ଏସିଆ କପ୍, ପାକିସ୍ତାନକୁ ହରାଇଲା ଭାରତ

0
140

ଦୁବାଇ: ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଧୂଳି ଚଟାଇବାରେ ଟିମ୍ ଇଣ୍ଡିଆ ସଫଳ ହୋଇଛି । ଏସିଆ କପ୍ର ଗ୍ରୁପ୍ ଏ’ ମ୍ୟାଚ୍ରେ ବୁଧବାର ଭାରତ ଉଭୟ ବିଭାଗରେ ଶକ୍ତିଶାଳୀ ଖେଳ ଦେଖାଇ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି । ମଙ୍ଗଳବାର ହଂକଂ ବିପକ୍ଷରେ ବିଜୟଲାଭ କରିବା ପରେ ବୁଧବାର ଭାରତ ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇଥିଲା । ଉଭୟ ଦଳର କ୍ରୀଡା ପ୍ରେମୀ ଏହି ହାଇଭୋଲ୍ଟେଜ ମୁକାବିଲା ପାଇଁ ଉତ୍ସାହିତ ରହିଥିବା ବେଳେ ଦୁଇଦଳର ଖେଳାଳିଙ୍କ ଉପରେ ମଧ୍ୟ ଚାପ ରହିଥିଲା । ଟସ୍ ଜିତିବା ପରେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ଓଲଟା ଫଳାଫଳ ଆଣିଥିଲା । ଟପ୍ ଅର୍ଡର ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁ ପାକିସ୍ତାନ ୪୩.୧ ଓଭରରେ ମାତ୍ର ୧୬୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ବାବର ଆଜମ ୪୭, ସୋଏବ ମଲ୍ଲିକ ୪୩, ଫହିମ୍ ଅସରଫ ୨୧ ଓ ମହମ୍ମଦ ଆମିର ୧୮ ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ସ୍କୋର୍ ଛୁଇଁବାରେ ସଫଳ ହୋଇନଥିଲେ । ଭାରତ ତରଫରୁ ଭୁବନେଶ୍ୱର କୁମାର ଓ କେଦାର ଯାଦବ ୩ଟି ଲେଖାଏଁ ୱିକେଟ ପାଇଥିବା ବେଳେ ଜସପ୍ରିତ ବୁମରା ଦୁଇଟି ଓ କୁଲ୍ଦୀପ ଯାଦବ ଗୋଟିଏ ୱିକେଟ ପାଇଥିଲେ । ଆରମ୍ଭରୁ ପାକିସ୍ତାନର ଦୁଇ ଓପନର ଦଳ ପାଇଁ ବିଶେଷ ଯୋଗଦାନ କରିବାରେ ବିଫଳ ରହିଥିଲେ । ମାତ୍ର ୩ ରନ୍ ମଧ୍ୟରେ ଉଭୟ ଓପନର ପାଭିଲିୟନ ଫେରିବା ପରେ ଦଳ ଚିନ୍ତାରେ ପଡିଥିଲା । ଏହାପରେ ବାବର ଓ ସୋଏବ କିଛି ସମୟ ପାଇଁ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବା ସହ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ । ମାତ୍ର ବାବରଙ୍କ ୱିକେଟ ପତ୍ତନ ସହ ପୁର୍ନବାର ପାକିସ୍ତାନର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । କ୍ରମାଗତ ୱିକେଟ ପତ୍ତନ ଫଳରେ ପାକିସ୍ତାନ ବଡ ସ୍କୋର କରିପାରିନଥିଲା । ତେବେ ପାକିସ୍ତାନ ଇନିଂସ୍ର ୧୮ତମ ଓଭର ସମୟରେ ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡୟା ଆହତ ହୋଇ ପଡିଆରେ ପଡିଯାଇଥିଲେ । ହାର୍ଦ୍ଦିକ ବୋଲିଂ କରିବା ସମୟରେ ହଠାତ୍ ପିଠିର ଆଘାତ ଯୋଗୁ ଭୂଇଁରେ ପଡିଯାଇଥିଲେ । ଯାହା ଫଳରେ ତାଙ୍କୁ ଷ୍ଟ୍ରେଚର ମାଧ୍ୟମରେ ପଡିଆ ବାହାରକୁ ନିଆଯାଇଥିଲା । ମେଡିକାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲା । ତାଙ୍କ ସ୍ଥାନରେ ମନିଶ ପାଣ୍ଡେ ପଡିଆକୁ ଓହ୍ଲାଇଥିଲେ । ୧୬୩ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିବା ଭାରତ ପାଇଁ ଅଧିକ କଠିନ ହୋଇନଥିଲା । ୨୯ ଓଭରରେ ଭାରତ ଦୁଇ ୱିକେଟ ବିନିମୟରେ ଏହି ବିଜୟଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୨ ରନ୍ କରିଥିବା ବେଳେ ଶିଖର ଧୱନ ୪୬ ରନ୍ କରିଥିଲେ । ଅମ୍ବାତି ରାଇଡୁ ଓ ଦିନେଶ କାର୍ତ୍ତିକ ୩୧ ରନ୍ ଲେଖାଏଁ କରି ଅପରାଜିତ ରହିଥିଲେ । ପାକିସ୍ତାନ ତରଫରୁ ଫହିମ୍ ଅସରଫ ଓ ସାଦାବ ଖାନ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଶେଷରେ ଭୁବନେଶ୍ୱର କୁମାର ମ୍ୟାଚ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚ୍ରେ ଶୁକ୍ରବାର ଭାରତୀୟ ଦଳ ବାଂଲାଦେଶକୁ ଭେଟିବ ।

LEAVE A REPLY

Please enter your comment!
Please enter your name here