ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ହାରିଲା ଭାରତ

0
45

ଲଣ୍ଡନ: ପୂର୍ବରୁ ସିରିଜ୍ ହରାଇ ସାରିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ସମ୍ମାନ ରକ୍ଷା କରିବାରେ ମଧ୍ୟ ବିଫଳ ହୋଇଛି । କେଏଲ୍ ରାହୁଲ ଓ ରିସବ ପନ୍ତଙ୍କ ସଂଘର୍ଷପୂର୍ଣ୍ଣ ଶତକ ସତ୍ତେ୍ୱ ଭାରତ ୫ମ ଟେଷ୍ଟ ବଞ୍ଚାଇବାରେ ସଫଳ ହୋଇପାରିନାହିଁ । ୪୬୪ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଟିମ୍ ଇଣ୍ଡିଆ ୩୪୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଇଂଲଣ୍ଡ ୧୧୮ ରନ୍ରେ ଏହି ମ୍ୟାଚ୍ ଜିତିବା ସହ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୪-୧ରେ ଜିତିନେଇଛି । ମଙ୍ଗଳବାର ମ୍ୟାଚ୍ର ଅନ୍ତିମ ଦିନରେ ଭାରତ ୫୮/୩ ସ୍କୋରରୁ ଖେଳ ଆରମ୍ଭ କରିଥିଲା । ବିଜୟ ପାଇଁ ଦଳକୁ ଆହୁରି ୪୦୬ ରନ୍ର ଆବଶ୍ୟକତା ରହିଥିବା ବେଳେ ଟିମ୍ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ମାନେ ପୁଣିଥରେ ନିରାଶ କରିଥିଲେ । ରାହୁଲ ଗୋଟିଏପଟୁ ନିଜର ୱିକେଟ ସୁରକ୍ଷିତ ରଖି ଦଳକୁ ପରାଜୟରୁ ରକ୍ଷା କରିବା ପାଇଁ ସଂଘର୍ଷ କରିଥିଲେ । ୧୨୧ ରନ୍ରେ ଅଧାଦଳ ପାଭିଲିୟନ ଫେରିଯାଇଥିଲା । ଏହାପରେ କ୍ରିଜ୍କୁ ଆସିଥିବା ରିସବ ଧର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ସେ ରାହୁଲଙ୍କ ସହ ମିଶି ଦଳକୁ ବିପର୍ଯ୍ୟୟରୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ରାହୁଲ ଓ ରିସବ ଷଷ୍ଠ ୱିକେଟ ପାଇଁ ୨୦୪ ରନ୍ର ମହତ୍ୱପୂର୍ଣ୍ଣ ପାର୍ଟନରସିପ୍ ଛିଡା କରିଥିଲେ । ତେବେ ଆଦିଲ ରସିଦ୍ ଶେଷରେ ଏହି ପାର୍ଟନରସିପ୍କୁ ଭାଙ୍ଗିବାରେ ସଫଳ ହୋଇଥିଲେ । ମାତ୍ର ୩ ରନ୍ ମଧ୍ୟରେ ରାହୁଲ ଓ ରିସବଙ୍କ ୱିକେଟ ପତ୍ତନ ହୋଇଥିଲା । ଯାହାପରେ ଦଳର ନିମ୍ନକ୍ରମ ଅଧିକ ସମୟ ପର୍ଯ୍ୟନ୍ତ ଇଂଲଣ୍ଡ ବୋଲରମାନଙ୍କୁ ସାମ୍ନା କରିବାରେ ସଫଳ ହୋଇପାରିନଥିଲେ । ରାହୁଲ ୨୨୪ ବଲରେ ୨୦ଟି ଚୌକା ଓ ଗୋଟିଏ ଛକା ସହ ୧୪୯ ରନ୍ କରିଥିବା ବେଳେ ରିସବ ୧୪୬ ବଲରେ ୧୫ଟି ଚୌକା ଓ ୪ଟି ଛକା ସହ ୧୧୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୩୭, ରବିନ୍ଦ୍ର ଜାଡେଜା ୧୩ ଓ ଈଶାନ୍ତ ଶର୍ମା ୫ ରନ୍ର ଯୋଗଦାନ କରିଥିଲେ । ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ ୩ଟି ୱିକେଟ ପାଇଥିବା ବେଳେ ସାମ୍ କୁରାନ୍ ଓ ରସିଦ୍ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଷ୍ଟୁଆଟ୍ ବ୍ରଡ୍, ମୋଇନ୍ ଅଲ୍ଲୀ ଓ ବେନ୍ ଷ୍ଟକ୍ସ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୩୩୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଏହାର ଜବାବରେ ଭାରତ ୨୯୨ ରନ୍ କରିଥିଲା । ଦ୍ୱିତୀୟ ଇନିଂସ୍ରେ କୁକ୍ ଓ ରୁଟ୍ଙ୍କ ଶତକ ସହାୟତାରେ ଘରୋଇ ଦଳ ୪୨୩/୮ ସ୍କୋରରେ ପାଳି ଘୋଷଣା କରିଥିଲା । କ୍ୟାରିୟରର ଅନ୍ତିମ ଟେଷ୍ଟ ଖେଳୁଥିବା କୁକ୍ ଏହି ମ୍ୟାଚ୍ରେ ଶକ୍ତିଶାଳୀ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିଭଳି ବିରାଟ କୋହଲି ଓ ସାମ୍ କୁରାନ୍ ମିଳିତ ଭାବେ ମ୍ୟାନ୍ ଅଫ୍ ଦ ସିରିଜ୍ ପୁରସ୍କାର ପାଇଥିଲେ ।

LEAVE A REPLY

Please enter your comment!
Please enter your name here