ଦଳ କ୍ଷମତାକୁ ଫେରିଲେ ଦେଶରୁ ଦୁର୍ନୀତିକୁ ଲୋପ କରାଯିବ ଏବଂ ଛାତ୍ର ସମାଜ ପାଇଁ ଯାହା ଆବଶ୍ୟକ, ସେପରି ପଦକ୍ଷେପ ନିଆଯିବ:ରାହୁଲ୍‌ ଗାନ୍ଧି

0
41

ନୂଆଦିଲ୍ଲୀ: ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ଦୁଇ ଥର ଉପା ସରକାର ଭାରତ ଶାସନ ଦାୟିତ୍ବରେ ରହିଥିବା ବେଳେ ୨୦୧୪ରେ ଏନ୍‌ଡିଏ କ୍ଷମତା ହାସଲ କରିଥିଲା। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରର କାର୍ଯ୍ୟକାଳ ଆସନ୍ତା ବର୍ଷ ପୂରିଯାଉଛି। ତେଣୁ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ନିଜ ନିଜ ଦଳ ପ୍ରତି ସାଧାରଣ ଜନତାଙ୍କୁ ଆକର୍ଷିତ କରିବା ସକାଶେ ଦଳମାନେ ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି। ତେବେ ପୁନର୍ବାର କ୍ଷମତାକୁ ଫେରିବା ସକାଶେ କଂଗ୍ରେସ ଏବେ ଛାତ୍ର ସମାଜକୁ ଟାର୍ଗେଟ୍‌ କରିଛି। ସେଥିପାଇଁ ଦଳର ସଭାପତି ରାହୁଲ୍‌ ଗାନ୍ଧି ଛାତ୍ରମାନଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ରାହୁଲ୍‌ ଛାତ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଫେରିଲେ ଦେଶରୁ ଦୁର୍ନୀତିକୁ ଲୋପ କରାଯିବ ଏବଂ ଛାତ୍ର ସମାଜ ପାଇଁ ଯାହା ଆବଶ୍ୟକ, ସେପରି ପଦକ୍ଷେପ ନିଆଯିବ।

ଏହି ଚିଠିରେ ରାହୁଲ୍‌ ଆହୁରି ଲେଖିଛନ୍ତି ଯେ ଦେଶ ଗଠନରେ ଛାତ୍ର ସମାଜର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଦେଶ ଯୁଦ୍ଧ ଦିଗରେ ଅଗ୍ରସର ନ ହୋଇ ବରଂ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, କଳା ଓ ସାହିତ୍ୟର ବିକାଶ ଦିଗରେ ଅଗ୍ରଗତି କରିବା ଉଚିତ ବୋଲି ରାହୁଲ୍‌ ଛାତ୍ର ସମାଜକୁ ଆକର୍ଷିତ କରିବା ଉଦ୍ଦେଶ୍ୟ ନେଇ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି। କଂଗ୍ରେସ ପକ୍ଷରୁ ‘ବେହତର୍‌ ଭାରତ’ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ରାହୁଲ୍‌ ଏହି ଅଭିଯାନ ଅନ୍ତର୍ଗତ ଚିଠି ଲେଖିଛନ୍ତି। ଏହି ଚିଠିକୁ ସବୁ ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ କଲେଜମାନଙ୍କରେ ଥିବା ଭାରତୀୟ ଜାତୀୟ ଛାତ୍ର ସଂଗଠନ (ଏନ୍‌ଏସ୍‌ୟୁଆଇ) ମାଧ୍ୟମରେ ବଣ୍ଟାଯିବ। ଏହି ଅଭିଯାନ ମାଧ୍ୟମରେ ଛାତ୍ର ସମାଜରେ ସମାନ ଅଧିକାର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ସକାଶେ ଉଦ୍ୟମ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here