ଗୋଟିଏ ଗୁଳିରେ ଦୁଇଟା ଶୀକାର:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ

0
806

ଭୁବନେଶ୍ୱର :ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି  ଦଳ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଛି । ସମ୍ବିତଙ୍କୁ  ଏ ନେଇ ବୁଝାଇ ଦିଆଯାଇଛି । ପୂର୍ବରୁ ସେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିସାରିଛନ୍ତି । ପାରାଦୀପ ବିଧାନସଭା ଆସନରୁ ସେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି । ଏପରି କି ଆଜି ସେ ନବୀନ ନିବାସରେ ସୁପ୍ରିମୋଙ୍କୁ ଭେଟିବା ପରେ ପାରାଦୀପ ଆସନ ପାଇଁ ଆଶାୟୀ ଥିବା କଥା କହିଛନ୍ତି । ଦାମଙ୍କ ବିଦ୍ରୋହୀ ଭୂମିକା ପରେ ଦଳରୁ ତାଙ୍କୁ ବିଦା କରିଦିଆଯାଇଥିଲା । ଏହାପରେ ସେ ବୁଲି ବୁଲି ସରକାରଙ୍କ ବିରୋଧରେ ବିଶୋଦଗାର କରି ଚାଲିଥିଲେ । ଏହି ଘଟଣା ପରେ ଦାମଙ୍କ ପୁଅକୁ ଦଳ ଆଗରୁ ଗୁରୁତ୍ୱ ଦେଉ ନ ଥିଲା ବେଳେ ଏବେ ହଠାତ ଡାକି ତାଙ୍କ ସହ ଆଲୋଚନା କରାଯାଇଛି । ଦାମଙ୍କୁ ବିଜେପି ନେବାପାଇଁ ଉଦ୍ୟମ କରୁଥିବା ଜାଣି ଏଥିରେ ରୋକ ଲଗାଇବା ପାଇଁ ଏହି ଗୋଟି ଚାଳାନ କରାଯାଇଥିବା କଥା କୁହାଯାଉଛି ।
ବିଜେଡିରୁ ବିଦା ହେବା ପରେ ଦାମ ଆଂଚଳିକ ଦଳ ଗଠନ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ଯେଉଁମାନଙ୍କୁ ନେଇ ଏହି ଆଂଚଳିକ ଦଳର ପରିକଳ୍ପନା ସେ କରିଥିଲେ ତାହା ସଫଳ ହେଲାନାହିଁ । ଫଳରେ ସେ ଏକ ରାଜନୈତିକ ଦଳରେ ମିଶିବା ପାଇଁ କିମ୍ବା ସମର୍ଥନ ନେବା ପାଇଁ ଚାହିଁଲେ । ବିଜେପିକୁ ଯିବେନି କି ସମର୍ଥନ ଦେବେନି ବୋଲି କହିଲେ । କଂଗ୍ରେସ ସହ ଯିବେ ବୋଲି ସୂଚନା ଦେଲେ । କଂଗ୍ରେସ ମଧ୍ୟ ତାଙ୍କ ସହ ଆଲୋଚନା ଚଳାଇଲେ । ଏବେ ନିର୍ବାଚନ ନିକଟତର ହେବା ପରେ ହଠାତ ବିଜେପି ସହ ତାଙ୍କର ମୁଲଚାଲ ହେବା ସମସ୍ତଙ୍କୁ ଚକିତ କଲା । ପାରାଦୀପ ଲୁଣି ପାଣି ଅଂଚଳ ସେଠି ପଦ୍ମ ଫୁଟିବ ନାହିଁ କହୁଥିବା ଦାମ ହଠାତ ଓଲଟି ପଡ଼ିଲେ । ସେ ଚାହିଁଲେ ପାଣିକୁ ମଧୁର କରି ପଦ୍ମ ଫୁଟାଇପାରିବେ । ଦିଲ୍ଲୀ ଯାଇ ବିଜେପିର ଜାତୀୟ ନେତାଙ୍କ ସହ ଆଲୋଚନା କଲେ । ୩ ଦିନରେ ନିଷ୍ପତ୍ତି ନେବେବୋଲି କହିଲେ । ବିଜେପିକୁ କିଛି ସର୍ତ୍ତ ଦେଇଥିବାରୁ ତାହାକୁ ସେ ଅପକ୍ଷା କରିଛନ୍ତି ବୋଲି ଜଣାଇଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଆଲୋଚନା ପାଇଁ ସେ ଚାହୁଁଛନ୍ତି ଏହା ଏଯାଏଁ ସମ୍ଭବ ହୋଇପାରିନାହିଁ ବୋଲି କୁହାଯାଇଛି । କଂଗ୍ରେସ ମଧ୍ୟ ଟିକେଟ ଚୂଡ଼ାନ୍ତ କରିବାକୁ ଯାଉଥିବାରୁ ଡାକ୍ତର ରାଉତଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଛନ୍ତି । ଦାମଙ୍କର ଯେତେବେଳେ ବିଜେପିରେ ଯୋଗଦେବା କଥା ଆସିଲା ଯେତେବେଳେ ବିଜେଡି ଆଉ ଚୁପ ହୋଇ ନ ରହି ଏହି ପ୍ରକ୍ରୀୟାକୁ ବନ୍ଦ କରିବା ପାଇଁ ଚାହିଁଛି । ହଠାତ ଦାମଙ୍କ ପୁଅ ସମ୍ବିତକୁ ସଚିବାଳୟକୁ ଡାକି ଆଲୋଚନା କରାଗଲା । ପରେ ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ । ସମ୍ବିତଙ୍କୁ ପାରଦୀପରୁ ପ୍ରାର୍ଥୀ କରି ଦଳ ଦାମଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ ଚାହୁଁଛି । ବାପାଙ୍କ ବୁଝାଇବା ଦାୟିତ୍ୱ ତାଙ୍କର ନୁହେଁ ବୋଲି ସମ୍ବିତ କହୁଥିଲେ ମଧ୍ୟ ବାସ୍ତବତା କିନ୍ତୁ ଭିନ୍ନ । ଦାମ ଯେପରି ବିଜେପିକୁ ନ ଯିବେ ଓ ନୀରବ ରହିବେ ସେ ଦାୟିତ୍ୱ ସମ୍ବିତଙ୍କୁ ଦିଆଯାଇଛି । କେହି କେହି କହୁଛନ୍ତି ଦାମ ପୁଣି ବିଜେଡିକୁ ଫେରିବେ । ଆଉ କେହି କେହି କହୁଛନ୍ତି ଦାମ ଆଉ ବିଜେଡିକୁ ନ ଫେରିଲେ ବି ବିଜେପି କିମ୍ବା କଂଗ୍ରେସରେ ଯୋଗ ନ ଦେଇ ନୀରବ ରହିବେ । ଆଉ ବିଜେଡି ବିରୋଧରେ ଯିବେ ନାହିଁ । କେବଳ ଦାମଙ୍କ ପୁଅ କଥା ନୁହେଁ ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ମଧ୍ୟ ଆସନ୍ତା ମହାନଗର ନିଗମ ନିର୍ବାଚନରେ ଭୁବନେଶ୍ୱର ମେୟର କରିବାର ଲୋଭ ମଧ୍ୟ ଦିଆଯାଇଥିବା ଆଲୋଚନା ହେଉଛି ।
ଦାମ ବୁଧବାର ଗଣମାଧ୍ୟମକୁ କହିଲେ କେଉଁ ଦଳକୁ ସେ ଯିବେ ତାହା ଦୁଇଦିନ ଭିତରେ ଜଣାଇବେ । ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଡାକିଥିବା କଥା ସେ କହିଥିଲେ । ଏବେ ବିଜେଡ ସମ୍ବିତଙ୍କୁ ଡାକି ବୁଝାଇଥିବାରୁ ଦାମଙ୍କ ପଦକ୍ଷେପ କଣ ରହୁଛି ସେଥିରୁ ସବୁ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here