ସାମାନ୍ୟ ବଚସାରୁ ଛାତରୁ ଠେଲି ଦେଲି

0
1020

କଟକ : ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମପ୍ରିୟା ବେହେରାଙ୍କୁ ହତ୍ୟା କରାଯାଇଛି। ସ୍ବାମୀ ଲିପନ ସାହୁ ତାଙ୍କୁ ଛାତରୁ ତଳକୁ ଠେଲି ଦେଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ରରୂପ ଧାରଣ କରିଥିଲା। ଲିପନ ରାଗିଯାଇ ଏଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଲିପନଙ୍କୁ  ଗିରଫ କରାଯାଇଛି, ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।

ଡିସିପି ସିଂଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଲିପନ ନିକିତାଙ୍କ ବାପଘର(ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାରରେ)କୁ ଜଣେ ସାଙ୍ଗଙ୍କ ସହିତ ଆସିଥିଲେ। ସେଦିନ ନିକିତା ଚିକେନ ରାନ୍ଧିଥିଲେ। ତେଣୁ ଲିପନଙ୍କୁ ରହିବା ପାଇଁ ବାଧ୍ୟ କରିଥିଲେ। ମାତ୍ର ନିକିତାଙ୍କ କଥାରେ ଲିପନ ରାଜି ନ ହୋଇ ସାଙ୍ଗଙ୍କ ସହିତ ଚାଲି ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ତେବେ କିଛି ସମୟ ପରେ ଲିପନ ନିକିତାଙ୍କ ଘରକୁ ଫେରିଥିଲେ। ଏହାପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ବୋଲି ସିଂ କହିଛନ୍ତି। ଘଟଣାରେ ଲିପନଙ୍କ ବାପାମା’ଙ୍କୁ ପୋଲିସ ଜେରା କରିବ। ଯେଉଁମାନଙ୍କ ସମ୍ପୃକ୍ତି ଜଣାପଡ଼ିବ ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି ସିଂ କହିଛନ୍ତି। ଅନ୍ୟପକ୍ଷରେ ପୋଲିସର ଫରେନ୍‌ସିକ ଟିମ୍‌ ସୋମବାର ସକାଳେ ନିକିତାଙ୍କ ଘରକୁ ଯାଇ ଘଟଣାସ୍ଥଳ ଯାଞ୍ଚ କରିଥିଲା।

ସୂଚନାଥାଉ କି, ନିକିତାଙ୍କୁ ଲହୁଲୁହାଣ ଅବସ୍ଥାରେ ଶୁକ୍ରବାର ରାତିରେ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ବାପା ସନାତନ ବେହେରା ଘଟଣାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ଦର୍ଶାଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଏତଲାରେ ସେ ଲିପନ ଓ ତାଙ୍କ ମା’ ବାପାଙ୍କୁ ଦାୟୀ କରିଥିଲେ। ଏନେଇ ୮/୧୯ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ୨୦୧୬ ନଭେମ୍ବରରେ ନିକିତା ଲିପନଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ନିକିତାଙ୍କ ରୋଜଗାର ହ୍ରାସକୁ ନେଇ ଶାଶୁ ଘରେ କଳହ ସୃଷ୍ଟି ହୋଇଥିଲା। ଫଳରେ  ନିକିତା ବିବାହର ପ୍ରାୟ ୮ ମାସ ପରେ ସ୍ବାମୀଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ଏହାପରେ ନିକିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ସନ୍ତାନର ଓଜନ କମ୍‌ ଥିବାରୁ ନିକିତା ବାପ ଘର ଅର୍ଥାତ୍‌ ମହାନଦୀ ବିହାରରେ ଆସି ରହୁଥିଲେ। ମଝିରେ ମଝିରେ ଲିପନ ମହାନଦୀ ବିହାର ଆସିଥାନ୍ତି। ମାତ୍ର ବାପ ଘରେ ରହିବା ପରେ ସ୍ବାମୀଙ୍କ ସହିତ ତାଙ୍କର ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଲିପନଙ୍କ ମା’ବାପା ନିକିତାଙ୍କୁ ନିର୍ଯାତନା ଦେଇଥିବା ସନାତନ ଏତଲାରେ ଦର୍ଶାଇଛନ୍ତି

LEAVE A REPLY

Please enter your comment!
Please enter your name here