ଜମି ପଟ୍ଟା ଦାବି କରି ଗଣଧାରଣାରେ ବସିଥିବା ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କୁ ବିଜୁ ବାହିନୀର ଗୁଣ୍ଡା ଗାଳିଗୁଲଜ ଆକ୍ରମଣ ଅଭିଯୋଗ

0
98

ଭୁବନେଶ୍ୱର:ଜମି ପଟ୍ଟା ଦାବି କରି ଗଣଧାରଣାରେ ବସିଥିବା ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କୁ ବିଜୁ ବାହିନୀର ଗୁଣ୍ଡା ଗାଳିଗୁଲଜ କରିବା, ମାରିବା ପାଇଁ ଧମକ ଦେବା, କାହିଁକି ତମେ ଜମି ପାଇଁ ଆନ୍ଦୋଳନ କରୁଛ କହି ବିଭିନ୍ନ ଅଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରିବା ପରେ ଏହାକୁ ଆଧାର କରି ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ସଭାନେତ୍ରୀ ରଞ୍ଜୁଲତା ମହାପାତ୍ର କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ।
ବସ୍ତିବାସିନ୍ଦାଙ୍କର ତୃତୀୟ ଦିନ ଧାରଣାରେ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ସଭାପତି ପ୍ରତାପ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଂଗ୍ରେସ ନେତା ଶ୍ରୀ ରାଜେନ୍ଦ୍ର କୁମାର ଦାସ ଏବଂ ସିପିଏମ୍ର ବରିଷ୍ଠ ନେତା ଶ୍ରୀ ସୁରେଶ ପାଣିଗ୍ରାହୀ ଯୋଗଦେଇ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ଏବଂ ରାଜ୍ୟର ସମସ୍ତ ବସ୍ତିବାସିନ୍ଦାମାନଙ୍କ ପାଇଁ ଏକକ ବସ୍ତି ନୀତି କରିବା ପାଇଁ ଦାବୀ କରିଥିଲେ । ମୁନିସିପାଲିଟି ଏବଂ ଏନ୍.ଏ.ସି. ଅଂଚଳରେ ବସ୍ତିବାସିନ୍ଦାଙ୍କ ପାଇଁ ଜମି ପଟ୍ଟା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲା ବେଳେ ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ କାହିଁକି ଜମି ପଟ୍ଟା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ । ରାଜ୍ୟ ସରକାର ହୋଟେଲ, କମ୍ପାନୀ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନମାନଙ୍କୁ ରାତାରାତି ଜମି ଯୋଗାଇ ଦେଉଥିବା ବେଳେ, ଦୀର୍ଘ ୩୦ରୁ ୪୦ବର୍ଷ ଧରି ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କୁ କାହିଁକି ଜମି ପଟ୍ଟା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏକତା ପରିଷଦର ରାଜ୍ୟ ସଂଯୋଜକ ଶ୍ରୀ ବିଜୟ ପ୍ରଧାନ ଧରଣାସ୍ଥଳୀକୁ ଆସି ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଏବଂ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆନ୍ଦୋଳନକାରୀ ସରକାର ବିରୋଧୀ ସ୍ଲୋଗାନକୁ ସହିନପାରି ସେଠାରେ ଉପସ୍ଥିତ ଥିବା ବିଜୁ ବାହିନୀର ଜଣେ ଗୁଣ୍ଡା ମହିଳାଙ୍କ ପ୍ରତି କଟୁମନ୍ତବ୍ୟ ଦେବାରୁ କିଛି ସମୟ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ଗଣ୍ଡଗୋଳ ହୋଇଥିଲା । ବସ୍ତିବାସିନ୍ଦାମାନଙ୍କ ତରଫରୁ ପୋଲିସ୍କୁ ଖବର ଦିଆଗଲା ପରେ, ସେଠାରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ରଞ୍ଜୁଲତା ମହାପାତ୍ର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଧାରଣାସ୍ଥଳର ସୂଚନାଧିକାରୀ କର୍ମୀ ପ୍ରଦୀପ ପ୍ରଧାନ, ଅଭିଭାବକ ମହାସଂଘର ଉପସଭାପତି ସଂଯୁକ୍ତା ପାଣିଗ୍ରାହୀ, ସଚିକାନ୍ତ ପ୍ରଧାନ, ଲାବଣ୍ୟରେଖା, ମଧୁସ୍ମିତା, ସୁକାନ୍ତ ମହାନ୍ତି, କଳ୍ପନା ମହାନ୍ତି, ପ୍ରଶାନ୍ତ ବେହେରା, ଏ ନାଗମଣି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here