ଗୋଟିଏ ଲୋକସଭା ଦୁଇଟି ବିଧାନସଭା ଆସନ ଖାଲି

0
385

ଭୁବନେଶ୍ୱର:ଲୋକସଭାରେ ଓଡିଶାର ଗୋଟିଏ ଆସନ ଖାଲି ପଡିଥିବାବେଳେ ବିଧାନସଭାରେ ଆଉ ଦୁଇଟି ଆସନ ଖାଲି ହୋଇଛି । ତେବେ ସାଧାରଣ ନିର୍ବାଚନ ସହ ଓଡିଶା ବିଧାନସଭା ଲାଗି ନିର୍ବାଚନ ୨୦୧୯ର ପ୍ରଥମ ତିନି ଚାରିମାସ ମଧ୍ୟରେ ହେବାକୁ ଥିବାରୁ ଏଥିପାଇଁ ଉପନିର୍ବାଚନ ହେବାର ସମ୍ଭାବନା ନାହିଁ ।

ବିଜେଡିର କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଥମେ ଦଳରୁ ନିଲମ୍ବନ କରାଯାଇଥିଲା ଏବଂ ପରେ ତାଙ୍କୁ ବହିଷ୍କାର କରାଯାଇଥିଲା । ଏହାପରେ ଶ୍ରୀ ପଣ୍ଡା ନିଜ ଆଡୁ ଲୋକସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଲୋକସଭାର ବାଚସ୍ପତି ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିନେବା ସହିତ ନିର୍ବାଚନ କମିଶନକୁ ମଧ୍ୟ କେନ୍ଦ୍ରାପଡା ଲୋକସଭା ଆସନ ଖାଲି ହୋଇଥିବା ସଂକ୍ରାନ୍ତରେ ଜଣାଇ ସାରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଦିବଙ୍ଗତ ରାଜ୍ୟସଭା ସାଂସଦ ପ୍ୟାରିମୋହନ ମହାପାତ୍ରଙ୍କୁ ବିଜେଡି ପ୍ରଥମେ ଦଳରୁ ନିଲମ୍ବନ ଓ ପରେ ବହିଷ୍କାର କରିଥିଲା । ତେବେ ପ୍ୟାରିମୋହନ ରାଜ୍ୟସଭାରୁ ଇସ୍ତଫା ନଦେଇ କୌଣସି ଦଳ ସହିତ ସଂଲଗ୍ନ ନଥିବା ସାଂସଦ ହିସାବରେ ଅବଶିଷ୍ଟ ସମୟ ରାଜ୍ୟସଭା ସଦସ୍ୟ ଭାବେ କଟାଇଥିଲେ । କିନ୍ତୁ ବୈଜୟନ୍ତ ଇସ୍ତଫା ଦେଇଥିବାରୁ ନିଆରା ପରିସ୍ଥିତି ସୃଷ୍ଟିହୋଇଛି ।

ମୟୁରଭଞ୍ଜର ସାଂସଦ ରାମଚନ୍ଦ୍ର ହାଂସଦା ଚିଟ୍‍ଫଣ୍ଡ ସମ୍ପୃକ୍ତ ଅଭିଯୋଗରେ ଗିରଫ ହୋଇ ଜେଲ୍‍ ଯିବାପରେ ତାଙ୍କୁ ବି ଦଳରୁ ନିଲମ୍ବନ କରାଯାଇଛି । ଅନୁରୂପ ଅଭିଯୋଗରେ ପୂର୍ବରୁ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ବି ନିଲମ୍ବନ କରାଯାଇଥିଲା । ପ୍ରଭାତଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବାବେଳେ ରାମଚନ୍ଦ୍ରଙ୍କ କ୍ଷେତ୍ରରେ କିନ୍ତୁ ତାହା ଏଯାବତ୍‍ ହୋଇନାହିଁ । ଦୀର୍ଘବର୍ଷ ଧରି ଜେଲ୍‍ ରହିବାପରେ ସେ ଜାମିନ୍‍ରେ ଆସିଛନ୍ତି ।

ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ କଂଗ୍ରସ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ନୀତିଗତ ପ୍ରଶ୍ନ ଉଠାଇ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିନେବାପରେ ସେ ପ୍ରତିନିଧିତ୍ୱ କରିଆସୁଥିବା କୋରାପୁଟ ସଂରକ୍ଷିତ ଆସନଟି ଖାଲିପଡିଛି ।

ଶୀତାକାଳୀନ ଅଧିବେଶନ ପରେ ରାଉକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ ବିଭିନ୍ନ ପ୍ରସଙ୍ଗ ଉଠାଇ ଦଳରୁ ଓ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ରାୟ ବିଜେପିର ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ମଧ୍ୟ ଥିଲେ ।

ବିଶେଷକରି ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ଏବଂ ବ୍ରାହ୍ମଣୀନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗରେ ସାଢେ ଚାରିବର୍ଷ ତଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥାବିଜେପିର ଶୀର୍ଷନେତା ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ବର୍ଷ ବର୍ଷ ଧରି କାର୍ଯ୍ୟକାରୀ ନହେବା ପରିପ୍ରେକ୍ଷୀରେ ଶ୍ରୀ ରାୟ କ୍ଷୁବ୍ଧହୋଇ ‘ଆଗେ ମାଟି ପଛେ ପାର୍ଟି’ ନୀତିରେ ଇସ୍ତଫା ଦେଇଛନ୍ତି ।

ତାଙ୍କ ଇସ୍ତଫାପତ୍ର ମଧ୍ୟ ବାଚସ୍ପତି ଗ୍ରହଣ କରିନେବା ସଂଗେ ସଂଗେ ନିର୍ବାଚନ କମିଶନଙ୍କୁ ରାଉରକେଲା ଆସନ ଖାଲିହେବା ସଂକ୍ରାନ୍ତରେ ଜଣାଇଛନ୍ତି । ମୋଟାମୋଟି ଭାବେ ଏବେ ରାଜ୍ୟରେ ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭା ଆସନ ଖାଲି ପଡିଥିବା ପରିପ୍ରେକ୍ଷୀରେ ସାଧାରଣ ନିର୍ବାଚନ ପୂର୍ବରୁ ଏଠାରେ ଉପନିର୍ବାଚନ ହେବାର ସମ୍ଭାବନା ନାହିଁ ।

LEAVE A REPLY

Please enter your comment!
Please enter your name here