ହେଲିକପ୍ଟର ମ।ଗିଲେ ର।ଜ୍ୟ ସରକାର

0
146

ଭୁବନେଶ୍ବର:ପାହାଡ ପର୍ବତ ଓ ଘଞ୍ଚ ଜଙ୍ଗଲରେ ମାଓ ମୁକାବିଲା ପାଇଁ ହେଲିକାପ୍ଟର ଅତ୍ୟନ୍ତ ଜରୁରୀ । ତେଣୁ କେନ୍ଦ୍ର ସରକାର ଗୋଟିଏ ହେଲିକାପ୍ଟର ଯୋଗାଇ ଦେବାକୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଛି । ଓଡିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଝାଡଖଣ୍ଡର ପାହାଡ ପର୍ବତରେ ଏହି ମାଓବାଦୀମାନେ ଲୁଚି ସେମାନଙ୍କ କାର୍ଯ୍ୟକଳାପ ଚଳାଇଛନ୍ତି ।

ରାଜ୍ୟରେ ମାଓ ମୁକାବିଲା ଯୋଜନା ଫଳବତୀ ହେଉଥିବାବେଳେ ଏହାକୁ ଅଧିକ ସକ୍ରିୟ କରିବା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ହେଲିକାପ୍ଟରର ଆବଶ୍ୟକତା ଥିବା ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ବର୍ତ୍ତମାନ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଚିହ୍ନଟ ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଫୋକସ୍‍ କରୁଛନ୍ତି । ଏହିସବୁ ଇଲାକା ମଧ୍ୟରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ, ଓଡିଶା-ଛତିଶଗଡ ସୀମାରେ ଥିବା ତୁଲସୀ ଡୋଙ୍ଗରୀ ଏବଂ ଅନ୍ୟ ଇଲାକା ମଧ୍ୟରେ ଆନ୍ଧ୍ରପ୍ରଦେଶର ସିପିଆଇ ମାଓବାଦୀଙ୍କ କାର୍ଯ୍ୟକଳାପ ଚାଲୁଥିବା ଅଞ୍ଚଳ ଆଦି ରହିଛି ।

ମାଓ ମୁକାବିଲା ଲାଗି କେନ୍ଦ୍ରୀୟ ବଳଙ୍କୁ ପଠାଯାଉଥିବାବେଳେ ହେଲିକାପ୍ଟର ନଥିବାରୁ ରାଜ୍ୟ ସରକାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛତିଶଗଡରେ ମାଓ ମୁକାବିଲା ଲାଗି ଥିବା ହେଲିକାପ୍ଟରଟିକୁ ଆବଶ୍ୟକ ସ୍ଥଳେ ରିକ୍ୟୁଜିସନ କରି ଓଡିଶା ଅଣାଯାଉଛି । ଏଥିପାଇଁ ଥିବା ପ୍ରକ୍ରିୟାରେ ବ୍ୟାପକ ସମୟ ଲାଗୁଥିବାରୁ ମାଓ ମୁକାବିଲା ପାଇଁ ଠିକଣା ସମୟରେ ହେଲିକାପ୍ଟର ମିଳିପାରୁନାହିଁ ।

ବର୍ତ୍ତମାନ ରାଜ୍ୟରେ ୧୬ ବାଟାଲିୟନ ସୁରକ୍ଷାବଳ ମୁତୟନ ହୋଇଥିବାବେଳେ ଏଥିପାଇଁ ହେଲିକାପ୍ଟର ନିହାତି ଆବଶ୍ୟକ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ କରିଥିବା ଅନୁରୋଧରେ ଦର୍ଶାଇଛନ୍ତି । ସେହିଭଳି ଓଡିଶାରୁ କୋବ୍ରା ବାଟାଲିୟନକୁ କେନ୍ଦ୍ର ହଟାଇ ନେଇଥିବାରୁ ବର୍ତ୍ତମାନ ମାଓ ମୁକାବିଲା ପାଇଁ ଓଡିଶାରେ କୋବ୍ରା ଜବାନ ନାହାନ୍ତି ।

ତେଣୁ ରାଜ୍ୟକୁ ପୂର୍ବଭଳି କୋବ୍ରା ବାଟାଲିୟନ ଯୋଗାଇ ଦେବାପାଇଁ ଓଡିଶା ପକ୍ଷରୁ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରାଯାଇଛି । କେନ୍ଦ୍ର ସରକାର କୋରାପୁଟରୁ କୋବ୍ରା ବାଟାଲିୟନ ହଟାଇ ନେଇଥିବାବେଳେ ଏହି ଜିଲ୍ଲା ସର୍ବାଧିକ ମାଓପ୍ରବଣ ତାଲିକାରେ ରହିଛି ।

ଓଡିଶାର ମାଓ ମୁକାବିଲା କାର୍ଯ୍ୟକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପ୍ରଶଂସା କରୁଥିବାବେଳେ ସୁରକ୍ଷା ସମ୍ପର୍କିତ ବ୍ୟୟ (ଏସ୍‍ଆରଇ) ଅର୍ଥ ମଞ୍ଜୁରରେ କିନ୍ତୁ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଏ ବାବଦରେ ପ୍ରାୟ ୫୦ କୋଟି ଟଙ୍କା ଦେବାକୁ ରହିଛି ।

ଦୀର୍ଘଦିନ ଧରି ଏହି ଅର୍ଥ ପଡିରହିଥିବାରୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏଥି ସହିତ ଆଉ ଦୁଇ ବାଟାଲିୟନ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ଫୋର୍ସ ଯୋଗାଇ ଦେବାକୁ ମଧ୍ୟ ରାଜ୍ୟ ସରକାର ତାଙ୍କ ଅନୁରୋଧ ପତ୍ରରେ ଉଲ୍ଲେଖ କରିଛନ୍ତି ।

ବର୍ତ୍ତମାନ ଛତିଶଗଡରେ ୪୪ ବାଟାଲିୟନ ଓ ଛାଡଖଣ୍ଡରେ ୨୩ ବାଟାଲିୟନ ସିଏପିଏଫ୍‍ ଥିବାବେଳେ ଓଡିଶାପାଇଁ ଆଉ ଦୁଇବାଟାଲିୟନ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ମାଓବାଦୀଙ୍କ ଟାର୍ଗେଟରେ ଥିବା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହି ସୁରକ୍ଷାବଳଙ୍କୁ ମୁତୟନ ଜରୁରୀ ବୋଲି ବରିଷ୍ଠ ସୁରକ୍ଷା ଅଧିକାରୀମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here