ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ବନ୍ଦ

0
32

ପୁରୀ:  ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂପ୍ରତି କାର୍ତ୍ତିକମାସ ଚାଲିଥିବାରୁ ଶ୍ରୀମନ୍ଦିରରେ ଲାଗୁ କରାଯାଇଥିବା ଧାଡିଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖା ଯାଇଥିବା ନେଇ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଶ୍ରୀମନ୍ଦିରରେ ଧାଡିଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି । ଅନ୍ୟପକ୍ଷରେ କାର୍ତ୍ତିକମାସ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭଡା ମହାପ୍ରସାଦର ଦର ନିର୍ଦ୍ଧାରଣ କରାଯାଇ ଦରତାଲିକା ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ମଙ୍ଗଳବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ସଂସ୍କାରପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, କାର୍ତ୍ତିକ ମାସ ପରେ ଅନ୍ୟ ମହାପ୍ରସାଦ ପ୍ରସ୍ତୁତ ଲାଗି କେତେ ଖର୍ଚ୍ଚ ହେଉଛି ତାହାର ତର୍ଜମା କରାଯିବ । ଏହାପରେ ଦର ନିର୍ଦ୍ଧାରଣ କରାଯାଇ ଆନନ୍ଦ ବଜାରରେ ରେଟ୍ଚାଟ୍ ଲଗାଯିବ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ରହିଥିବା ତଥା ନଷ୍ଟ ହୋଇ ଆସୁଥିବା ପ୍ରତିମାଗୁଡିକୁ ବଦଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚଳନ୍ତି ପ୍ରତିମା ଭାବେ ପୂଜିତ ଚାରିବିଗ୍ରହ ଲକ୍ଷ୍ମୀ,ନାରାୟଣ, ମଦନମୋହନ ଓ ବାମନଙ୍କୁ ବଦଳାଯିବା ପାଇଁ ସ୍ଥିର କରାଯାଇଛି । ଇତିମଧ୍ୟରେ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । କେବଳ ପ୍ରତିଷ୍ଠା କାମ ବାକି ରହିଛି । ଏହିସବୁ ପ୍ରତିମାକୁ ବଦଳାଇବା ପାଇଁ ପୁଷ୍ପାଳକ ଓ ସିଂହାରୀ ସେବାୟତଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଧାଡିଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା । ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା ମଧ୍ୟ ଦୁର୍ବୃତ୍ତମାନେ କରିଥିଲେ । ଏହି ଘଟଣାରେ ପୋଲିସ ୧୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି । ଏହା ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ବର୍ତ୍ତମାନ ପାଇଁ ଏହି ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି । ଶ୍ରଦ୍ଧାଳୁମାନେ ସିଂହଦ୍ୱାରବାଟେ ପ୍ରବେଶ କରିପାରିବେ ଓ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ ବୋଲି ମୁଖ୍ୟପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here