ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ

0
31

ଶ୍ରୀନଗର: ୬ ମାସ ତଳେ ପିପଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା ଫଳରେ ଜମ୍ମୁ-କଶ୍ମୀରରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏହି କାରଣରୁ ସେତେବେଳେ ରାଜ୍ୟର ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କୁ ଶାସନ କ୍ଷମତା ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଏହାକୁ ୬ ମାସ ପୂରିଯାଇଥିବା ବେଳେ ରାଜ୍ୟରେ  ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ସଂକ୍ରାନ୍ତ ପ୍ରସ୍ତାବରେ ଦସ୍ତଖତ କରିବା ପରେ ବୁଧବାର ମଧ୍ୟରାତ୍ରରୁ ଏହି ରାଜ୍ୟର ଶାସନ କ୍ଷମତା କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଛି। ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍‌ ଏ ସଂକ୍ରାନ୍ତ ନିଷ୍ପତ୍ତି ନେଇଥିଲା। ଜମ୍ମୁ-କଶ୍ମୀର ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସକାଶେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିଲେ।

ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ରାଜ୍ୟର ବିଧାନ ମଣ୍ଡଳ ପାର୍ଲାମେଣ୍ଟ୍‌ ଅଧୀନରେ ପରିଚାଳିତ ହେବ। ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁନ୍‌ ୨୦ ତାରିଖରେ ବିଜେପି ସହଯୋଗୀ ପିଡିପିଠାରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏଠାରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଗତ ନଭେମ୍ବର ମାସରେ ଦୁଇ ଦୁଇ ଥର ସରକାର ଗଠନ ପାଇଁ ଦାବି କରାଯିବା ପରେ ନଭେମ୍ବର ୨୨ ତାରିଖରେ ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିଥିଲେ। ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମୁଫ୍‌ତି ମେହବୁବା ନ୍ୟାସନାଲ୍‌ କନ୍‌ଫରେନ୍ସର ଉମର୍‌ ଅବଦୁଲ୍ଲା ଓ କଂଗ୍ରେସ ସହଯୋଗରେ ସରକାର ଗଠନ ପାଇଁ ଦାବି କରିଥିବା ବେଳେ ପରେ ବିଜେପି ସମର୍ଥନରେ ପିପଲ୍ସ କନ୍‌ଫରେନ୍ସର ମୁଖ୍ୟ ସଜାଦ୍‌ ଲୋନେ ସରକାର ଗଠନ ପାଇଁ ଦାବି ରଖିଥିଲେ। କିନ୍ତୁ ଉଭୟ ଦାବି ବିଧାନସଭାରେ ଘୋଡ଼ା ବେପାରକୁ ପ୍ରୋତ୍ସାହିତ କରିବା ସହ ସରକାରର ସ୍ଥାୟିତ୍ବ ଉପରେ ସନ୍ଦେହ କରି ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here