ପଲିଥିନ ବବ୍ୟହ।ର ଉପରେ କଟକଣା ଲଗାଇବ।କୁ ପ୍ରସ୍ତୁତ ନ।ହିଁ ବିଏମ୍‍ସି

0
48

ଭୁବନେଶ୍ୱର:ରାଜ୍ୟରେ ପ୍ଲାଷ୍ଟିକ କଟକଣା କାର‌୍ୟ୍ୟକାରୀ ହେବାକୁ ଯାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ସମେତ ରାଜ୍ୟର ୫ଟି ମହାନଗର ନିଗମରେ ପ୍ଲାଷ୍ଟିକ କଟକଣା କାର‌୍ୟ୍ୟକାରୀ ହେବ । ହେଲେ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମର ପୂର୍ବ ପ୍ରସ୍ତୁତି ନାହିଁ ।

ପ୍ରଥମ ପର‌୍ୟ୍ୟାୟରେ ବିଏମ୍‍ସି ସମେତ କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ସହର ଗୁଡିକରେ ପ୍ଲାଷ୍ଟିକ କଟକଣା ଲାଗୁ ହେବାକୁ ଯାଉଥିବାବେଳେ ଏବେ କିନ୍ତୁ ସବୁଆଡେ ପଲିଥିନ୍‍ ଠାରୁ ଆରମ୍ଭ କରି ଥର୍ମୋକୁଲ୍‍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ଭରପୂର ହୋଇ ରହିଛି ।

ଗତ ଜୁଲାଇ ମାସରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର‌୍ୟ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ପ୍ଲାଷ୍ଟିକମୁକ୍ତ ପାଇଁ ଘୋଷଣା କରିଥିଲେ । ଆସନ୍ତା ଗାନ୍ଧୀଜୟନ୍ତୀରୁ ଏହି କଟକଣା ଲାଗିବ ବୋଲି ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ ମୁକ୍ତ ନେଇ ରାଜ୍ୟ କ୍ୟାବିନେଟ୍‍ରେ ଆସିଥିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି ।

ତଦନୁଯାୟୀ ଆଉ ଦିନକ ପରେ ରାଜଧାନୀରେ ପ୍ଲାଷ୍ଟିକ ଉପରେ କଟକଣା ଲାଗିବ । ହେଲେ ବର୍ତ୍ତମାନ ସହରର ଦୋକାନ ବଜାରରେ ଯେଭଳି ପ୍ଲାଷ୍ଟିକ ସାମଗ୍ରୀ ବିଶେଷକରି ପଲିଥିନ୍‍ ହାଉଯାଉ ହେଉଛି ସେଥିରୁ ଏହି କଟକଣା କାର‌୍ୟ୍ୟକାରୀ ନେଇ ସନ୍ଦେହ ଉପୁଜିଛି ।

କାରଣ କଟକଣା ଲାଗୁ ହେବା ପୂର୍ବରୁ ଏହାର ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ଲଗାମ ଲଗାଯାଇ ନଥିବାରୁ ଏବେ ବି ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ୍‍ ସହରକୁ ଆସୁଥିବା ସହିତ ଏହାର ବ୍ୟବହାର ହେଉଛି ।

ଇତି ମଧ୍ୟରେ ସହରର ଚାରିଆଡେ ପଲିଥିନ୍‍ ମୁଣା ସହିତ, ପ୍ଲାଷ୍ଟିକ ବ୍ୟାଗ୍‍, ପ୍ଲାଷ୍ଟିକ ତିଆରି ପାଣିବୋତଲ, ପାଣି ଭର୍ତ୍ତି ହୋଇଥିବା ଜରି ପ୍ୟାକେଟ୍‍, ଫ୍ଲେକ୍ସ, ବ୍ୟାନର ଆଦି ଗଦା ଗଦା ଦେଖିବାକୁ ମିଳୁଛି ।

ବିଏମ୍‍ସି ପକ୍ଷରୁ ଘରକୁ ଘର ବୁଲି ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ ପାଇଁ ଘୋଷଣା ହୋଇଥିଲା । ଏପରିକି ଯେଉଁମାନେ ପ୍ଲାଷ୍ଟିକ ସାମଗ୍ରୀ ଫେରାଇବେ ସେମାନଙ୍କୁ ଅର୍ଥ ଦେବାପାଇଁ ବି କୁହାଯାଇଥିଲା । ହେଲେ ଏହି କାର‌୍ୟ୍ୟକ୍ରମ ଏବେ ଏକ ପ୍ରକାର ଶୀତଳଭଣ୍ଡାରରେ ।

ବର୍ତ୍ତମାନ ସହରର ବିଭିନ୍ନ ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ନିକଟରେ ଯେତିକି ପଲିଥିନ୍‍ ଗଚ୍ଛିତ ରହିଛି ତାହା ସରିବାକୁ ଆଉ କେଇମାସ ଲାଗିଯିବ ତାହା କେହି କହିପାରିବେ ନାହିଁ । ଯଦି ଏହା ଉପରେ କଡା କଟକଣା ଲାଗିବ ତେବେ ସେହିସବୁ ସାମଗ୍ରୀ କଣ ହେବବୋଲି ବ୍ୟବସାୟୀମାନେ ଓଲଟା ପ୍ରଶ୍ନ କରୁଛନ୍ତି ।

ଅବସ୍ଥା ଏଭଳି ହୋଇଛି ପଲିଥିନ୍‍ ନିଷେଧ ନେଇ ପୂର୍ବରୁ ସରକାର କରିଥିବା ଘୋଷଣା ଭଳି ଏଥର ମୁଖ୍ୟମନ୍ତ୍ରୀଙ୍କ ପ୍ଲାଷ୍ଟିକ କଟକଣା ବି ଘୋଷଣାରେ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏଠାରେ ସୂଚନାଯୋଗ୍ୟ ୨୦୦୪ ମସିହା ଜାନୁୟାରୀ ୨୬ ତାରିଖରେ ରାଜ୍ୟ ସରକାର ୨୦ମାଇକ୍ରୋନ୍‍ରୁ କମ୍‍ ମାନର ପଲିଥିନ୍‍ ବ୍ୟବହାର, ବିକ୍ରି, ଆମଦାନୀ ଓ ମହଜୁଦ ଉପରେ କଟକଣା ଲଗାଇଥିଲେ । ହେଲେ ସେହିକଟକଣାକୁ କେହି ଜଣେବି ମାନିଥିବା ଲକ୍ଷ୍ୟ କରାଯାଇଥିଲା ।

ଆକଳନ ଅନୁଯାୟୀ ଆମ ରାଜ୍ୟରେ ବାର୍ଷିକ ପ୍ରାୟ ୨୮ହଜାର ଟନ୍‍ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ହେଉଥିବାବେଳେ ପଲିଥିନ୍‍ ଓ ଥର୍ମୋକୁଲ୍‍ ଭଳି ସାମଗ୍ରୀ ବ୍ୟବହାର ପରିବେଶକୁ ବିଗାଡିବା ସହିତ ଗାଈଗୋରୁଙ୍କ ମୃତ୍ୟୁର କାରଣ ପାଲଟୁଛି ।

LEAVE A REPLY

Please enter your comment!
Please enter your name here