ଦ୍ୱିତୀୟ ଟି-୨୦ ୱେଷ୍ଟ ଇଣ୍ଡିଜ୍ ପରାସ୍ତ

0
40

ଲକ୍ଷ୍ନୌ : ଓପନର ରୋହିତ ଶର୍ମାଙ୍କ ରେକର୍ଡ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ୍ର ଦ୍ୱିତୀୟ ମୁକାବିଲାରେ ଭାରତ ୭୧ ରନ୍ରେ ବିଜୟଲାଭ କରିଛି । ଏହି ବିଜୟ ସହ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୨-୦ର ଅପରାଜେୟ ଲିଡ୍ ହାସଲ କରିଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଦୁଇ ୱିକେଟ ବିନିମୟରେ ୧୯୫ ରନ୍ କରିଥିଲା । ଦଳପକ୍ଷରୁ ରୋହିତ ମାତ୍ର ୬୧ ବଲ୍ରେ ୮ଟି ଚୌକା ଓ ୭ଟି ଛକା ସହ ସର୍ବାଧିକ ୧୧୧ ରନ୍ କରି ଅପରାଜିତ ରହିଥିଲେ । ସେ ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ଟି-୨୦ରେ ସର୍ବାଧିକ ରନ୍ ହାସଲ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହି ତାଲିକାରେ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ୨୨୭୧ ରନ୍ ସହ ସବୁଠାରୁ ଆଗରେ ରହିଛନ୍ତି । ରୋହିତ ବର୍ତ୍ତମାନ ଟି-୨୦ରେ ୨୦୯୨ ରନ୍ କରିଛନ୍ତି । ମଙ୍ଗଳବାର ରୋହିତ ଇନିଂସ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଧାୱନଙ୍କ ସହ ପ୍ରଥମ ୱିକେଟରେ ୧୨୩ ରନ୍ର ପାର୍ଟନରସିପ୍ ଛିଡ଼ା କରିବା ପରେ ରୋହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ମଝବୁତ ସ୍ଥିତିରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାୱନ ୪୩, ରିଷବ୍ ପନ୍ଥ ୫ ଓ କେ.ଏଲ. ରାହୁଲ ୨୬ରନ କରିଥିଲେ । ୧୯୬ ରନ୍ର ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ୯ ୱିକେଟ ବିନିମୟରେ ମାତ୍ର ୧୨୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଦଳପକ୍ଷରୁ ବ୍ରାଭୋ ୨୩, କିମୋ ପଲ୍ ୨୦, ସିମରନ୍ ହେଟମେୟର ୧୫ ଓ ଦିନେଶ ରାମଦିନ୍ ୧୦ ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଯଶପ୍ରୀତ ବୁମରା ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଏହି ସିରିଜ୍ର ତୃତୀୟ ତଥା ଅନ୍ତିମ ମୁକାବିଲା ରବିବାର ଚେନ୍ନାଇଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here