ଗ।ନ୍ଧୀଜୟନ୍ତୀରେ ସ୍କୁଲ, କଲେଜ ଖୋଲା ରହିବ

0
4897

ଭୁବନେଶ୍ବର: ଏବର୍ଷ ଗାନ୍ଧୀ ଜୟନ୍ତୀରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲା ରହିବ । ରାଜ୍ୟ ଓ କେନ୍ଦ୍ର ସରକାର ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ସେଥିରୁ ଗାନ୍ଧୀଜୟନ୍ତୀ ଛୁଟି ଦିବସ ଥିଲେ ମଧ୍ୟ ଅଗଷ୍ଟ ୧୫ ଓ ଜାନୁୟାରୀ ୨୬ ଭଳି ଶିକ୍ଷାନୁଷ୍ଠାନ ଗୁଡିକରେ ଏହା ପାଳନ କରିବାଲାଗି କୁହାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଅକ୍ଟୋବର ୨ରୁ ଏହି ୧୫୦ବର୍ଷ ପ୍ରତିପାଳନ କାର୍ଯ୍ୟକ୍ରମ ରାଜଧାନୀରେ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିବେ । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଢାଯାଇଛି ଏବଂ ଉକ୍ତ କମିଟିର ପ୍ରଥମ ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିରୋଧିଦଳ ନେତାଙ୍କ ସମେତ ପ୍ରାୟ ସବୁ ପ୍ରମୁଖ ରାଜନୈତିକଦଳର ନେତା, ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସଂସ୍କୃତି ଓ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବଙ୍କ ସମେତ ବହୁ ପଦସ୍ଥ ଅଧିକାରୀ, ଶିକ୍ଷାବିତ୍‍ ଓ ଗାନ୍ଧୀବାଦୀ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଦୁଇବର୍ଷ ପାଇଁ ଓଡିଶାରେ ପାଳନ କରାଯିବ । ଏଥିଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରଶାସନିକ କମିଟି ଏବଂ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ ରୂପାୟନ କମିଟି ଗଠନ କରାଯାଇଛି । ଏହାଛଡା ପ୍ରକାଶନ, କାର୍ଯ୍ୟକ୍ରମ ରୂପାୟନ, ପ୍ରଚାର ଓ କାର୍ଯ୍ୟକ୍ରମ ସମନ୍ୱୟ ଲାଗି ରାଜ୍ୟସ୍ତରୀୟ ଉପକମିଟିମାନ ଗଠନ କରାଯାଉଛି । ବ୍ଲକ ସ୍ତରରେ ମଧ୍ୟ କମିଟି ଗଠନ ଲାଗି ପ୍ରସ୍ତାବ ରହିଛି ।

କେବଳ ଶିକ୍ଷାନୁଷ୍ଠାନ ନୁହେଁ ପଞ୍ଚାୟତିରାଜ ଓ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକ ନିଜ ନିଜ ଅଞ୍ଚଳରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଠିକଣା ଢଙ୍ଗରେ ପାଳନ କରିବାକୁ କୁହାଯାଇଛି । ଓଡିଶାର ପ୍ରତି ବ୍ଲକରେ ଗୋଟିଏ ଲେଖାଁଏ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ ଚିହ୍ନଟ କରି ସେଠାରେ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଗୁଡିକର ସଫଳ ପ୍ରୟୋଗ କରିବା ଏବଂ ଏ କ୍ଷେତ୍ରରେ ସମ୍ପୃକ୍ତ ପଞ୍ଚାୟତ ଗୁଡିକୁ ପୁରସ୍କୃତ କରିବାପାଇଁ ମଧ୍ୟ ପ୍ରସ୍ତାବ ରହିଛି ।

ଖୁବ୍‍ଶୀଘ୍ର ଗାନ୍ଧୀଜୀଙ୍କ ୧୫୦ବର୍ଷ ପ୍ରତିକାଳନ ସଂକ୍ରାନ୍ତରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଲୋଗୋ ପ୍ରସ୍ତୁତ କରିବେ । ଦୁଇବର୍ଷ ଧରି ସମସ୍ତ ସରକାରୀ କାର୍ଯ୍ୟକ୍ରମ, ଚିଠିପତ୍ର ଓ ବିଜ୍ଞାପନ ଆଦିରେ ଏହି ଲୋଗୋ ସ୍ଥାନିତ ହେବ । ଗାନ୍ଧୀଜୀଙ୍କ ବାର୍ତ୍ତା ଓ ଦର୍ଶନର ପ୍ରଚାର ପ୍ରସାର ଲାଗି ମଧ୍ୟ କମିଟି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଶେଷକରି ଯୁବକ, ଛାତ୍ରମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗାନ୍ଧୀଦର୍ଶନ ସହ ଯୋଡିବା ଲାଗି ଯୋଜନା ହେଉଛି ।

ଏହାଛଡା ଗାନ୍ଧୀଜୀ ଓଡିଶାର ଯେଉଁସବୁ ସ୍ଥାନକୁ ୮ଥରରେ ୬୯ଦିନ ଧରି ଆସିଛନ୍ତି ସେହି ସ୍ଥାନ ଗୁଡିକର ବିକାଶ କରିବା ସଂଗେ ସଂଗେ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଅନ୍ୟ ପୀଠ ଗୁଡିକୁ ଲୋକ ଲୋଚନକୁ ଆଣିବାପାଇଁ ବ୍ୟବସ୍ଥା ହେଉଛି ।

ପ୍ରାଥମିକରୁ ଯୁକ୍ତଦୁଇ ସ୍ତର ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଗାନ୍ଧୀଜୀଙ୍କ ଜୀବନୀ ଓ ଜୀବନାଦର୍ଶ ଭିତ୍ତିକ ବିଷୟମାନ ସ୍ଥାନ ପାଇବ ଏବଂ ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗ ସ୍ୱତନ୍ତ୍ର ବଜେଟ୍‍ ବ୍ୟବସ୍ଥା କରିବେ । ଶିକ୍ଷାନୁଷ୍ଠାନ ଗୁଡିକରେ ଏନ୍‍ସିସି, ଏନ୍‍ଏସ୍‍ଏସ୍‍, ସ୍କାଉଟ୍‍, ଗାଇଡ୍‍, ରେଡକ୍ରସ ଶାଖା ଗୁଡିକୁ ଏହି ପ୍ରତିପାଳନରେ ସାମିଲ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here