ପୁଣି ଲଟକିଲା ଅଯୋଧ୍ୟା ମାମଲା: ଜାନୁୟାରୀ ୧୦ରେ ନୂଆ ଖଣ୍ଡପୀଠ କରିବେ ଶୁଣାଣି

0
49

ନୂଆଦିଲ୍ଲୀ: ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ମାମଲାର ଶୁଣାଣି ଆସନ୍ତା ୧୦ ତାରିଖରେ କରିବା ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ୨ ଜଣିଆ ଖଣ୍ଡପୀଠ ଶୁକ୍ରବାର ମାତ୍ର ୧୫ ସେକେଣ୍ଡ ମଧ୍ୟରେ କୋର୍ଟ ରୁମ୍‌ରେ ଏପରି ନିର୍ଦେଶ ଦେଇ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇଥିଲେ। ଏଥିସହ ଜଷ୍ଟିସ ଗୋଗୋଇ ସ୍ପଷ୍ଟ କରିଥିଲେ ଯେ ଜାନୁଆରୀ ୧୦ରୁ ଏନେଇ ୩ଜଣିଆ ଖଣ୍ଡପୀଠ ସେମାନଙ୍କର ଶୁଣାଣି କରିବେ।

ଗୁରୁତ୍ବପୂର୍ଣ୍ଣ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ଶୁଣାଣି ପାଇଁ ଶୁକ୍ରବାର କୋର୍ଟ ରୁମ୍‌ରେ ଗହଳି ଲାଗିଥିଲା। ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଓ ରାଜୀବ ଧାବନ ସେମାନଙ୍କ ପକ୍ଷ ରଖିବା ପାଇଁ ପ୍ରସ୍ତତ ହୋଇଆସିଥିଲା ବେଳେ ପ୍ରଧାନ ବିଚାରପତି ଶୁକ୍ରବାରର ଶୁଣାଣିକୁ ୧୦କୁ ଘୁଞ୍ଚାଇବା ସହ ଆଉ କାହାକୁ ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ।

ଏଥିସହ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ତ୍ବରିତ ଓ ଦୈନନ୍ଦିନ ଶୁାଣାଣି ନେଇ ହୋଇଥିବା ଜନସ୍ବାର୍ଥ ମାମଲାକୁ ମଧ୍ୟ ଖାରଜ କରି ଦେଇଛନ୍ତି। ୨୦୧୮ ନଭେମ୍ବରରେ ହରିନାଥ ରାମ ନାମକ ଜଣେ ବ୍ୟକ୍ତି ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ ଅଯୋଧ୍ୟା ମାମଲାର ଦୈନନ୍ଦିନ ଶୁଣାଣି ସପକ୍ଷରେ କହିଥିଲେ। ତେଣୁ ଏବେ ଆସନ୍ତା ୧୦ରେ ଅଯୋଧ୍ୟା ବିବାଦର ଶୁଣାଣି କେଉଁ ରୂପ ନେଉଛି, ତାହାକୁ ଅପେକ୍ଷା।

LEAVE A REPLY

Please enter your comment!
Please enter your name here