ହଟାଗଲା ସରକାରୀ ବିଜ୍ଞାପନ ଓ ହୋର୍ଡିଂ

0
90

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ବିଜ୍ଞାପନ ଓ ହୋର୍ଡିଂକୁ ହଟାଇ ଦିଆଯାଉଛି। ଏଥିସହ ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନେତାମାନଙ୍କର ଫଟୋ ମଧ୍ୟ ହଟାଇ ଦିଆଯାଉଥିବା ଜଣାପଡ଼ିଛି। ଏହା ଶୀଘ୍ର କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାଗିଦ୍‌ କରାଯାଇଛି। ଏବେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଯେଉଁ ସବୁ ପ୍ରଚାର କରାଯିବ, ତାହାର ତଦାରଖ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯିବ। ନିର୍ବାଚନରେ କରାଯାଉଥିବା ଖର୍ଚ୍ଚର ହିସାବ ଏବେ ନିର୍ବାଚନ କମିଶନଙ୍କ ପାଖରେ ରହିବ। ଏଥିସହ ସୋମବାରଠାରୁ ନିର୍ବାଚନ ପ୍ରକ୍ରିୟା ‌ଶେଷ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାର କେଉଁ ସରକାରୀ ଓ ସର୍ବସାଧାରଣ କାର୍ଯ୍ୟାଳୟ, ୱେବସାଇଟ୍‌ରେ ନେତାମାନଙ୍କର ଫଟୋ, ହୋର୍ଡିଂ ଲାଗିଛି, ତାହାକୁ ଚିହ୍ନଟ କରିଛନ୍ତି। ଏହାର ଏକ ଡାଟାବେସ୍‌ ପ୍ରସ୍ତୁତ ହୋଇଛି। ଏହାସହ ପ୍ରତ୍ୟେକ ବିଭାଗ ଏନେଇ ଜଣେ ଜଣେ ନୋଡାଲ୍‌ ଅଧିକାରୀଙ୍କୁ ରାଜ୍ୟ, ଜିଲ୍ଲା, ସବ୍‌ଡିଭିଜନ, ବ୍ଲକ୍‌ ଏବଂ ପଞ୍ଚାୟତସ୍ତରରେ ନିଯୁକ୍ତି ଦିଆଯାଇଛି। ସମସ୍ତ ମହାନଗର ନିଗମ ଏବଂ ପୌରସଂସ୍ଥାର କମିଶନର ଓ ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ହୋର୍ଡିଂ ଉଚ୍ଛେଦ କରିବାକୁ କୁହାଯାଇଛି। ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ଲାଗିଥିବା ହୋର୍ଡିଂକୁ ଚିରାଯାଇଉଥିବା ଦେଖିବାକୁ ମିଳୁଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ବିଜ୍ଞାପନ, ନେତା, ମନ୍ତ୍ରୀଙ୍କ ଫଟୋକୁ ରାଜ୍ୟ ସରକାରଙ୍କ ପକ୍ଷରୁ ହଟାଇ ଦିଆଯାଇଛି। ସେହିପରି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ  ବ୍ରହ୍ମଗିରି  ସମେତ ପୁରୀ  ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ଉଚ୍ଛେଦ କରାଯାଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଧିସୂଚନା ଜାରି ହୋଇଛି।

LEAVE A REPLY

Please enter your comment!
Please enter your name here