ବିଶ୍ୱକପ୍‌ ହକି ଦଳରେ ଦୁଇ ଓଡ଼ିଆ

0
24

ଭୁବନେଶ୍ୱର :ବିଶ୍ୱ କପ୍ ହକି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି।  ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ଦଳରେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି।୨୦୧୭ରେ ବିଶ୍ୱ ହକି ଲିଗ ଫାଇନାଲରେ ଉଭୟ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେହିଭଳି ବୀରେନ୍ଦ୍ର ଲାକ୍ରା ୨୦୧୪ରେ କଳିଙ୍ଗ ଷ୍ଟାଡ଼ିୟମରେ ଚାମ୍ପିୟନସ ଟ୍ରଫି ଖେଳିଥିଲେ। ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ଚଳିତ ବିଶ୍ୱକପ୍‌ ରଣାଙ୍ଗନକୁ ଓହ୍ଲାଇବ । ଅନ୍ୟତମ ମିଡ଼ଫିଲïର ଚିଙ୍ଗଲେନ୍‌ସାନା ସିଂ କୁଙ୍ଗୁଜାମ୍‌ ଉପଅଧିନାୟକ ମନୋନୀତ ହୋଇଛନ୍ତି । ନିକଟରେ ଆହତ ସମସ୍ୟା ଯୋଗୁଁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଖେଳିପାରିନଥିବା ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ବିଶ୍ୱକପ୍‌ ଦଳକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବୀରେନ୍ଦ୍ରଙ୍କ ବ୍ୟତୀତ ଅନ୍ୟତମ ନବାଗତ ଡିଫେଣ୍ଡର ଅମିତ ରୋହିଦାସ ଘରୋଇ ପଡ଼ିଆରେ ସ୍ମରଣୀୟ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି । ନିକଟରେ ଏସିଆନ୍ସ ଚାମ୍ପିଅନ୍ସ ଟ୍ରଫି ନିମନ୍ତେ ଘୋଷଣା ହୋଇଥିବା ଭାରତୀୟ ଦଳରେ ଜଣେ ହେଲେ ବି ଓଡ଼ିଆ ସ୍ଥାନ ପାଇନଥିବାରୁ ତୀବ୍ର ସମାଲୋଚନା କରାଯାଇଥିଲା । ଭୁବନେଶ୍ୱରରେ ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ଭାରତୀୟ ଦଳରେ ଓଡ଼ିଆ ଖେଳାଳି ସ୍ଥାନ ନପାଇଲେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପାରେ ବୋଲି ଅନେକ ମତ ଦେଇଥିଲେ । ଏସବୁ ଖଣ୍ଡନ କରି କୋଚ୍‌ ହରେନ୍ଦ୍ର ସିଂ ଓଡ଼ିଶା ଦଳ ନୁହେଁ ବରଂ ହିନ୍ଦୁସ୍ଥାନ ଦଳ ଚୟନ ହେବ ବୋଲି କହିଥିଲେ । ଦକ୍ଷତା ଥିଲେ ଯେକୌଣସି ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇବେ । ଶେଷରେ ସବୁ ସମାଲୋଚନା, ଆଶା ଆଶଙ୍କାର ଅନ୍ତ ହୋଇଛି । ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଓ ଅମିତରୋହି ଦାସଙ୍କ ବିଶ୍ୱକପ୍‌ ଖେଳିବା ସ୍ୱପ୍ନ ପୂରଣ ହେବାକୁଯାଉଛି ।
ନଭେମ୍ବର ୨୮ରେ ଭାରତ ଉଦ୍‌ଘାଟନୀ ମ୍ୟାଚରେ ଦ.ଆଫ୍ରିକାକୁ ଭେଟିବ । ଦଳରେ ଦୁଇ ଜଣ ଗୋଲ୍‌କିପର ପିଆର୍‌ ଶ୍ରୀଜେସ୍‌ ଓ କ୍ରିଷ୍ଣା ବାହାଦୂର ପାଠକଙ୍କୁ ନିଆଯାଇଛି । ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କ ବ୍ୟତୀତ ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, କୋଥାଜିତ ସିଂ ଏବଂ ୨୦୧୬ ଜୁନିୟର ବିଶ୍ୱକପ୍‌ ବିଜୟୀ ଦଳର ହରମନପ୍ରୀତ ସିଂ, ବରୁଣ କୁମାର ସ୍ଥାନ ପାଇଛନ୍ତି । ଏମାନେ ସମସ୍ତେ ଦକ୍ଷ ଡ୍ରାଗଫ୍ଲିକର । ସେହିଭଳି ମିଡ଼ଫିଲïର ବର୍ଗରେ ଅଧିନାୟକ ମନପ୍ରୀତ ସିଂ’ଙ୍କ ସମେତ ଚିଙ୍ଗଲେନ୍‌ସାନା ସିଂ କଙ୍ଗୁଜାମ୍‌, ଯୁବ ଖେଳାଳି ସୁମିତ, ନୀଳକାନ୍ତ ଶର୍ମା ଓ ଗତ ମାସ ଅନ୍ତର୍ଜାତୀୟ ଡେବୁ୍ୟ କରିଥିବା ହାର୍ଦ୍ଧିକ ସିଂ ସ୍ଥାନ ପାଇଛନ୍ତି । ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଯୁଗ୍ମ ବିଜେତା ଭାରତୀୟ ଦଳରେ ମନପ୍ରୀତ ସିଂଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିଲା । ଏଦୃଷ୍ଟିରୁ ତାଙ୍କୁ ବିଶ୍ୱକପ୍‌ରେ ଦଳର ନେତୃତ୍ୱ ମିଳିଛି । ଫରୱାର୍ଡ ବର୍ଗରେ ଅଭିଜ୍ଞ ଆକାଶଦୀପ ସିଂ, ଦୀଲପ୍ରିତ ସିଂ, ଲଲିତ ଉପାଧ୍ୟାୟ ତଥା ଜୁନିୟର ବିଶ୍ୱକପ ବିଜେତା ଦଳର ମନଦୀପ ସିଂ, ସୁମରନ୍‌ ଜିତ ସିଂ ସ୍ଥାନ ପାଇଛନ୍ତି ।
ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱ ମହାକୁମ୍ଭ ଆୟୋଜିତ ହେବ । ଏଥିରେ ସାରା ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଅଂଶଗ୍ରହଣ କରିବେ । ଏମାନଙ୍କୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ପୁଲ୍‌ ସି’ରେ ଆୟୋଜକ ଭାରତ ସମେତ ବିଶ୍ୱର ନଂ.୩ ର୍ୟାଙ୍କ ଦଳ ବେଲଜିୟମ୍‌, କାନାଡା ଓ ଦ.ଆଫ୍ରିକା ସ୍ଥାନ ପାଇଛନ୍ତି ।
କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆର କ୍ୟାମ୍ପ ଆୟୋଜିତ ହୋଇଛି । ବିଶ୍ୱକପ୍‌ ଦଳ ଚୟନ ନିମନ୍ତେ ୩୪ ଜଣିଆ ତାଲିକା ଘୋଷଣା ହୋଇଥିଲା । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୮ ଜଣଙ୍କୁ ଦଳରେ ସ୍ଥାନ ମିଳିଛି । ଉଭୟ ଅଭିଜ୍ଞ ଓ ନବାଗତଙ୍କୁ ନେଇ ଭାରତୀୟ ବିଶ୍ୱକପ ଦଳ ବେଶ ସନ୍ତୁଳିତ ହୋଇଛି ବୋଲି ମୁଖ୍ୟକୋଚ ହରେନ୍ଦ୍ର ସିଂ କହିଛନ୍ତି । ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ଜାତୀୟ ଦଳର ପ୍ରଶିକ୍ଷଣ ଶିବିର ଜାରି ରହିବ ।
ଭାରତୀୟ ଦଳ
ଗୋଲକିପର: ପିଆର୍‌ ଶ୍ରୀଜେସ୍‌, କ୍ରିଷ୍ଣା ବାହାଦୂର ପାଠକ । ଡିଫେଣ୍ଡର୍ସ: ହରମନପ୍ରୀତ ସିଂ, ବୀରେନ୍ଦ୍ର ଲାକ୍ରା, ବରୁଣ କୁମାର, କୋଥାଜିତ ସିଂ, ସୁରେନ୍ଦ୍ର କୁମାର, ଅମିତ ରୋହିଦାସ । ମିଡ଼ଫିଲïର୍ସ: ମନପ୍ରୀତ ସିଂ (ଅଧିନୟକ), ଚିଙ୍ଗଲେନସାନା ସିଂ କଙ୍ଗୁଜାମ୍‌ (ଉପଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ ଓ ସୁମିତ । ଫରୱାର୍ଡ୍ସ: ଆକାଶଦୀପ ସିଂ, ମନପ୍ରୀତ ସିଂ, ଦୀଲପ୍ରୀତ ସିଂ, ଲଳିତ କୁମାର ଉପାଧ୍ୟାୟ, ସିମରନ୍‌ଜିତ ସିଂ ।

LEAVE A REPLY

Please enter your comment!
Please enter your name here