ ନୂଆପଡା ଆସନରୁ ଲୋଚନ ସିଂହ ମାଝିଙ୍କର କୌଣସି ସମ୍ପତ୍ତି ନଥିବା ଜଣାଯାଇଛି ।

ମୋଟ୍‍ ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୩ ପ୍ରତିଶତ ଅର୍ଥାତ୍‍ ୧୦୧ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଥିବାବେଳେ ୪୩ ପ୍ରତିଶତ ଅର୍ଥାତ୍‍ ୮୨ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ଏହାଠାରୁ ଅଧିକ ରହିଛି । ଜଣେ ପ୍ରାର୍ଥୀ ନିଜକୁ ସାକ୍ଷର ବୋଲି ଦର୍ଶାଇଥିବାବେଳେ ଆଉ ଜଣେ ପ୍ରାର୍ଥୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିନାହାନ୍ତି ।

ସେହିଭଳି ବିଧାନସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩୧ ପ୍ରତିଶତ ଅର୍ଥାତ୍‍ ୫୯ଜଣଙ୍କ ବୟସ ୨୫ରୁ ୪୦ ବର୍ଷ ମଧ୍ୟରେ ଥିବାବେଳେ ୫୮ ପ୍ରତିଶତ ଅର୍ଥାତ୍‍ ୧୦୧ ଜଣଙ୍କ ବୟସ ୪୧ରୁ ୬୦ବର୍ଷ ମଧ୍ୟରେ ଅଛି । ୧୯ଜଣ ପ୍ରାର୍ଥୀଙ୍କ ବୟସ ୬୧ରୁ ୭୦ବର୍ଷ ମଧ୍ୟରେ ଥିବାବେଳେ ଜଣେ ପ୍ରାର୍ଥୀ ତାଙ୍କର ବୟସ ଉଲ୍ଲେଖ କରିନାହାନ୍ତି ।

ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରେ ୧୬ ଜଣ ମହିଳା ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here