ଫେରିଯିବ ମଣିଷମରା ସୁନ୍ଦରୀ

0
91

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘବଂଶ ବୃଦ୍ଧି ଲାଗି ହୋଇଥିବା ଯୋଜନାରେ ପୂର୍ଣ୍ଣଚ୍ଛେଦ ପଡିବ । ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ପୁଣି ଫେରିଯିବ । ଗତକାଲି ସୁନ୍ଦରୀର ଆକ୍ରମଣରେ ହାତିବାରି ଗ୍ରାମର କୈଳାସି ଗଡ଼ନାୟକଙ୍କର ମୃତୁ୍ୟ ହେବା ଓ କିଛି ଅଂଶ ମାଂସ ଖାଇବା ଘଟଣାକୁ ନେଇ ସମଗ୍ର ସାତକୋଶିଆ ବନ୍ୟଖଣ୍ଡରେ ଅସନ୍ତୋଷର ନିଆଁ ଜଳିଛି । ମଣିଷ ମାରିଥିବାରୁ ଏହି ବାଘୁଣୀକୁ ତୁରନ୍ତ ଫେରାଇ ଦେବା ଲାଗି ସ୍ଥାନୀୟ ବାସିନ୍ଦାମାନେ ଜିଦ୍ ଧରି ବସିଛନ୍ତି । ଦୀର୍ଘ ସମୟ ଧରି ସେମାନେ ଆନେ୍ଦାଳନ କଲାପରେ ପ୍ରଶାସନ ସେମାନଙ୍କ ନିକଟରେ ହାର ମାନିଛି । ମଧ୍ୟପ୍ରଦେଶରୁ ଦୁଇଟି ଟ୍ରାଙ୍କୁଲାଇଜର ଟିମ୍ ଅଣାଯାଉଛି । ସେମାନେ ବାଘୁଣୀକୁ ଅଚେତ କରି ପୁଣି ଫେରାଇ ନେବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲିର ଘଟଣାକୁ ନେଇ ଟିକରପଡ଼ାସ୍ଥିତ ରେଞ୍ଜ କାର୍ଯ୍ୟାଳୟ, ବଙ୍ଗଳା, ହାତିବାରି ବିଟ, ବନକର୍ମଚାରୀଙ୍କ ବାସଗୃହ, ମହାନଦୀରେ ଥିବା ଲଞ୍ଚ ପୋଡ଼ି ପାଉଁଶ ହୋଇଯାଇଛି । କୈଳାସିଙ୍କ ମୃତ ଦେହକୁ ରଖି ରାସ୍ତା ଅବରୋଧ ଆନେ୍ଦାଳନ ଜାରି ରହିଥିଲା । କେବଳ ପୁରୁଣାକୋଟ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ଶରୀରକୁ ଜଗିରହିଥିବା ବେଳେ, ଗ୍ରାମବାସୀଙ୍କ ଅସନ୍ତୋଷର ଶିକାର ହୋଇଥିବା କାର୍ଯ୍ୟାଳୟ, ଧନ ସମ୍ପତ୍ତିକୁ ରକ୍ଷା କରିପାରିନଥିଲା । ପୋଲିସର ଅପରାଗତାରୁ ପୋଡ଼ାଜଳା ଘଟଣାରେ ବନ ବିଭାଗର ପ୍ରାୟ ୫ କୋଟିର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳକ କରାଯାଇଛି । ଏପରିକି ସ୍ଥାନୀୟ ବନକର୍ମଚାରୀମାନେ ଲୋକଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ଜଙ୍ଗଲ ଭିତରେ ଲୁଚିଥିଲେ । ତେବେ ଘଟଣାସ୍ଥଳକୁ ଗତକାଲି ଏବଂ ଆଜି ସ୍ଥାନୀୟ ଏସ୍ପି ମିତ୍ରଭାନୁ ମହାପାତ୍ର, ବରିଷ୍ଠ ପୁଲିସ ଅଧିକାରୀ ହରିହର ପାଣି, ସାତକୋଶିଆ ଡିଏଫ୍ଓ ଏଆର୍ ରେହମାନ, ଏସିଏଫ୍ ଏବଂ ପ୍ରଶାସନିକ ଅଧିକାରୀମାନେ ଯାଇ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ତେବେ ବାଘୁଣୀକୁ ସ୍ଥାନାନ୍ତର କରିବା ଜିଦ୍ ସହ କ୍ଷତିପୂରଣ ଦାବିରେ ଲୋକମାନେ ଅଡିÿ ିବସିଥିଲେ ଏବଂ ଦାବିପୂରଣ ପରେ ଯାଇ ମୃତ ଶରୀରକୁ ବ୍ୟବଚ୍ଛେଦ ହେବ ବୋଲି କହିଥିଲେ । ତେବେ ପମ୍ପାସରଠାରେ ଦୀର୍ଘ ଆଲୋଚନା ଏବଂ ବୁଝାସୁଝା କରିବା ପରେ ଶେଷରେ ପ୍ରଶାସନ ଲୋକଙ୍କ ଦାବି ଆଗରେ ହାର ମାନିଛି । ‘ସୁନ୍ଦରୀ’କୁ ପୁନର୍ବାର ଟ୍ରାଙ୍କୁଲାଇଜର କରି ବାନ୍ଧବଗଡ଼କୁ ଫେରାଇ ଦିଆଯିବା ପାଇଁ ଡ଼େରାଡ଼ୁନ ଏବଂ ବାନ୍ଧବଗଡ଼ରୁ ୨ଟି ଟିମ ଆସୁଛନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା ତାକୁ ଟ୍ରାଙ୍କୁଲାଇଜର କରାଯାଇ ପଠାଯିବା ସହିତ ମୃତକ ମହିଳାଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ, ଅନ୍ତେଷ୍ଟୀକ୍ରିୟା ପାଇଁ ୬୦ ହଜାର ଟଙ୍କା ପ୍ରଦାନ, ପରିବାରର ଜଣଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ଆନେ୍ଦାଳନ ହଟିଛି ବୋଲି ଅନୁଗୋଳ ଏସ୍ପି ମିତ୍ରଭାନୁ ସୂଚନା ଦେଇଛନ୍ତି ।
ସୁନ୍ଦରୀ ବାଘ ଆଜି ସକାଳ ୮ଟା ବେଳେ କରଡ଼ାପଡ଼ାର ବାବୁ କର୍ମୀ ହଳ କରୁଥିବାବେଳେ ଆକ୍ରମଣ କରିଥିଲା, ସେ କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟିକରପଡ଼ାରୁ ପମ୍ପାସରକୁ ବସ ଯୋଗେ ଆସୁଥିବା ଯାତ୍ରୀମାନେ ଦିନ ୨ଟା ବେଳେ ସୁନ୍ଦରୀ ବାଘୁଣୀକୁ ଗୋଡ଼ଭଙ୍ଗାରେ ରାସ୍ତା ଉପରେ ଯାଉଥିବାର ଦେଖିଥିଲେ ବୋଲି ପ୍ରକାଶ କରିଥିଲେ । ମୃତକ ମହିଳାଙ୍କର ଶବ ବ୍ୟବଚ୍ଛେଦ ପୁରୁଣାକୋଟରେ କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଘୋଷଣା ସର୍ବସ୍ୱ ଏବଂ କିଛି ବଡ଼ବଡ଼ିଆ ଅଧିକାରୀ ନିଜ ଜିଦ୍ରେ ଅଟଳ ରହି ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ବିନା ବାଘବଂଶ ବୃଦ୍ଧିର ନିଷ୍ପତ୍ତି ନେବା ଘଟଣାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ବାଘ ଛାଡ଼ିବା ନିଷ୍ପତ୍ତି ହେବା ଦିନରୁ ସ୍ଥାନୀୟ ବନବାସୀମାନେ ଏହାକୁ ବିରୋଧ କରି ପ୍ରଶାସନ ନିକଟରେ ପ୍ରତିବାଦ କରିଥିଲେ । ପ୍ରଥମେ କାହ୍ନାରୁ ଆସୁଥିବା ମହାବାଳ ବାଘକୁ ଗତ ଜୁଲାଇ ୬ ତାରିଖରେ ଖୋଲା ଛଡ଼ାଯାଇଥିଲା ତେବେ ଏଥି ମଧ୍ୟରେ ମହାବଳ ନିଜର ଅଞ୍ଚଳ ଚିହ୍ନଟ କରି ସ୍ୱଚ୍ଛନ୍ଦରେ ଥିବା ବେଳେ ଅଗଷ୍ଟ ୧୭ ରେ ସୁନ୍ଦରୀକୁ ଛଡ଼ା ଯାଇଥିଲା । ସୁନ୍ଦରୀର ବ୍ୟବହାର କିନ୍ତୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ରାଇଗୁଡ଼ାରୁ ନେଇ ଆଠମଲ୍ଲିକର ଧଣ୍ଡାତୋପା ଜଙ୍ଗଲ ପର୍ଯ୍ୟନ୍ତ ଇତସ୍ତତଃ ଭାବେ ବୁଲିବା ସହିତ ଜନବସତି ନିକଟକୁ ଆସି ଛେଳି ବାଛୁରୀ ଏପରିକି ଗତକାଲି ହାତିବାରିଠାରେ କୌଳାସୀଙ୍କୁ ମାରିବା ଘଟଣା ଅଧିବାସୀଙ୍କ ଆଶଙ୍କା ସତ୍ୟ ପ୍ରମାଣିତ ହୋଇଛି । ତେବେ ‘ସୁନ୍ଦରୀ’ ଫେରିବା ନିଶ୍ଚିତ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ସାତକୋଶିଆ ବାଘ ପ୍ରକଳ୍ପର ଭବିଷ୍ୟତ କଣ ହେବ ଏବେଠୁ କହିବା ସମ୍ଭବ ନୁହେଁ । ବାଘ ବଂଶ ବୃଦ୍ଧି ଯୋଜନାରେ ତାଲା ପଡ଼ିବ ନା କିଛି ବିକଳ୍ପ ପନ୍ଥା ଗ୍ରହଣ କରାଯିବା ନେଇ ବିଚାରବିମର୍ଷ ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here