ପିପିଲି ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣା: ନିଜର ଭାବମୂର୍ତ୍ତି ପ।ଇଁ ହାଇକୋର୍ଟ ଯିବ କ୍ରାଇମ୍‌ବ୍ରାଞ୍ଚ

0
27

ଭୁବନେଶ୍ୱର: ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ବିଜେଡି ନେତା ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ୟ ବିବାଦ ଥମିନାହିଁ। ପିପିଲି ଘଟଣାକୁ ନେଇ ଏବେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାର ଏବଂ କ୍ରାଇମ୍‌ବ୍ରାଞ୍ଚକୁ ଟାର୍ଗେଟ୍‌ କରିଛନ୍ତି। ତଦନ୍ତ ଦାୟିତ୍ବରେ ଥିବା କ୍ରାଇମ୍‌ବ୍ରାଞ୍ଚର ଦାୟିତ୍ବହୀନତା ଯୋଗୁ ଅଭିଯୁକ୍ତମାନେ ଅଦାଲତରୁ ନିର୍ଦୋଷରେ ଖସି ଯିବାରେ ସକ୍ଷମ ହୋଇଛନ୍ତି ବୋଲି ଏବେ ବିରୋଧୀ ଦାବି କରିଛନ୍ତି। ଏହି ଘଟଣା ପରେ ଏବେ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛି କ୍ରାଇମ୍‌ବ୍ରାଞ୍ଚ। ନିଜର ଭାବମୂର୍ତ୍ତି ସଜାଡ଼ିବା ପାଇଁ କସରତ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। ଏହି ଘଟଣାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ହାଇକୋର୍ଟ ଯିବ ବୋଲି କହିଛନ୍ତି ବିଭାଗୀୟ ଏଡିଜି ସନ୍ତୋଷ ଉପାଧ୍ୟାୟ।

ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଖୁବ୍‌ ଶୀଘ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। ଏନେଇ ଆଡଭୋକେଟ୍‌ ଜେନେରାଲଙ୍କ ସହ ପରାମର୍ଶ ଚାଲିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଏଡିଜି କହିଛନ୍ତି, ଆଇନ୍‌ଗତ ପରିଚାଳନା ପାଇଁ ସ୍ୱତନ୍ତ୍ର କାଉନ୍‌ସିଲ ନିଯୁକ୍ତ କରାଯିବ। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ପିପିଲି ପୀଡ଼ିତା ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଆମ ପାଖରେ ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ଅଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଓକିଲ ନିଯୁକ୍ତି କରି ଆମେ ପୂରା ଯୋଜନାବନ୍ଧ ଭାବରେ ହାଇକୋର୍ଟରେ ଅପିଲ କରିବୁ। ପବ୍ଲିକ ପ୍ରସିକ୍ୟୁସନ ନିର୍ଦେଶକ ଓ ଏଜିଙ୍କ ଜରିଆରେ ଅପିଲ କରାଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here