ଖଣି ଅଞ୍ଚଳରୁ ହଜାର ହଜାର କୋଟି ଟଙ୍କା ଡିଏମଏଫ ପାଣ୍ଠିକୁ ଆସୁଛି,ହେଲେ ଯ।ଉଛି କେଉଁ ଆ।ଡେ ?

0
639

କେନ୍ଦୁଝର: ଖଣି ଅଞ୍ଚଳର ବିକାଶ ପାଇଁ ‘ଜିଲ୍ଲା ଖଣିଜ ପାଣ୍ଠି’ (ଡିଏମଏଫ) ନାମରେ ଆଦାୟ ହେଉଥିବା ଅର୍ଥ ଏବେ ଖଣି ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଅଭିଶାପରେ ପରିଣତ ହୋଇଛି । ଯେଉଁ ଖଣି ଅଞ୍ଚଳରୁ ହଜାର ହଜାର କୋଟି ଟଙ୍କା ଡିଏମଏଫ ପାଣ୍ଠିକୁ ଆସୁଛି ସେହି ଅଞ୍ଚଳର ରାସ୍ତାଘାଟ ଏବେ ମରଣ ଯନ୍ତାରେ ପରିଣତ ହୋଇଛି । ଏହି ରାସ୍ତା ମରାମତି ପାଇଁ ଡିଏମଏଫରୁ ଅର୍ଥ ମିଳିବାର ବ୍ୟବସ୍ଥା ଥିଲେ ହେଁ ତାହା ମିଳୁନଥିବାବେଳେ ଅନ୍ୟ ଯୋଜନାରେ ଏହା କରାଯାଉନାହିଁ । ଡିଏମଏଫ ଅର୍ଥରେ ବିଭିନ୍ନ ଉନ୍ନୟନ ମୂଳକ କାମ ଦାୟିତ୍ୱରେ ଥିବା ଜିଲ୍ଲାପାଳ କେବଳ ଏହି ଅର୍ଥରେ ଟେନିସ୍‌ ଲନ କରିବା ସହିତ ଅଣ୍ଡା ବାଣ୍ଟି ବାହାବା ନେବାକୁ ଉଦ୍ୟମ କରି ଲୋକଙ୍କ ସମସ୍ୟାପ୍ରତି ନୀରବଦ୍ରଷ୍ଟା ସାଜିଛନ୍ତି ।
ଡିଏମଏଫ ଅର୍ଥ ଆଦାୟରେ କେନ୍ଦୁଝର ଜିଲ୍ଲା ସବୁଠାରୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ଖଣି ମାଲିକମାନଙ୍କଠାରୁ ଖଣି ଅଞ୍ଚଳର ବିକାଶ ପାଇଁ ୨୦୦୦କୋଟିରୁ ଅଧିକ ଆଦାୟ ହୋଇଛି । ଏହି ଅର୍ଥରେ ଖଣି ଅଞ୍ଚଳର ପରିବେଶ, ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ବାସଗୃହ ଆଦି ବ୍ୟବସ୍ଥା ଅଗ୍ରାଧିକାର ଭିତ୍ତିରେ କରି ସ୍ଥାନୀୟ ଲୋକମାନଙ୍କର ସାମଗ୍ରରକ ଉନ୍ନତି କରିବା ପାଇଁ ନିୟମ ରହିଛି । କିନ୍ତୁ ଏହି ଅର୍ଥ ବିନିଯୋଗ ହୋଇପାରୁନାହିଁ ବୋଲି ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭିରନମେଣ୍ଟ ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ ଯେତିକି ଅର୍ଥ ବିନିଯୋଗ କରାଯାଇଛି ତାହା ଗ୍ରାମସଭାର ବିନା ଅନୁମୋଦନରେ ମନଇଛା ଡିଏମଏଫ କମିଟି କରିଛି ବୋଲି ତାର ରିପୋର୍ଟରେ ଦର୍ଶାଇଛି ।
କେନ୍ଦୁଝର ଜିଲ୍ଲାର ବାମେବାରୀ ଅଞ୍ଚଳରେ ଥିବା ଖଣି ସଂସ୍ଥାମାନେ ଡିଏମଏଫକୁ ଅଧିକ ଅର୍ଥ ଦେଉଥିଲେ ହେଁ ସେ ଅଞ୍ଚଳର ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତାରେ ପରିଣତ ହୋଇଛି । ଯୋଡା ସହରରୁ କାମଳିମାଟି ପର୍ଯ୍ୟନ୍ତ ୨୨କିମି ଖଣି ଅଞ୍ଚଳ ରାସ୍ତା ଓ ବିଲେଇପଦାରୁ ନୂଆମୁଣ୍ଡି ପର୍ଯ୍ୟନ୍ତ ୧୫କିମି ରାସ୍ତା ମରାମତି ଅଭାବରୁ ଯାତାୟତ କରିବା ଅବସ୍ଥାରେ ନାହିଁ । ଯୋଡା-କାଳିମାଟି ରାସ୍ତାରେ ଗତମାସରେ ୪ଟି ବଡ଼ ଦୁର୍ଘଟଣା ହୋଇ ଧନଜୀବନ ହାନୀ ହୋଇଛି । ରାସ୍ତା ମରାମତି ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଡିଏମଏଫରୁ ରାସ୍ତା ମରାମତି ପାଇଁ ଜିଲ୍ଲାପାଳ ଅର୍ଥ ମଞ୍ଜୁର କରୁନଥିବାବେଳେ ରାସ୍ତା ଖରାପ କରୁଥିବା ଖଣି ସଂସ୍ଥାକୁ ରାସ୍ତା ତିଆରି କରିବା ପାଇଁ ନିଦେ୍ର୍ଦଶ ମଧ୍ୟ ଦେଉନାହାନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଖଣି ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ସେଠାକାର ଜିଲ୍ଲାପାଳ ଗୁରୁତ୍ୱ ଦେଇ ଅର୍ଥ ମଞ୍ଜର କରିବା ସହିତ ନିର୍ମାଣ କାମ ଆରମ୍ଭ କରିଛନ୍ତି । କିନ୍ତୁ କେନ୍ଦୁଝର ଜିଲ୍ଲାପାଳଙ୍କର ଖଣି ଅଞ୍ଚଳର ବିକାଶ ପାଇଁ ବୈମାତୃକ ମନୋଭାବକୁ ଲୋକମାନେ ନାପସନ୍ଦ କରିଛନ୍ତି । ଏହି ଅର୍ଥରେ ଖଣି ଅଞ୍ଚଳର ସାମଗ୍ରୀକ ବିକାଶ କାର୍ଯ୍ୟ ହେବାର ନିୟମ ଥିଲେ ହେଁ ଜିଲ୍ଲାପାଳ ଏଥିରେ ସ୍କୁଲପିଲାଙ୍କୁ ଅଣ୍ଡା ବାଣ୍ଟି ସରକାରଙ୍କଠାରୁ ସାବାସୀ ନେବା ପାଇଁ ଅପଚେଷ୍ଟା କରିଛନ୍ତି । ଏହାଛନା ଡିଏମ୍ଏଫ୍ ଅର୍ଥରେ ସର୍କିଟ ହାଉସ୍ ଟେନିସ କୋର୍ଟ ଓ ଲନ୍ କାହାର ସ୍ୱାର୍ଥ ସାଧନ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here