ଉଦବେଗଜନକ ସ୍ଥିତିରେ ରାଜ୍ୟର ଅଧିକାଂଶ ନଦୀଜଳ

0
78

ଭୁବନେଶ୍ୱର:ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ଜଳ ଅଧିକାଂଶ ସ୍ଥାନରେ ପାନୀୟ ଉପଯୋଗୀ ନୁହେଁ । ଏହା ‘ଗ’ ବର୍ଗ ମାନ ଠାରୁ ମଧ୍ୟ ନିମ୍ନରେ ରହୁଛି ।

ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକ ମଧ୍ୟରୁ କାହାର ପ୍ରଦୂଷଣ ମାତ୍ରା କେତେ ଏବଂ ଏଥିରୁ କେଉଁ ନଦୀଗୁଡ଼ିକର ଜଳ ପାନୀୟ ଉପଯୋଗୀ ଓ କାହାର ଜଳ ପାନୀୟ ଉପଯୋଗୀ ନୁହେଁ ଏବଂ ରାଜ୍ୟରେ ନଦୀ ଜଳ ପ୍ରଦୂଷଣର କାରଣ ଓ ନିରାକରଣ ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯେଉଁ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ସେଥିରୁ ଏହି ଉଦ୍‍ବେଗଜନକ ଘଟଣା ଜଣାପଡ଼ିଛି ।

ପରିବେଶ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟରେ ପ୍ରବାହିତ ୧୧ଟି ନଦୀ ସମୂହର ସମୁଦାୟ ୧୨୯ଟି ସ୍ଥାନରେ ଜଳର ଗୁଣାତ୍ମକ ମାନକୁ ନିୟମିତ ଭାବେ ପରୀକ୍ଷା କରୁଛନ୍ତି ।

ଗତବର୍ଷ ସମୁଦାୟ ୧୨୯ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୮୯ଟି ସ୍ଥାନରେ ଜଳର ମାନ ଭଲ ନ ଥିବା ଜଣାପଡ଼ିଛି । ୨୩ଟି ସ୍ଥାନରେ ଉଭୟ ବାୟୋକେମିକାଲ୍‍ ଅକ୍ସିଜେନ୍‍ ଡିମାଣ୍ଡ (ବିଓଡି) ଓ ଟୋଟାଲ କୋଲିଫର୍ମ (ଟିସି), ଗୋଟିଏ ସ୍ଥାନରେ ବିଓଡି ଓ ୬୫ଟି ସ୍ଥାନରେ ଟିସିର ପରିମାଣ ଅଧିକ ରହୁଛି ।

ନଦୀ ଜଳର ପାରମ୍ପରିକ ପଦ୍ଧତିରେ ବିଶୋଧନ ତଥା ସଂକ୍ରମଣ ରହିତ କରି ପାନୀୟ ଜଳ ଉତ୍ସ ଭାବେ ବ୍ୟବହାର କରିବା ପାଇଁ ଥିବା ଟଲେରାନ୍ସ ଲିମିଟ୍‍ ଠାରୁ ଏହା ଊଦ୍ଧ୍ୱର୍ରେ ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚାଇଛନ୍ତି ।

ମହାନଦୀ ଓ ତା’ର ବିଭିନ୍ନ ଉପନଦୀ ଓ ଶାଖାନଦୀଗୁଡ଼ିକରେ ଜଳ ପ୍ରଦୂଷଣର ମାତ୍ରା ଢେର୍‍ ଅଧିକ । ଇବ୍‍, ଭେଡେନ୍‍, ମହାନଦୀ, ଅଙ୍ଗ୍‍, ତେଲ, କାଠଯୋଡ଼ି, କୁଆଖାଇ, ଦୟା, ଗଙ୍ଗୁଆ, ବିରୂପା, କୁଶଭଦ୍ରା, ଭାର୍ଗବୀ, ଦେବୀ, ଗୋବରୀ, ମଙ୍ଗଳା, ନୁଣା, କୁସୁମୀ, କଂସାରୀ, ଶାବୁଳିଆ, ରତ୍ନଚିରା ଆଦି ନଦୀର ଜଳ ୩୫ଟି ମନିଟରିଂ ଷ୍ଟେସନରେ ଅତ୍ୟନ୍ତ ପ୍ରଦୂଷିତ ବୋଲି ଚିହ୍ନିତ ହୋଇଛି ।

ସେହିପରି ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଅବବାହିକାରେ ଥିବା ଶଙ୍ଖ, କୋଏଲ୍‍, ବ୍ରାହ୍ମଣୀ, ଗୁରୁଣ୍ଡିଆ, ବଡ଼ଝୋର, ଦମ୍‍ଶାଳା, ଲିଙ୍ଗିରା, ରାମିଆଳ, ଟିକିରା, କାରୋ ଆଦି ନଦୀଗୁଡ଼ିକର ଜଳ ୨୮ଟି ମନିଟରିଂ ଷ୍ଟେସନରେ ବେଶ୍‍ ପ୍ରଦୂଷିତ । ବୈତରଣୀ ଅବବାହିକାର ୧୧ଟି ସ୍ଥାନରେ, ଋଷିକୂଲ୍ୟାର ୫ଟି ଓ ବୁଢାବଳଙ୍ଗର ୪ଟି ସ୍ଥାନରେ ନିଆଯାଇଥିବା ନମୁନା ପରୀକ୍ଷଣରୁ ବି ଉଦ୍‍ବେଗଜନକ ତଥ୍ୟ ମିଳିଛି । ନାଗାବଳୀ, ସୁବର୍ଣ୍ଣରେଖା, ବାହୁଡ଼ା ଆଦି ନଦୀର ଅବବାହିକା ବି ପ୍ରଦୂଷଣ ମୁକ୍ତ ନୁହେଁ ।

ଯେଉଁସବୁ ମନିଟରିଂ ଷ୍ଟେସନରେ ଏହି ନଦୀ ଜଳଗୁଡ଼ିକ ଅତ୍ୟନ୍ତ ପ୍ରଦୂଷିତ ବୋଲି ଜଣାପଡ଼ିଛି ସେଗୁଡ଼ିକ ମଧ୍ୟରେ ଅଛି କଟକ, ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ୱର, କଣାସ, ଚୌଦ୍ୱାର, ଭିଙ୍ଗାରପୁର, ନିମାପଡ଼ା, ଗୋପ, ଚନ୍ଦନପୁର, କେନ୍ଦ୍ରାପଡ଼ା, ବାଣପୁର, ରମ୍ଭା, ରାଉରକେଲା, ପାନପୋଷ, ବଣେଇଗଡ଼, ତାଳଚେର, ଢେଙ୍କାନାଳ, ଧର୍ମଶାଳା, ପଟ୍ଟାମୁଣ୍ଡାଇ, ବିଞ୍ଝାରପୁର, ଆଳି, ଅନୁଗୁଳ, କଣିହାଁ, ବଡ଼ବିଲ, ଯୋଡ଼ା, ଆନନ୍ଦପୁର, ଯାଜପୁର, ଚାନ୍ଦବାଲି, ଭଦ୍ରକ, ଧାମରା, ରସୁଲକୋଣ୍ଡା, ଆସିକା, ରଗଡ଼ା, ଜେକେପୁର, ରାଜଘାଟ, ବାରିପଦା, ବାଲେଶ୍ୱର ଆଦି ବହୁ ସ୍ଥାନ ।

LEAVE A REPLY

Please enter your comment!
Please enter your name here