ମୋଦିଙ୍କ ସହ ଆଜି ଆସୁଛି ୧୪,୫୨୩ କୋଟିର ପ୍ରକଳ୍ପ

0
51

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ସେ ଅପରାହ୍ଣ ୧ଟା୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ସିଧାସଳଖ ରାଜଧାନୀ ଉପକଣ୍ଠସ୍ଥ ଅରୁଗୁଳସ୍ଥିତ ଆଇଆଇଟି ସ୍ଥାୟୀ କ୍ୟାମ୍ପସ୍କୁ ଯାତ୍ରା କରିବେ । ଏଠାରେ ଶ୍ରୀ ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୪୫୨୩ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ପରେ ସେ ଖୋର୍ଦ୍ଧାସ୍ଥିତ ବରୁଣେଇ ପାଦଦେଶରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଫୋକସ୍ରେ ‘ଓଡ଼ିଶା’ ରହିଛି । ଆଗାମୀ ୨୪ ଦିନ ମଧ୍ୟରେ ସେ ତିନିଥର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ । ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ କରାଯିବ । ପେଟ୍ରୋଲିୟମ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପ୍ଲାଇନ କାମର ଆରମ୍ଭ ହେବ । ଏଥିସହିତ ୭୩.୫୧ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ଥିବା ଇଏସ୍ଆଇ ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣା ଏନ୍ଏଚ୍-୫ ତଥା ବର୍ତ୍ତମାନ ଏନ୍ଏଚ୍-୧୬ର ୬ଲେନ୍ ଓ କଟକ-ଅନୁଗୋଳ ରାସ୍ତାର ୪ ଲେନ୍ କାମର ଆରମ୍ଭ ହେବ । ଏହି ସମସ୍ତ କାର୍ଯ୍ୟ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଭିଡିଓ କନଫରେନନ୍ସି ଜରିଆରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକ ଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେଷଣା ଚେୟାର ଆରମ୍ଭ କରିବେ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୫ କୋଟିର କର୍ପସ୍ ଫଣ୍ଡ୍ ଯୋଗାଇ ଦିଆଯିବ । ଆଗମୀ ପିଢି ଲାଗି ୨୦୦ ବର୍ଷ ଇତିହାସର ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରି, ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡ଼େକର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ସନ୍ତୋଷ ଗଙ୍ଗୱାର, ଡ. ମହେଶ ଶର୍ମା, ମନୋଜ ସିହ୍ନା ଏବଂ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here