ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ଠ।ରୁ ଭାରତ ପରାସ୍ତ

0
29

ପୁନେ : ଦମ୍ଦାର ବୋଲିଂ ବଳରେ ଶନିବାର ପୁନେରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ଭାରତକୁ ୪୩ରନ୍ରେ ପରାସ୍ତ କରିଛି । ଫଳରେ ଏହି ୫ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ର ସ୍କୋର ୧-୧ର ବରାବର ସ୍ଥିତିକୁ ଚାଲିଆସିଛି । ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚ୍ ଡ୍ର ରହିଥିଲା । ତେବେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିଜୟ ଲାଭ କରିବା ଫଳରେ ସିରିଜ୍ ୧-୧କୁ ଚାଲିଆସିଛି । ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଚାଲିଥିବା ଶନିବାରର ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୱେଷ୍ଟଇଣ୍ଡିଜ୍ ୨୮୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ତେବେ ୨୮୪ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍ ମାତ୍ର ୨୪୦ରନ୍ କରି ଅଲଆଉଟ୍ ହୋଇଯାଇଛି । ଜବରଦସ୍ତ ଫର୍ମରେ ଥିବା ବିରାଟ୍ କୋହଲିଙ୍କ ଶତକ ବେକାର ଯାଇଛି । ଖରାପ ଫର୍ମରେ ଥିବା ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ବିଫଳ ସାବ୍ୟସ୍ତ ହୋଇଛନ୍ତି । ସେ ୧୧ ବଲ୍ରୁ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଛନ୍ତି । ଦଳର ସ୍କୋର ୧୯୪ ରନ୍ ଥିବା ବେଳେ ସେ ଆଉଟ୍ ହୋଇଥିଲେ । ସେହିପରି ନବାଗତ ଋଷଭ ପନ୍ଥ ମଧ୍ୟ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ତାଙ୍କଠାରୁ ତାଙ୍କ ପ୍ରଶଂସକ ଅନେକ ଆଶା ରଖିଥିଲେ ମଧ୍ୟ ସେ ୧୮ ବଲ୍ରୁ ୩ଟି ଚୌକା ଓ ଗୋଟିଏ ଛକା ବଳରେ ମାତ୍ର ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଅମ୍ବାତି ରାଇଡୁ ମଧ୍ୟ ଶୀଘ୍ର ପ୍ୟଭିଲିଅନ୍କୁ ଫେରିଥିଲେ । ସେ ମଧ୍ୟ ୨୭ ବଲ୍ରୁ ୨୨ରନ୍ କରି ଆଉଟ୍ ହୋଇଥିଲେ । ରାଇଡୁ ତୃତୀୟ ୱିକେଟ୍ରେ କୋହଲିଙ୍କ ସହ ଦ୍ରୁତ ରନ୍ କରିଥିଲେ ମଧ୍ୟ ବଡ଼ ଇନିଂସ ଖେଳି ପାରି ନ ଥିଲେ । ରାଇଡୁ ଗତ ମ୍ୟାଚ୍ରେ ୭୩ ରନ୍ର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଦ୍ୱିତୀୟ ୱିକେଟ୍ ପାର୍ଟନରସିପ୍ରେ ଶିଖର ଧାୱନ୍ ଓ ବିରାଟ୍ କୋହଲି ୭୯ ରନ୍ ଯୋଡିଥିଲେ ମଧ୍ୟ ଏହା ଭାରତର ବିଜୟ ପାଇଁ ଯଥେଷ୍ଟ ସାବ୍ୟସ୍ତ ହୋଇ ପାରି ନ ଥିଲା । ୩୫ରନ୍ କରି ଶିଖର ଧାୱନ୍ ଆଉଟ୍ ହୋଇ ଯାଇଥିଲେ । ଲକ୍ଷ୍ୟକୁ ପିଛା କରି ଏହା ଭାରତର ନିରାଶାଜନକ ପ୍ରଦର୍ଶନ ଥିଲା । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସାଇ ହୋପ୍ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଆକର୍ଷଣୀୟ ଖେଳ ଦେଖାଇଥିଲେ । ଗତ ମ୍ୟାଚ୍ରେ ସେ ୧୨୩ରନ୍ର ଇନିଂସ ଖେଳିଥିବା ବେଳେ ଶନିବାର ମ୍ୟାଚ୍ରେ ୯୫ରନ୍ରେ ଆଉଟ୍ ହୋଇ ଶତକରୁ ବଞ୍ଚିତ୍ ହୋଇଛନ୍ତି । ସେ ନିଜ ଇନିଂସରେ ୬ଟି ଚୌକା ଓ ୩ଟି ଛକା ମାରିଥିଲେ । ଷଷ୍ଠ ୱିକେଟ୍ରେ ୱେଷ୍ଟଇଣ୍ଡିଜ୍ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରି ଦଳର ବିଜୟର ମୁଖ୍ୟଧାର ସାଜିଥିଲେ । ସେହିପରି ଚଳିତ ସିଜିନ୍ରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରୁଥିବା ସିମରନ୍ ହିଟ୍ମାୟର ୨୧ ବଲ୍ରୁ ଧୁଆଁଧାର ୩୭ରନ୍ର ଇନିଂସ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here