ବିଏସ୍‌-୪ ଗାଡ଼ି ୨୦୨୦ ଏପ୍ରିଲ ପହିଲାରୁ ବିକ୍ରି ହେବନି:ସୁପ୍ରିମକୋର୍ଟ

0
125

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ଭାରତ ଷ୍ଟେଜ(ବିଏସ୍‌)-୪ ଗାଡ଼ି ବିକ୍ରି କରାଯାଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହିତ ବିଏସ୍‌-୬ ଗାଡ଼ିରୁ ବାହାରୁଥିବା ଧୂଆଁର ମାତ୍ରା ମାନଦଣ୍ଡ ମଧ୍ୟ ସେହିଦିନ ଠାରୁ ଲାଗୁ ହୋଇଯିବ ବୋଲି ଦର୍ଶାଯାଇଛି। ୨୦୨୦ ଏପ୍ରିଲ ପହିଲାରୁ ସାରା ଦେଶରେ ବିଏସ୍‌-୬ ଅନୁକୂଳ ଗାଡ଼ି ବିକ୍ରି କରାଯିବ ବୋଲି ବିଚାରପତି ମଦନ ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଅଧିକ ସ୍ବଚ୍ଛ ଇନ୍ଧନ ଆଡ଼କୁ ଦେଶ ଅଗ୍ରସର ହେବାର ସମୟ ଆସିଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଥାଉ କି, ୨୦୧୭ ଏପ୍ରିଲରୁ ଦେଶରେ ବିଏସ୍‌-୪ ନିୟମ ଲାଗୁ ହୋଇଛି। ବିଏସ୍‌-୫ ନିୟମ ବଦଳରେ ସିଧାସଳଖ ୨୦୨୦ରୁ ବିଏସ୍‌-୬ ନିୟମ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ୨୦୧୬ରେ ଘୋଷଣା କରିଥିଲେ। ୨୦୨୦ ଏପ୍ରିଲ ପହିଲା ପରେ ମଧ୍ୟ ବିଏସ୍‌-୪ ଗାଡ଼ି ବିକ୍ରିକୁ ଅନୁମତି ଦିଆଯିବ କି ନା ସେନେଇ ସୁପ୍ରିମକୋର୍ଟ ଏକାଧିକ ଆବେଦନର ବିଚାର କରୁଥିଲେ। ଏଥିପାଇଁ ଆହୁରି ୩ ମାସ ଅର୍ଥାତ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ଗାଡ଼ି ନିର୍ମାତାମାନେ ଯୁକ୍ତି ଦର୍ଶାଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଆମିକସ୍‌ କ୍ୟୁରି ବା ନ୍ୟାୟ ମିତ୍ର ଭାବେ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଓକିଲ ଅପରାଜିତା ସିଂ ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ସେପ୍ଟେମ୍ବର ଯାଏ ସମୟ ଦେବାକୁ ଯୁକ୍ତି ଦର୍ଶାଇଥିବା ବେଳେ ସେ ତାହାକୁ ମଧ୍ୟ ବିରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here