ଭୁବନେଶ୍ୱରରେ ଆଜିଠାରୁ ଜାତୀୟ ଓପନ ଦୌଡ଼କୁଦ

0
31

ଭୁବନେଶ୍ୱର : ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଏକବର୍ଷ ପରେ କଳିଙ୍ଗ ଷ୍ଟାଡ଼ିୟମ ୫୮ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତା ମଙ୍ଗଳବାରଠାରୁ ଆରମ୍ଭ ହେବ। ଓଡ଼ିଶା ସରକାର ଓ ଆଥ୍‍ଲେଟିକ ଫେଡ଼େରେଶନ ଅଫ ଇଣ୍ଡିଆ ଓ ଓଡ଼ିଶା ଆଥ୍‍ଲେଟିକ ଆସୋସିଏସନର ମିଳିତ ସହଯୋଗରେ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ଦେଶ ଓ ବିଦେଶର ମୋଟ ୮୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିପାଇଁ ସମସ୍ତ ଆଥ୍‍ଲେଟ୍‍ ସୋମବାର ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରବିବାର ୨୦୦ ପାଖାପାଖି ଆଥ୍‍ଲେଟ୍‍ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଅବଶିଷ୍ଟ ଆଥ୍‍ଲେଟ୍‍ ସୋମବାର ପହଞ୍ଚିଛନ୍ତି। ଏଥିସହିତ ନଭେମ୍ବରରେ ଖେଳାଯିବାକୁ ଥିବା ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରରେ ମିନି ଭାରତ ଭ୍ରମ ସୃଷ୍ଟିହୋଇଛି। ପ୍ରତିଯୋଗିତା ମଙ୍ଗଳବାର ସକାଳେ ୧୫୦୦ମିଟର ଦୌଡ଼ ପ୍ରାରମ୍ଭିକ ରାଉଣ୍ଡ ସହିତ ଆରମ୍ଭ ହେବ। ପ୍ରତିଯୋଗିତା ସକାଳ ୭ଟାରୁ ୯ଟା ୩୦ ଓ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖେଳାଯିବ। ନିକଟରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ାରେ ପଦକ ବିଜୟୀ ହୋଇଥିବା ଏକାଧିକ ଆଥ୍‍ଲେଟ୍‍ ଅଂଶଗ୍ରହଣ କରୁଥିବାବେଳେ ହିମା ଦାସ, ସ୍ୱପ୍ନା ବର୍ମନ, ନୀରଜ ଚୋପ୍ରା, ଦୂତି ଚାନ୍ଦଙ୍କ ଭଳି ଆଥ୍‍ଲେଟ୍‍ଙ୍କୁ ଦେଖିବାକୁ ମିଳିବନି। ଭାରତୀୟ ଆଥ୍‍ଲେଟଙ୍କ ସମେତ ୩ ଜାପାନୀ ଆଥ୍‍ଲେଟ୍‍ ହିଟୋମି ସିମୁଗୁ, ସୟୋଗା ଆରୋଗି ଓ ଟୋକିସି ପେନମି ମୁଖ୍ୟ ଆକର୍ଷଣ ରହିଛନ୍ତି। ହିଟୋମି ଓ ସୟୋଗା ୧୦୦ମିଟର ମହିଳା ହର୍ଡଲ୍‍ସରେ ଟୋକିସି ୪୦୦ ମିଟର ଦୌଡ଼ରେ ଭାଗନେବେ। ଓଡ଼ିଶା ଆଥ୍‍ଲେଟିକ୍‍ ଆସୋସିଏସନ ପକ୍ଷରୁ ଓଡ଼ିଶାରୁ ମୋଟ ୧୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here