ହଂକଂକୁ ହରାଇଲା ଟିମ୍ ଇଣ୍ଡିଆ

0
155

ଦୁବାଇ: ଏସିଆ କପ୍ରେ ଭାରତ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ହଂକଂ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ୨୬ ରନ୍ରେ ବିଜୟଲାଭ କରିଛି । ତେବେ ଏହି ବିଜୟ ପାଇଁ ଭାରତକୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ୨୮୬ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ହଂକଂ ୮ ୱିକେଟ ବିନିମୟରେ ୨୫୯ ରନ୍ କରିଥିଲା । ଦଳର ଦୁଇ ଓପନର ମଜଭୁତ ବ୍ୟାଟିଂ ପ୍ରଦର୍ଶନ କରି ଭାରତକୁ ଚିନ୍ତାରେ ପକାଇଥିଲେ । ହଂକଂ ତରଫରୁ ନିଜାକତ ଖାନ୍ ୯୨ ଓ ଅଂଶୁମାନ ରଥ ୭୩ ରନ୍ କରିଥିଲେ । ଭାରତ ତରଫରୁ ୟୁଜବେନ୍ଦ୍ର ଚହଳ ଓ ଖଲିଲ ଅହମ୍ମଦ ୩ଟି ଲେଖାଏଁ ୱିକେଟ ପାଇଥିବା ବେଳେ କୁଲଦୀପ ଯାଦବ ଦୁଇଟି ୱିକେଟ ନେଇଥିଲେ । ଟସ୍ ଜିତି ହଂକଂ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୮୫ ରନ୍ କରିବାରେ ସଫଳ ହୋଇଥିଲା । ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ମାନେ ଏହି ରନ୍ଗତିକୁ ଆଗକୁ ବଢାଇପାରିନଥିଲେ । ଯାହା ଫଳରେ ଭାରତ ୩୦୦ ରନ୍ ସ୍କୋର୍କୁ ପାର୍ କରିପାରିନଥିଲେ । ଧୱନ ୧୨୦ ବଲରେ ୧୫ଟି ଚୌକା ଓ ଦୁଇଟି ଛକା ସହ ସର୍ବାଧିକ ୧୨୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୨୩, ଅମ୍ବାତି ରାଇଡୁ ୬୦, ଦିନେଶ କାର୍ତ୍ତିକ ୩୩, କେଦାର ଯାଦବ ୨୮ ଓ ଭୁବନେଶ୍ୱର କୁମାର ୯ ରନ୍ଣ ଯୋଗଦାନ କରିଥିଲେ । ମହେନ୍ଦ୍ର ସିଂ ଧୋନି ନିଜର ଖାତା ଖୋଲିବାରେ ମଧ୍ୟ ସଫଳ ହୋଇପାରିନଥିଲେ । ହଂକଂ ତରଫରୁ କିନ୍ଚିତ୍ ଶାହା ୩ଟି ୱିକେଟ ପାଇଥିବା ବେଳେ ଏହେସାନ୍ ଖାନ୍ ଦୁଇଟି ୱିକେଟ ନେଇଥିଲେ । ଏହେସାନ ନୱାଜ ଓ ଏଜାଜ ଖାନ୍ ଗୋଟିଏ ଲେଖାଏଁ ୱିକେଟ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here