Tuesday, December 18, 2018
Home କ୍ରୀଡା ଏସିଆ କପ୍, ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଡ୍ର

ଏସିଆ କପ୍, ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଡ୍ର

0
138

ଦୁବାଇ: ଏସିଆ କପ୍ରୁ ବିଦାୟ ନେଇସାରିଥିବା ଆଫ୍ଗାନିସ୍ଥାନ ନିଜର ଅନ୍ତିମ ମୁକାବିଲାରେ ଭାରତ ବିପକ୍ଷରେ ମଜଭୁତ ପ୍ରଦର୍ଶନ କରିଛି । ମଙ୍ଗଳବାର ଖେଳାଯାଇଥିବା ୫ମ ସୁପର-୪ ମ୍ୟାଚ୍ରେ ଉଭୟ ବିଭାଗରେ ଉତ୍ତମ ଖେଳ ଦେଖାଇ ଆଫ୍ଗାନିସ୍ଥାନ ଏହି ମୁକାବିଲାକୁ ଅମିମାଂସିତ କରିବାରେ ସଫଳ ହୋଇଛି । ୨୫୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ୪୯.୫ ଓଭରରେ ୨୫୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଶେଷ ଓଭର ଯାଏଁ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ଜାଡେଜାଙ୍କ ୱିକେଟ ପତ୍ତନ ସହ ମୁକାବିଲା ଡ୍ର ହୋଇଥିଲା । ଭାରତ ତରଫରୁ କେଏଲ୍ ରାହୁଲ ୬୦ ଓ ଅମ୍ବାତି ରାଇଡୁ ୫୭ ରନ୍ ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ଆଫ୍ଗାନିସ୍ଥାନ ପକ୍ଷରୁ ରସିଦ୍ ଖାନ୍, ମହମ୍ମଦ ନବି ଓ ଆଫ୍ତାବ ଆଲମ୍ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଏହା ପୂର୍ବରୁ ଓପନର ମହମ୍ମଦ ସେହେଜାଦଙ୍କ ଶତକ ବଳରେ ଆଫ୍ଗାନିସ୍ଥାନ ୮ ୱିକେଟ ବିନିମୟରେ ୨୫୨ ରନ୍ କରିବାରେ ସଫଳ ହୋଇଥିଲା । ଟସ୍ ଜିତିବା ପରେ ଆଫ୍ଗାନ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସେହେଜାଦ ୧୧୬ ବଲରେ ୧୧ଟି ଚୌକା ଓ ୭ଟି ଛକା ସହ ୧୨୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ନବି ୬୪, ନଜିବ ଉଲ୍ଲା ୨୦, ଗୁଲ୍ବଦିନ ୧୫ ଓ ରସିଦ୍ ଖାନ୍ ୧୨ ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ôଚସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍ରେ ଅନେକ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା । ଅଧିନାୟକ ରୋହିତ ଶର୍ମା, ଶିଖର ଧୱନ, ଜସପ୍ରିତ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ଆରାମ ଦିଆଯାଇ ଯୁବା ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଓହ୍ଲାଇଥିବା ଭାରତ ତରଫରୁ ରବିନ୍ଦ୍ର ଜାଡେଜା ୩ଟି ୱିକେଟ ହାସଲ କରିଥିବା ବେଳେ କୁଲ୍ଦୀପ ଯାଦବ ଦୁଇଟି ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here