୧୦୮ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀଙ୍କୁ ମାଡ଼

0
34

ବଡ଼ସାହି: ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଉଦଳାରୁ ବାରିପଦା ଅଭିମୁଖେ ଆସୁଥିବା ୧୦୮ ଆମ୍ବୁଲାନ୍ସ ଚାଉଳିଆଶୋଳ ନିକଟରେ ଏକ ଟ୍ରଲିକୁ ଧକ୍କା ଦେଇଥିଲା। ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଭୀଷଣ ମାଡ଼ ମାରିଥିବା ଜଣାପଡ଼ିଛି। ଉତ୍ତେଜିତ ଲୋକଙ୍କ ମାଡ଼ରେ ଆମ୍ବୁଲାନ୍ସର ଚାଳକ, ଫାର୍ମାସିଷ୍ଟ ଓ କର୍ମଚାରୀ ଏହିପରି ସର୍ବମୋଟ ୬ ଜଣ ଆହତ ହୋଇ ଏବେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତା’ଛଡ଼ା ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ୧୦୮ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ଉଦଳାରୁ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ବାରିପଦା ଯାଉଥିବା ବେଳେ ରାତିରେ ଘନକୁହୁଡ଼ି କାରଣରୁ ଚାଉଳିଆଶୋଳ ନିକଟରେ ଏକ ଟ୍ରଲିକୁ ଧକ୍କା ଦେଇଥିଲା। ତୁରନ୍ତ ଆମ୍ବୁଲାନ୍ସର କର୍ମଚାରୀମାନେ ବାରିପଦାରୁ ଅନ୍ୟ ଏକ ଆମ୍ବୁଲାନ୍ସକୁ ଡକାଇ ରୋଗୀଙ୍କୁ ସ୍ଥାନାନ୍ତର କରିବା ବ୍ୟବସ୍ଥା କରିଥିଲେ। କିନ୍ତୁ ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଉଭୟ ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଫାର୍ମାସିଷ୍ଟ ବେଣୁଧର ମହାନ୍ତ, ମାନସ ଦାଶ, ଚାଳକ ପ୍ରଶାନ୍ତ ପାତ୍ର, ମନୋଜ ବେହେରା, ଆଟେଣ୍ଡାଣ୍ଟ ସାଗର ମୁଦୁଲି ଓ ଲକ୍ଷ୍ମଣ ନାଥ ଆହତ ହୋଇ ସେଠାରୁ ଭୟରେ ପଳାୟନ କରିଥିଲେ।

ପରେ ସେମାନେ ବଡ଼ସାହି ଥାନାକୁ ଖବର ଦେବାରୁ ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି। ଏହି ଖବର ପ୍ରଚାରିତ ହେବା ପରେ ୧୦୮ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀ ସଂଘ ଏପରି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସକାଶେ ଦାବି କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ, କର୍ମଚାରୀ ସଂଘ ପକ୍ଷରୁ ସମୂହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ବଡ଼ସାହି ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here