ସମସ୍ତ ସ୍କୁଲ ଦେୟ ଓ ପରୀକ୍ଷା ଦେୟ ସମ୍ପୂର୍ଣ୍ଣ ଛାଡ ଘୋଷଣା

0
1092

ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଦେୟ ଓ ପରୀକ୍ଷା ଦେୟ ସମ୍ପୂର୍ଣ୍ଣ ଛାଡ ହେବ ଘୋଷଣା କରିଛନ୍ତି  । ସେହିଭଳି ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଦୁଇ ହଳ ସ୍କୁଲ ପୋଷାକ ଓ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ,ତିତ୍‍ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷତିଗ୍ରସ୍ତ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ପାଇଁ ବି ରାଜ୍ୟ ସରକାର ଆଜି କେତେକ ପ୍ୟାକେଜ ଘୋଷଣା କରିଛନ୍ତି ।

ଘୋଷଣା ଅନୁଯାୟୀ ୩୩ପ୍ରତିଶତ ବା ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଣଜଳସେଚିତ ଜମିପାଇଁ ହେକ୍ଟର ପିଛା ୬୮୦୦ ଓ ଜଳସେଚିତ ଜମିପାଇଁ ହେକ୍ଟରପିଛା ୧୩,୫୦୦ ଟଙ୍କା ଇନ୍‍ପୁଟ୍‍ ସବ୍‍ସିଡ୍‍ ଦିଆଯିବ । ସେହିଭଳି ସବୁଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛା ଚାଷୀମାନେ ୧୮ହଜାର ଟଙ୍କାର ସହାୟତା ପାଇବେ ।

ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ୨୦୧୮-୧୯ ରବି ଫସଲପାଇଁ ଡାଲି, ତୈଳବୀଜ ଓ ପନିପରିବା ବିହନ ଥିବା ୨ଲକ୍ଷ ମିନି କିଟ୍‍ ଯୋଗାଇ ଦିଆଯିବ । କାଜୁ, ଆମ୍ବର, ନଡିଆ, କିଆ, ରେଶମ ଆଦି ଚାଷ କ୍ଷେତ୍ରରେ ନଷ୍ଟ ହୋଇଥିବା ୨୦ହଜାର ହେକ୍ଟର ଜମିର ପୁନରୁଦ୍ଦା ହେବ ।

କ୍ଷତିଗ୍ରସ୍ତ ହୋଇଥିବା ୨୦୦୦ ହେକ୍ଟର ଆଖୁ ଫସଲକୁ ସ୍ୱତନ୍ତ୍ର ସହାୟତା, ମୂଳ ଓ ଆଳୁ ଜାତୀୟ ଫସଲ ପାଇଁ ୟୁନିଟ୍‍ ପିଛା ୭୦୦୦ ଟଙ୍କା ହିସାବରେ ୨୦୦୦ ଚାଷୀଙ୍କୁ ସହାୟତା, ୫୦୦ ଛତୁ ଚାଷୀଙ୍କୁ ୟୁନିଟ୍‍ ପିଛା ୧୦ହଜାର ଟଙ୍କା ମିଳିବ । ସେହିଭଳି ୫୦ ପ୍ରତିଶତ ରିହାତିରେ ୧୦୦୦ ପମ୍ପସେଟ୍‍ ଓ ୯୦ ପ୍ରତିଶତ ରିହାତିରେ ୧୦୦୦ ସୌର ପମ୍ପସେଟ୍‍ ଦିଆଯିବ ।

ଚାଷୀମାନେ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର ଓ ୫୦ ହଜାର ଚାଷୀଙ୍କୁ ଆମ୍ବର, ନଡିଆ ଚାରା ପ୍ରଦାନ କରାଯିବ ।

ଗୁହାଳ ଗୁଡିକର ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ଏକ ଲକ୍ଷ ୧୩ହଜାର ଟଙ୍କା କରି ଦିଆଯିବା ସହିତ ଛେଳି ଗୁହାଳ ପୁନରୁଦ୍ଧା ପାଇଁ ଅନୁରୂପ ସଂଖ୍ୟକ ଚାଷୀଙ୍କୁ ୪୪ହଜାର ଟଙ୍କା କରି ମିଳିବ । କୁକୁଡା ପାଳନ ପାଇଁ ୨୦ହଜାର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ।

ମାଛ ଚାଷରେ କ୍ଷତି ସହିଥିବା ଚାଷୀମାନଙ୍କୁ ୭୫ ପ୍ରତିଶତ ରିହାତିରେ ହେକ୍ଟର ପିଛା ୧.୧୨୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ସେହିଭଳି ଡଙ୍ଗା ପିଛା ୨୨,୫୦୦ ଓ ଜାଲ ପିଛା ୧୫ହଜାର ଟଙ୍କାର ସହାୟତା ମିଳିବ । ସାମୁଦ୍ରିକ ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗାପିଛା ୬୦ହଜାର ଓ ଜାଲପିଛା ୧୫ଟଙ୍କା କରି ଦିଆଯିବ ।

ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରମାନଙ୍କୁ ନୂତନ ଯନ୍ତ୍ରପାତି ପାଇଁ ଜଣ ପିଛା ୪୧ହଜାର ଟଙ୍କା ଓ କଞ୍ଚାମାଲ ପାଇଁ ଜଣକୁ ୪୧୦୦ ଟଙ୍କା ଦିଆଯିବ । ରେଶମଚାଷୀଙ୍କୁ ହେକ୍ଟର ପିଛା ୪୮୦୦ ଟଙ୍କାର ଇନ୍‍ପୁଟ୍‍ ସବ୍‍ସିଡ୍‍ ମିଳିବ ।

କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାରଙ୍କର ସହାୟତା ବୃଦ୍ଧି ପାଇଁ ୩୦ହଜାର ଚାଷୀ ଥିବା ୨୦୦ ଉତ୍ପାଦକ ଗୋଷ୍ଠିକୁ ପ୍ରୋତ୍ସାହନ ଦିଆଯିବ । ଚାଷକାର୍ଯ୍ୟରେ ଲିପ୍ପ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଅତିରିକ୍ତ ଭାବେ ୫୦୦୦ ଟଙ୍କା କରି ସିଡ୍‍ ମନି ଦିଆଯିବ ।

 

LEAVE A REPLY

Please enter your comment!
Please enter your name here