ପିପିଲି ଗଣଦୁଷ୍କର୍ମକୁ ପୁରିଲ। ୭ ବର୍ଷ , ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ଚାପିଛନ୍ତି ମୁଖ୍ୟମନ୍ତ୍ରୀ : କଂଗ୍ରେସ

0
66

ଭୁବନେଶ୍ୱର : ସାତ ବର୍ଷ ତଳେ ଅର୍ଥାତ୍ ୨୯ ନଭେମ୍ବର ୨୦୧୧ ରେ ପିପିଲି ଥାନା ଅର୍ନ୍ତଗତ ଅର୍ଜୁନଗୋଦା ଗ୍ରାମର ବବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ଏହି ଚର୍ଚ୍ଚିତ ତଥା ନିନ୍ଦିତ ଘଟଣାକୁ ୭ ବର୍ଷ ପୂରି ଯାଇଥିଲେ ବି ଘଟଣାର ତଦନ୍ତ ରିପୋର୍ଟ ଏଯାଏଁ ସାର୍ବଜନୀନ ହୋଇପାରି ନାହିଁ । ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ଇତି ମଧ୍ୟରେ ଅଢେଇ ବର୍ଷ ବିତି ଯାଇଥିଲେ ବି ରିପୋର୍ଟକୁ କ’ଣ ସାର୍ବଜନୀନ କରାଯାଉ ନାହିଁ ଓ ବିଚାର ମଧ୍ୟ ଅଧା
ବାଟରେ ପଡିରହିଛି? ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ମୁଖା ଖୋଲିଯିବା ଭୟରେ ମୁଖ୍ୟମନ୍ତ୍ରୀ ତଦନ୍ତ ରିପୋର୍ଟକୁ ଚାପି ରଖିଛନ୍ତି ଏବଂ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଇସାରାରେ ରିପୋର୍ଟକୁ ଚାପି ରଖାଯାଇଛି ଏବଂ ବବିନା ଗଣଦୁଷ୍କର୍ମର ବିଚାରକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରୁନାହାନ୍ତି ବୋଲି କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସିଖାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଏପରିକି ଯେଉଁ ଅଧିକାରୀମାନଙ୍କର ନିଷ୍କ୍ରୀୟତା ଓ ରାଜନେତାମାନଙ୍କର ହସ୍ତକ୍ଷେପ ଫଳରେ ପୋଲିସ ମାମଲା ରୁଜୁ କରିନଥିଲା କି ଡାକ୍ତର ସଠିକ୍ ଭାବେ
ଚିକିତ୍ସା କରି ନଥିଲେ । ରାଜ୍ୟ ମାନବାଧିକାର କମିଶନର ହସ୍ତକ୍ଷେପ ପରେ ଘଟଣା ଘଟିବାର ଦେଢ଼ ମାସ ପରେ ପୋଲିସ ମାମଲା ରୁଜୁ କରିଥିଲା ଏବଂ ରାଜ୍ୟରେ ବ୍ୟାପକ ଜନଅସନ୍ତୋଷକୁ ସହି ନପାରି ଶେଷରେ ସରକାର ବାଧ୍ୟହୋଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଏକ ଦେଖାଣିଆ ନିଲମ୍ବନ / ବହିଷ୍କାର ଆଦେଶ ଦେଇଥିଲେ ଏବଂ ସେତେବେଳର କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା । ଅଧିକାରୀମାନେ ଏବେ ନ୍ୟାୟ ପାଇ ଚାକିରିରେ ଅବସ୍ଥାନ କରୁଥିବା ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ ମଧ୍ୟ ତାଙ୍କର ମନ୍ତ୍ରୀ ପଦ ଫେରି ପାଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଘଟଣାକୁ ସାତ ବର୍ଷ ପୁରିଯାଇଥିଲେ ମଧ୍ୟ ଏବେସୁଦ୍ଧା ଦଳିତ ପରିବାର ନ୍ୟାୟ ପାଇନାହାନ୍ତି ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ସିଧାସଳଖ ଭାବେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଜଷ୍ଟିସ୍ ପି.କେ ମହାନ୍ତି କମିଶନ ମୁଖ୍ୟତଃ ୧) କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ୨) ଏଥିପାଇଁ ଉତରଦାୟୀ କିଏ ଏବଂ ୩) ପୋଲିସ ତା’ର ସଠିକ ଭାବେ କାର୍ଯ୍ୟ ସଂପାଦନ କରିଛି ନା
ନାହିଁ, କମିଶନ ଏହି ତିନୋଟି ପ୍ରସଙ୍ଗକୁ ତଦନ୍ତ ପାଇଁ ପାଖାପାଖି ୪ ବର୍ଷ ସମୟ ନେଇଥିବା ସ୍ଥଳେ ୧୧୧ ଥର ଏଥିପାଇଁ ବୈଠକ କରିଥିଲେ ଏବଂ ୩୦ ମାର୍ଚ୍ଚ ୨୦୧୬ ରେ ପାଖାପାଖି ୪୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ ଏବଂ ବବିନା ଗଣଦୁଷ୍କର୍ମ ଘଟଣାର ବିଚାର ପୁରୀରୁ ସ୍ଥାନାନ୍ତର ହୋଇ ଭୁବନେଶ୍ୱରର ଅଧା ବାଟରେ ପଡିରହିଛି । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ମୁଖ୍ୟମନ୍ତ୍ରୀଙ୍କର ମା’କୁ ସମ୍ମାନ ଏକ ଭେଳିକି ମାତ୍ର । ମୁଖ୍ୟମନ୍ତ୍ରୀଙ୍କର ଯଦି ଦଳିତ ଓ ମହିଳାମାନଙ୍କ ପ୍ରତି ସାଧାରଣରେ ଦରଦ ଥାଏ, ତେବେ ଜଷ୍ଟିସ୍ ପି.କେ. ମହାନ୍ତି କମିଶନଙ୍କ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରି କାର୍ଯ୍ୟକାରୀ କରିବା ସହିତ ବବିନା ଘଟଣାରେ ଅଧାବାଟରେ ପଡିଥିବା ବିଚାରକୁ ତ୍ୱରାନ୍ୱିତ କରି ନ୍ୟାୟ ପ୍ରଦାନ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋଜ ମହାପାତ୍ର, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥି ଏବଂ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here