ବିଜେଡ଼ି ଦିଲ୍ଲୀ ପିକନିକ୍ ଖର୍ଚ୍ଚ ୫୨ ଲକ୍ଷ:ନିରଞ୍ଜନ

0
43

ଭୁବନେଶ୍ୱର: ବିଜେଡି ପକ୍ଷରୁ ଆଜି ଦିଲ୍ଲୀରେ ଯେଉଁ କୃଷକ ଅଧିକାର ସମାବେଶ କରାଯାଇଛି ତାକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ବିଜେଡିର ଏହା କୃଷି ଅଧିକାର ସମାବେଶ ନୁହେଁ ସେମାନଙ୍କର ଏହା ହେଉଛି “ପିକନିକ ପାର୍ଟି” ବୋଲି ନିରଂଜନ କହିଛନ୍ତି ।
ଟ୍ୱିଟ କରି ଏ ସମାବେଶକୁ ସମାଲୋଚନା କରି ନିରଂଜନ କହିଛନ୍ତି ଆଜି ନବୀନ ପଟ୍ଟନାୟକ ଓ ତାଙ୍କ ସମର୍ଥକମାନେ ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିଲ୍ଲୀକୁ ପିକନିକ କରିବାକୁ ଯାଇଛନ୍ତି । ଚାଷୀଙ୍କ ନାଁରେ ସେମାନେ ଏହି ପିକନିକ କରିବାକୁ କରିଛନ୍ତି । ଏହି ଅର୍ଥ ଯଦି ସେମାନେ ଚାଷୀଙ୍କ ଋଣ ଚାଡ଼ରେ ବିନିଯୋଗ କରିଥାନ୍ତେ ତେବେ ବହୁ ମୂଲ୍ୟବାନ ଜୀବନ ବଂଚିଯାଇଥାନ୍ତା । କାରଣ ଏ ଋଣ ଭାର ଯୋଗୁ ବହୁ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଚାଷୀଙ୍କ ନାଁରେ ବିଜେଡି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ସେମାନେ ଓଡ଼ିଶାର କୃଷି କ୍ଷେତ୍ରକୁ ବିପର୍ଯ୍ୟସ୍ତ କରିବା ପାଇଁ ସମ ପରିମାଣରେ ଦାୟୀ । ଏଣୁ ସେମାନେ ଏହି କୃଷକ ର‌୍ୟାଲି ଏକ ବଡ଼ ପ୍ରହସନ ଛଡ଼ା ଆଉ କିଛି ନୁହେଁ । ପ୍ରକୃତରେ ଯଦି ବିଜେଡିର ଚାଷୀଙ୍କ ପାଇଁ ଏତେ ଦରଦ ରହିଛି ତେବେ ସେମାନେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ କଂଗ୍ରେସ ସରକାରଙ୍କ ଭଳି ଋଣ ଛାଡ଼ କରିବା କଥା । ଏଥିସହ ସର୍ବନିମ୍ନ ସହାୟକମୂଲ୍ୟ ଉପରେ ବୋନସ ଘୋଷଣା କରିବା କଥା ବୋଲି ନିରଂଜନ କହିଛନ୍ତି ।
ପିସିସି ସଭାପତି ଜଣାଇବାକୁ ଚାହିଁଛନ୍ତି ବିଜେଡି ଏତେ ଲୋକଙ୍କୁ ଟ୍ରେନରେ ଧରି ଦିଲ୍ଲୀକୁ ଯାଇଛି ସେଥିରେ ବହୁ ଅର୍ଥ ଖର୍ଚ୍ଚ ହୋଇଛି । ନେତାମାନେ ମଧ୍ୟ ବିମାନରେ ଯାଇଛନ୍ତି । ସେଠାରେ ରହିବା, ଖାଇବାରେ ମଧ୍ୟ ବହୁ ଖର୍ଚ୍ଚ ହେବ । ସେ ଆକଳନ କରିଛନ୍ତି ପ୍ରାୟ ୫୨ ଲକ୍ଷ ଟଙ୍କା ବିଜେଡି ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରୁଛି । ଏହାଦ୍ୱାରା କିଛି ଫାଇଦା ମଧ୍ୟ ହେବନାହିଁ । ଦିଲ୍ଲୀରେ ଯାଇ ବୁଲିକି ଆସିବା ବ୍ୟତୀତ କିଛି ସୁଫଳ ମିଳିବ ବୋଲି ନିରଂଜନ ଆଶା ରଖିନାହାଁନ୍ତି । ସେଥିପାଇଁ ଏତେ ଅର୍ଥ ଖର୍ଚ୍ଚ ନ କରି ଯଦି ସେହି ଅର୍ଥ ଚାଷୀମାନଙ୍କୁ ଋଣ ଛାଡ଼ରେ ହେଉ କି ବୋନସ ଆକାରରେ ହେଉ ଦିଆଯାଇଥାନ୍ତା ତେବେ ଅନେକ ଆତ୍ମହତ୍ୟା କରିବାରୁ ବଂଚିଯାଇଥାନ୍ତେ । ଓଡ଼ିଶାର ଚାଷୀ ଏବେ ବି ଋଣ ଭାର ସହି ନ ପାରି ଫସଲ ହାନୀ ଯୋଗୁ ଆତ୍ମହତ୍ୟା କରୁଛନ୍ତି । ଏକଥା ଦର୍ଶାଇ ସେ ସିଧା ନବୀନଙ୍କୁ ଟାର୍ଗେଟ କରିବାକୁ ଚାହିଁଛନ୍ତି ।

LEAVE A REPLY

Please enter your comment!
Please enter your name here